ପ୍ରଥମ ଥର ପାଇଁ କମେଣ୍ଟ୍ରି କରି ପାରନ୍ତି ଧୋନି, ଡେ-ନାଇଟ୍‌ ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳି ପାରେ ଜଲଓ୍ଵା

ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହିଥିବା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିପାରେ। ଭାରତ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ଖେଳିବାକୁ ଯାଉଥିବା ବେଳେ ଏଥିରେ ଧୋନିଙ୍କୁ ଅତିଥି ଭାଷ୍ୟକାର ଭାବେ ଦର୍ଶକମାନେ ଦେଖିବାକୁ ପାଇ ପାରନ୍ତି। ଆସନ୍ତା ୨୨ ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ଐତିହାସିକ ଇଡେନ୍ ଗାର୍ଡେନରେ ପ୍ରଥମଥର ଡେ-ନାଇଟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ଐତିହାସିକ ଟେଷ୍ଟକୁ ଅଧିକ ସ୍ମରଣୀୟ କରିବାକୁ ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋଟର୍ସ ନୂଆ ଯୋଜନା ପ୍ରସ୍ତୁତ କରିଛି। ଏହି ଟେଷ୍ଟ ମ୍ୟାଚରେ ସଂସ୍ଥା ଭାରତର ସମସ୍ତ ପୂର୍ବତନ ଟେଷ୍ଟ ଅଧିନାୟକଙ୍କୁ ନିମନ୍ତ୍ରଣ କରିବାକୁ ଚାହୁଁଛି। ଯଦି ଏହା ସଫଳ ହେଲା, ତାହେଲେ ଧୋନି ଟେଷ୍ଟ ମ୍ୟାଚରେ ପ୍ରଥମଥର ପାଇଁ ଭାଷ୍ୟକାର ସାଜିବେ।

dhoniଷ୍ଟାର ସଂସ୍ଥା ପକ୍ଷରୁ ବିସିସିଆଇ ବସ୍ ସୌରଭ ଗାଙ୍ଗୁଲିଙ୍କୁ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଦିଆଯାଇଛି। ସଂସ୍ଥା ଡେ-ନାଇଟ ଟେଷ୍ଟର ପ୍ରଥମ ଦୁଇଦିନ ପାଇଁ ସମସ୍ତ ପୂର୍ବତନ କ୍ୟାପଟେନମାନଙ୍କୁ ନିମନ୍ତ୍ରଣ କରିବାକୁ ଚାହୁଁଛି। ସେମାନେ ଏହି ଟେଷ୍ଟରେ ସାମିଲ ହୋଇ ସେମାନଙ୍କ ସ୍ମରଣୀୟ ଟେଷ୍ଟ ମ୍ୟାଚ୍ ବିଷୟରେ କିଛି କହିବେ। ମ୍ୟାଚ୍ ଆରମ୍ଭରୁ ଏମାନେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି, ଟିମର ଅନ୍ୟ ସଦସ୍ୟ ଓ ଅତିଥିମାନଙ୍କ ସହ ପଡ଼ିଆରେ ଏକାଠି ହୋଇ ଜାତୀୟ ସଂଗୀତ ଗାନ କରିବେ। ଏହାପରେ ସେମାନେ ମ୍ୟାଚ୍ ସମୟରେ ଭାଷ୍ୟକାର ସାଜି ନିଜ ନିଜ ଟେଷ୍ଟ ମ୍ୟାଚର କିଛି ସ୍ମରଣୀୟ ମୁହୂର୍ତ୍ତ ସମ୍ପର୍କରେ କହିବେ।

ଏହାସହ ପଢନ୍ତୁ: ଚେନ୍ନାଇ ସୁପର କିଙ୍ଗସ୍‌ର ଥ୍ରୋବ୍ୟାକ୍‌ ଭିଡିଓରେ ଡେଓ୍ଵନ ବ୍ରାଭୋଙ୍କ ସହ ଟେବୁଲ ଟେନିସ୍‌ ଖେଳିଲେ ଏମ୍‌ଏସ୍‌ ଧୋନି

ମ୍ୟାଚର ୪ର୍ଥ ଦିବସ ଠାରୁ ପଡ଼ିଆରେ ଲାଗିଥିବା ବଡ଼ ସ୍କ୍ରିନ୍‌ରେ ଭାରତୀୟ ଟିମ୍ର ସ୍ମରଣୀୟ ମୁହୂର୍ତ୍ତ ଗୁଡ଼ିକ ବ୍ରେକ ସମୟରେ ସମଗ୍ର ବିଶ୍ୱକୁ ପ୍ରଦର୍ଶିତ କରାଯିବ। ଖାଲି ସେତିକି ନୁହେଁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨୦୦୧ରେ ଇଡେନ୍ ଗାର୍ଡେନରେ ହାସଲ କରିଥିବା ଐତିହାସିକ ବିଜୟର ମ୍ୟାଚ୍କୁ ତୃତୀୟ ଦିବସର ଲଞ୍ଚ ବେଳେ ବଡ଼ ସ୍କ୍ରିନ୍‌ରେ ପ୍ରଦର୍ଶିତ କରିବାକୁ ଷ୍ଟାର ପକ୍ଷରୁ ଯୋଜନା କରାଯାଇଛି। ସେହିପରି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳିମାନେ ପିଙ୍କ ବଲରେ କେମିତି ଅଭ୍ୟାସ କରୁଛନ୍ତି, ତାର ଦୃଶ୍ୟ ମଧ୍ୟ ଷ୍ଟାର ସମସ୍ତଙ୍କୁ ଦେଖାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.