ଜୀବନରେ କେବେ ସଚିନ ତେନ୍ଦୁଲକରଙ୍କ ପରି ଖେଳିପାରିଲେ ନାହିଁ ମହେନ୍ଦ୍ର ସିଂ ଧୋନି! ପିଲାବେଳୁ ହିଁ ମାନି ଆସୁଥିଲେ ନିଜର ଆଦର୍ଶ

ଏବେ ସୋସିଆଲ ମିଡିଆରେ ମହେନ୍ଦ୍ର ସିଂ ଧୋନିଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ତାଙ୍କ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି। ଭିଡିଓରେ ଧୋନି ପିଲାମାନଙ୍କ ସହ କଥା ହେଉଥିବାର ଦେଖାଯାଉଛନ୍ତି। ତେବେ ଏଥିରେ ଏକ ଖାସ୍ କଥା ହେଉଛି ଯେ ଭାରତୀୟ ଦଳର ଏହି ପୂର୍ବତନ ଅଧିନାୟକ କହୁଛନ୍ତି, କ୍ରିକେଟ୍ ଜଗତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ପିଲାଟି ବେଳୁ ତାଙ୍କର ଆଦର୍ଶ ରହି ଆସିଥିଲେ। ସେ ସବୁବେଳେ ତାଙ୍କ ଭଳି ହିଁ ଖେଳିବାକୁ ଚାହୁଁଥିଲେ। କିନ୍ତୁ ଏମିତି ସେ କେବେ ବି କରିପାରି ନ ଥିଲେ।
୩୫ ସେକେଣ୍ଡର ଏହି ଭିଡିଓରେ ଧୋନିଙ୍କୁ ଜଣେ ପିଲା ପଚାରୁଛି ଯେ ତାଙ୍କର ରୋଲ୍ ମଡେଲ ବା ଆଦର୍ଶ କିଏ? ତ ଏହି ପ୍ରଶ୍ନ ଉପରେ ଧୋନି ଉତ୍ତର ଦେଉଛନ୍ତି କି, ସବୁବେଳେ ହିଁ ତାଙ୍କର ରୋଲ୍ ମଡେଲ ସଚିନ ତେନ୍ଦୁଲକର ରହି ଆସିଛନ୍ତି ଏବଂ ସେ ପିଲାବେଳୁ ହିଁ ତାଙ୍କ ଷ୍ଟାଇଲରେ ଖେଳିବାକୁ ଚାହୁଁଥିଲେ। କିନ୍ତୁ ବହୁତ ଜଲ୍ଦି ସେ ଅନୁଭବ କରି ପାରିଥିଲେ କି, ସେ ତାଙ୍କ ଭଳି କେବେ ବି ଖେଳିପାରିବେ ନାହିଁ।
ଏହାପରେ ମହେନ୍ଦ୍ର ସିଂ ଧୋନିଙ୍କୁ ଆହୁରି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚରା ଯାଇଥିଲା। ଏକ ପ୍ରଶ୍ନ ଥିଲା କି, ସ୍କୁଲ ଦିନରେ ତାଙ୍କ ପସନ୍ଦର ବିଷୟ କେଉଁଟା ଥିଲା? ତ ଏହା ଉପରେ ପ୍ରଥମେ ଧୋନି ସ୍ମିତହାସ୍ୟ କରିଥିଲେ ଏବଂ କହିଥିଲେ ଯେ ସ୍ପୋର୍ଟସ୍ କ୍ୱାଲିଫାଇଙ୍ଗ୍ ବିଷୟକୁ ହିଁ ସେ ବହୁତ ଭଲ ପାଉଥିଲେ। ଏହି ବିଷୟ ତାଙ୍କର ଫେଭରାଇଟ୍ ଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ହସିବାକୁ ଲାଗିଥିଲେ ଏବଂ ଧୋନି ମଧ୍ୟ ହସୁଥିବାର ନଜର ଆସିଥିଲେ।
କହି ରଖୁଛୁ, ଧୋନି ଭାରତର ସବୁଠାରୁ ଅଧିକ ସଫଳତମ ଅଧିନାୟକ। ତାଙ୍କ ଅଧିନାୟକତ୍ୱରେ ଭାରତ ସର୍ବାଧିକ ୩ ଆଇସିସି ଟାଇଟଲ ନିଜ ନାମରେ କରିଛି। ତାଙ୍କ କ୍ୟାପ୍ଟେନ୍ସିରେ ଭାରତ ୨୦୦୭ ଟି୨୦ ବିଶ୍ୱକପ୍, ୨୦୧୧ ଦିନିକିଆ ବିଶ୍ୱକପ୍ ଏବଂ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଟାଇଟଲ ଜିତିଥିଲା। ସୂଚନାଥାଉ କି, ଏମ୍ଏସ୍ ଧୋନି ବର୍ଷ ୨୦୧୯ରେ ଦିନିକିଆ ବିଶ୍ୱକପ୍ରେ ଶେଷ ଥର ଭାରତୀୟ ଟିମ୍ ପାଇଁ ଖେଳିଥିଲେ। ସେତେବେଳେ ଭାରତୀୟ ଟିମ୍ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ସେମିଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲା।
Even Thala’s favourite period is PT! 😉#WhistlePodu #Yellove 🦁💛 @msdhoni pic.twitter.com/t4MInuQhxu
— Chennai Super Kings (@ChennaiIPL) October 13, 2022
ଅନ୍ୟପଟେ ଭାରତୀୟ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି କ୍ରିକେଟ୍ ଜଗତରେ ନାମ ଅର୍ଜନ କରିବା ପରେ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଦେବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାହିଙ୍କ ପ୍ରଡକ୍ସନ୍ ହାଉସର ନାମ ରହିଛି ‘ଧୋନି ଏଣ୍ଟରଟେନମେଣ୍ଟ’। ତେବେ ସେ ବଲିଉଡରେ ନୁହେଁ, ବରଂ ସାଉଥ୍ ଇଣ୍ଡଷ୍ଟ୍ରୀରେ କାମ କରିବେ। ଖବର ମୁତାବକ, ମହେନ୍ଦ୍ର ସିଂ ଧୋନି ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଭାଷାରେ ଫିଲ୍ମ ନିର୍ମାଣ କରିବେ। ବିକାଶ ହାସିଜା ହେଉଛନ୍ତି ‘ଧୋନି ଏଣ୍ଟରଟେନମେଣ୍ଟ’ର ବିଜନେସ୍ ହେଡ୍।