Below header

ରଣଜୀ ମୁକାବିଲା : କାମ ଦେଲାନି ଶୁଭ୍ରାଂଶୁଙ୍କ ଲଢୁଆ ଶତକ, ଝାଡ଼ଖଣ୍ଡଠାରୁ ୨ ରନ୍‌ରେ ହାରିଗଲା ଓଡ଼ିଶା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଅତ୍ୟନ୍ତ ଦୁଃଖଦାୟକ । ଆଉ ମାତ୍ର ୩ ରନ୍‌ କରିଥିଲେ ଜିତିଥାନ୍ତା ଓଡ଼ିଶା ଦଳ । ହେଲେ ଝାଡ଼ଖଣ୍ଡ ଠାରୁ ୨ ରନ୍‌ରେ ହାରିଗଲା । ରଣଜୀ ଟ୍ରଫିର ଗ୍ରୁପ୍‌ ‘ସି’ ଲଢ଼େଇରେ ଓଡ଼ିଶା ପାଇଁ ଚାରି ନମ୍ବର ବ୍ୟାଟ୍‌ସମ୍ୟାନ୍‌ ଶୁଭ୍ରାଂଶୁ ସେନାପତି ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ । ଏକ ଐତିହାସିକ ଇନିଂସ୍‌ ଖେଳି ପାରୁ ପର୍ଯ୍ୟନ୍ତ ଲଢ଼ିଥିଲେ । ଦଳକୁ ବିଜୟର ନିକଟତର ମଧ୍ୟ କରାଇଥିଲେ । ହେଲେ ସହଯୋଗୀ ଖେଳାଳିଙ୍କ ଠାରୁ ସହଯୋଗ ନମିଳିବାରୁ ଓଡ଼ିଶା ମାତ୍ର ୨ ରନ୍‌ରେ ପରାସ୍ତ ହୋଇଛି ।

ରାଞ୍ଚିରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଝାଡ଼ଖଣ୍ଡ ୨୬୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡ଼ିଶା ଦଳ ୩ ଓ୍ଵିକେଟ୍‌ ହରାଇ ୮୧ ରନ୍‌ କରିଥିଲା । ତେବେ ଆଜି ଶେଷ ଦିନରେ ଶୁଭ୍ରାଂଶୁ ସେନାପତିଙ୍କ ବ୍ୟତୀତ ଆଉ ସମସ୍ତ ବ୍ୟାଟ୍ସମ୍ୟାନ୍‌ ଘରୋଇ ଦଳର ବୋଲରଙ୍କ ଆଗରେ ଆତ୍ମସମର୍ପଣ କରି ଦେଇଥିଲେ । ଯାହାଫଳରେ ଓଡ଼ିଶା ୨୫୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଗଲା । ଗତକାଲି ଓପ୍ନର ଅନୁରାଗ ଷଡ଼ଙ୍ଗୀ ୪୧ କରିଥିବା ବେଳେ ଶୁଭ୍ରାଂଶୁ ସେନାପତି ୨୦ ଓ ଅଧିନାୟକ ବିପ୍ଳବ ସାମନ୍ତରାୟ ୧୦ ରନ୍‌ କରି ଅପରାଜିତ ଥିଲେ । ହେଲେ ଶୁଭ୍ରାଂଶୁଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଯେମିତି ଜିତିବା ଲକ୍ଷ୍ୟରୁ ଭ୍ରଷ୍ଟ ହୋଇଯାଇଥିଲେ ।

ଅଧିନାୟକ ବିପ୍ଳବ କିମ୍ବା ତାଙ୍କ ପରବର୍ତ୍ତୀ ବ୍ୟାଟ୍‌ସମ୍ୟାନ୍‌ କେହି ବି ଘରୋଇ ବୋଲରଙ୍କ ଠିକଣା ଜବାବ ଦେଇ ପାରିନଥିଲେ । କେବଳ ଶୁଭ୍ରାଂଶୁ ଧୈର୍ଯ୍ୟ, ଟେକନିକ୍‌ ଏବଂ ଦଳକୁ ଲକ୍ଷ୍ୟରେ ପହଞ୍ଚାଇବାର ଆଗ୍ରହ ନେଇ ନିଜର ପୂରା ଦମ୍‌ ଲଗାଇ ଦେଇଥିଲେ । ତେଣୁ ଏହେି ପରାଜୟ ତାଙ୍କୁ ହିଁ ସବୁଠାରୁ ବେଶି ବାଧିଥିବ । ଶୁଭ୍ରାଂଶୁ ୩୨୧ଟି ବଲ୍‌ ଖେଳି ୧୨ଟି ଚୌକା ଓ ୬ଟି ଛକା ସହାୟତାରେ ୧୫୭ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।
ଓଡ଼ିଶା ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଓ ୨ଟି ପରାଜୟ ସହ ଗୋଟିଏ ମ୍ୟାଚ୍‌ ଡ୍ର ରଖି ୧୩ ପଏଣ୍ଟ ପାଇଛି ।

ସ୍କୋର : ଝାଡ଼ଖଣ୍ଡ ପ୍ରଥମ ଇନିଂସ୍‌-୧୭୨ । ଦ୍ୱିତୀୟ ଇନିଂସ-୨୮୮ । ଓଡ଼ିଶା ପ୍ରଥମ ଇନିଂସ୍‌-୨୦୧ । ଦ୍ୱିତୀୟ ଇନିଂସ୍‌- ୨୫୭, ୧୦୧.୩ ଓଭର (ଅନୁରାଗ ୪୧, ଗୋବିନ୍ଦ ୭, ରାଜେଶ ୧, ଶୁଭ୍ରାଂଶୁ ସେନାପତି ଅପରାଜିତ ୧୫୭ , ବିପ୍ଳବ ୨୩, ଅଭିଷେକ ୩, ସୁଜିତ ୨, ସୂର୍ଯ୍ୟକାନ୍ତ ୫, ରାଜେଶ ୦, ବସନ୍ତ ୪, ଧୀରଜ ସିଂହ ୭ । ରାହୁଲ ଶୁକ୍ଳା ୨୧-୩-୪୩-୨, ବରୁଣ ଆରୋନ୍‌ ୨୬.୩-୭-୫୭-୨-୦୨, ଅନୁକୂଳ ରାୟ ୨୩-୭-୫୧-୪) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.