ଦିଲ୍ଲୀ ଏବଂ ନାଗପୁର ପିଚ୍‌ ଟେଷ୍ଟ ଖେଳ ପାଇଁ ପ୍ରଯୁଜ୍ୟ ଥିଲା, ଆଇସିସି ଦେଲା ରେଟିଂ

ନାଗପୁର ପିଚ୍‌ ଏବଂ ଦିଲ୍ଲୀ ପିଚ୍‌କୁ ଆଭରେଜ ରେଟିଂ ଦେଲା ଆଇସିସି । ଖେଳ ପାଇଁ ପିଚ୍‌ ଖରାପ ନଥିଲା ବୋଲି ଆଇସିସି କହିଛି ।

ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତୀୟ ପିଚ୍‌କୁ ନେଇ ଅନେକ ବିବାଦୀୟ ବୟାନ ସାମ୍ନାକୁ ଆସିଥିଲା । ଭାରତରେ ପିଚ୍‌ ପ୍ରସ୍ତୁତ କରିବାରେ ଭେଦଭାବ କରାଯାଉଛି ବୋଲି ଅଭିଯୋଗ କରିଥିଲା । ଚାରିଟି ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨ଟି ମ୍ୟାଚକୁ ହାରିସାରିଲାଣି । ଆଉ ଏହା ମଧ୍ୟରେ ପିଚକୁ ନେଇ ଆଇସିସି ନିଜର ନିଷ୍ପତ୍ତି ଶୁଣାଇଛି ।

ଅଷ୍ଟ୍ରେଲିଆ ଗଣମାଧ୍ୟମ ‘ଦି ଏଜ୍‌’ ଏବଂ ‘ସିଡନୀ ମର୍ନିଂ ହେରାଲ୍ଡ’ ରିପୋର୍ଟ ମୁତାବକ, ଆଇସିସି ନାଗପୁର ଏବଂ ଦିଲ୍ଲୀର ପିଚ୍‌କୁ ଆଭରେଜ୍‌ ରେଟିଂ ଦେଇଛି। ଦୁଇଟି ଯାକ ପିଚ୍‌ ଖେଳା ପାଇଁ ପ୍ରଯୁଜ୍ୟ ଥିଲା, ଖରାପ ନଥିଲା। ତେବେ ଏହାକୁ ନେଇ ଆଇସିସି ତରଫରୁ ଅଧିକାରକ ବୟାନ ସାମ୍ନାକୁ ଆସିନି ।

ଆଇସିସି ତରଫରୁ ଜିମ୍ବାେଓ୍ଵର ମ୍ୟାଚ୍‌ ରେଫରୀ ଆଣ୍ଡ ପାୟକ୍ରାପ୍ଟ ନାଗପୁର ପିଚକୁ ଆଭରେଜ ରେଟିଂ ଦେଇଛନ୍ତି । ଦିଲ୍ଲୀ ପିଚକୁ ମଧ୍ୟ ଆଇସିସି ପକ୍ଷରୁ ଆଭରେଜ ରେଟିଂ ଦିଆଯାଇଛି । ଦୁଇଟି ଯାକ ଟେଷ୍ଟ ମ୍ୟାଚର ରେଜଲ୍ଟ ମାତ୍ର ୩ ଦିନରେ ଆସିଯାଇଛି । ତେଣୁ ବୋଧ ହୁଏ ପିଚର ରେଟିଂ କମ୍‌ ଦିଆଯାଇଛି ।

ଭାରତୀୟ ପିଚ୍‌ ଖେଳିବା ପାଇଁ ଠିକଠାକ୍‌ ଥିଲା ବୋଲି ଆଇସିସି ନିଷ୍ପତ୍ତିରୁ ଜଣାପଡୁଛି। ଆଉ ଅଷ୍ଟ୍ରେଲିଆ ପକ୍ଷରୁ ହେଉଥିବା ବୟାନବାଜି ନିରର୍ଥକ ବୋଲି କୁହାଯାଉଛି । ଅଷ୍ଟ୍ରେଲିଆ ୨ଟି ଯାକ ଟେଷ୍ଟ ମ୍ୟାଚ ହାରିସାରିଲାଣି । ତୃତୀୟ ଟେଷ୍ଟ ମ୍ୟାଚ ମାର୍ଚ୍ଚ ୧ ତାରିଖରୁ ଇନ୍ଦୋରରେ ଆରମ୍ଭ ହେବ। ଏହି ମ୍ୟାଚ୍‌ ପାଇଁ ଅଷ୍ଟ୍ରେଲିଆକୁ ବଡ ଝଟକା ମିଳିଛି। ଅଷ୍ଟ୍ରେଲିଆ ଟିମର ଅଧିନାୟକ ପ୍ୟାଟ କମିନ୍ସଙ୍କ ମା’ଙ୍କ ଦେହ ଅସୁସ୍ଥ ହେବା ଯୋଗୁଁ ତୃତୀୟ ଟେଷ୍ଟରୁ ବାଦ୍‌ ପଡିଛନ୍ତି । ତାଙ୍କ ସ୍ଥାନରେ ଟିମର ଦାୟିତ୍ୱ ନେବେ ଷ୍ଟିଭ ସ୍ମିଥ ।

ବଲ ଟାମ୍ପରିଂ ମାମଲାରେ ଫସିଥିବା ଷ୍ଟିଭ ସ୍ମିଥ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପଦ ହରାଇଥିଲେ। ହେଲେ ଏହି ଘଟଣାକୁ ଅନେକ ବର୍ଷ ବିତି ଯାଇଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ତାଙ୍କ ଉପରୁ ବ୍ୟାନ ହଟାଇ ଦେଇଛି।

ଭାରତ ୪ଟି ଟେଷ୍ଟ ମ୍ୟାଚ୍‌ ସିରିଜରେ ୨-୦ରେ ଆଗୁଆ ରହିଛି। ପ୍ରଥମ ଟେଷ୍ଟ ମ୍ୟାଚ୍‌ ଇନିଂସ ବିଜୟ ସହିତ ୧୩୨ ରନରେ କଙ୍ଗାରୁ ଦଳକୁ ହରାଇଥିଲା ଭାରତ । ଦ୍ୱିତୀୟ ଟେଷ୍ଟରେ ମଧ୍ୟ ୬ ଓ୍ଵିକେଟରେ ଜିତିଥିଲା । ତେବେ ୨ଟି ଯାକ ମ୍ୟାଚ୍‌ ହାରିବା ପରେ ଟିମ୍‌ ସଦସ୍ୟ ଉପରେ ବର୍ଷିଥିଲେ ଅଧିନାୟକ ପ୍ୟାଟ୍‌ କମିନ୍ସ ।