ଖୁବ୍‌ ଲଢ଼େଇ କଲେ ଲଙ୍କା ଯୋଦ୍ଧା ହେଲେ ହାରିଗଲେ ପ୍ରଥମ ଦିନିକିଆ ମ୍ୟାଚ୍‌, ଭାରତ ୬୭ ରନ୍‌ରେ ବିଜୟୀ

ଗୁଆହାଟି : ପ୍ରଥମ ଦିନିକିଆରେ ଜିତିଛି ଟିମ୍‌ ଇଣ୍ଡିଆ । ଶ୍ରୀଲଙ୍କାକୁ ଆଜି ୬୭ ରନ୍‌ରେ ହରାଇଛି । ଲଙ୍କା ଦଳ ୩୭୪ ରନ୍‌ର ଟାର୍ଗେଟ୍‌ ନେଇ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୩୦୬ ରନ୍‌ କରି ପାରିଛି ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତୀୟ ଦଳ । ଘରୋଇ ଟିମ୍‌ର ସବୁ ଭେଟେରାନ୍‌ ଓ ଦକ୍ଷ ବ୍ୟାଟରଙ୍କ ଆଗରେ ହାର ମାନି ଯାଇଥିଲେ ଲଙ୍କା ବୋଲର । ଫେରନ୍ତା ମ୍ୟାଚ୍‌ରେ ତିନି ଦକ୍ଷ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ୍‌ ରାହୁଲ ଜଲଓ୍ଵା ଦେଖାଇଛନ୍ତି । ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଶୁବମନ ଗିଲ୍‌ ପ୍ରଥମ ଓ୍ଵିକେଟ୍‌ରେ ୧୪୩ ରନ୍‌ ଯୋଡ଼ି ଦଳ ପାଇଁ ବଡ଼ ସ୍କୋର କରିବାର ରାସ୍ତା ତିଆରି କରି ଦେଇଥିଲେ । ଅଧିନାୟକ ରୋହିତ ୮୩ ଏବଂ ଗିଲ୍‌ ୭୦ ରନ୍‌ କରିଥିଲେ । ତେବେ ପୂର୍ବତନ ଅଧିନାୟକ ବିରାଟ କୋହଲି ୮୭ ବଲ୍‌ରେ ୧୧୩ ରନ୍‌ର ଇନିଂସ୍‌ ଖେଳି ନିଜ ଦମଦାର ଫର୍ମର ପରିଚୟ ଦେଇଥିଲେ । ଏହା ହେଉଛି ତାଙ୍କର ୪୫ତମ ଦିନିକିଆ ଶତକ । ଅନ୍ୟମାନଙ୍କ ମଧ୍ୟରେ କେଏଲ୍‌ ରାହୁଲ ୩୯ ରନ୍‌ କରିଥିଲେ । ଯାହାଫଳରେ ଭାରତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୩୭୩ ରନ୍‌ ସଂଗ୍ରହ କରିଥିଲା ।
ପରେ ଶ୍ରୀଲଙ୍କା ଦଳ ସିରାଜଙ୍କ ଆକ୍ରମଣରେ ପ୍ରାରମ୍ଭିକ ବିପର୍ଯ୍ୟୟର ସାମନା କରିଥିଲା । ଏହି ସମୟରେ ଓପ୍ନର ପଥୁନ ନିଶଙ୍କ ୭୨ ରନ୍‌ ଏବଂ ଚରିତ ଅଶାଲଙ୍କା ୨୩ ଓ ଧନଞ୍ଜୟ ଡିସିଲଭା ୪୭ ରନ୍‌ କରି ଖୁବ୍‌ ଲଢ଼ିଥିଲେ । ସେହିପରି ଅଧିନାୟକ ଦାସୁନ ସନକା ମଧ୍ୟ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରିଥିଲେ । ୮୭ ବଲ୍‌ରେ ଶତକ ମଧ୍ୟ ହାସଲ କଲେ ଆଉ ଭାରତର ବିଜୟକୁ ବିଳମ୍ବ କରାଇଥିଲେ । ତାଙ୍କ ଯୋଗୁଁ ଶ୍ରୀଲଙ୍କା ୩୦୦ ରନ୍‌ ଅତିକ୍ରମ କରି ପାରିଥିଲା । ତଥାପି ଭ୍ରମଣକାରୀ ଦଳ ଲକ୍ଷ୍ୟ ଠାରୁ ଦୂରରେ ରହି ଯାଇଥିଲା । ସନକା ୮୮ ବଲ୍‌ରେ ଅପରାଜିତ ୧୦୮ ରନ୍‌ କରିଥିଲେ । ଏଥିରେ  ୧୨ଟି ଚୌକା ଓ ୩ଟି ଛକା ମାରିଥିଲେ । ତେବେ ଦଶ ନମ୍ବର ବ୍ୟାଟର କାସୁନ ରଜିଥାଙ୍କ ସହ ତାଙ୍କର ନବମ ଓ୍ଵିକେଟ୍‌ ଯୋଡ଼ିରେ ଠିକ୍‌ ୧୦୦ ରନ୍‌ ସଂଗ୍ରହ ହୋଇଥିଲା । ଆଉ ରଜିଥା କରିଥିଲେ ମାତ୍ର ୯ ରନ୍‌ ।
ଭାରତ ପକ୍ଷରୁ ଯୁବ ବୋଲର ଉମରାନ ମଲିକ ୩ଟି, ମହମ୍ମଦ ସିରାଜ ୨ଟି ଏବଂ ସାମି, ପାଣ୍ଡ୍ୟା, ଚହଲ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ । ଏହି ବିଜୟ ଫଳରେ ଭାରତୀୟ ଦଳ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.