ଏକା ପାରିଲେନି କୋହଲି : ପ୍ରଥମ ଟେଷ୍ଟରେ ୩୧ ରନ୍‌ରେ ଜିତିଲା ଇଂଲଣ୍ଡ

ଏଜବାଷ୍ଟନରେ ପରାଜୟର ଜାଲରୁ ମୁକୁଳି ପାରିନି ଭାରତ । କୋହଲିଙ୍କ ସଂଗ୍ରମ ବି ବିଜୟ ଦେଇ ପାରିଲାନି ବିରାଟ ବାହିନୀକୁ । ଏଜବାଷ୍ଟନ୍‌ ଠାରେ ପ୍ରଥମ ଟେଷ୍ଟରେ ୩୧ ରନ୍‌ରେ ହାରିଗଲା ଟିମ୍‌ ଇଣ୍ଡିଆ । ନିଜର ୧୦୦୦ତମ ଟେଷ୍ଟରେ ବିଜୟ ଭେଟି ଦେଇଛି ଇଂଲଣ୍ଡ ଦଳ । ୧୯୪ ରନ୍‌ ଟାର୍ଗେଟ୍‌ର ପିଛା କରି ମ୍ୟାଚ୍‌ର ଚତୁର୍ଥ ଦିନ ଓ ଚତୁର୍ଥ ପାଳିରେ ୧୬୨ ରନ୍‌ ହିଁ କରି ପାରିଥଲା ଭାରତ । କୋହଲି ଦୁଇଥର ଜୀବନଦାନ ପାଇ ୫୧ ରନ୍‌ କରିଥିଲେ ।

ସେହିଭଳି ୩୧ ରନ୍‌ର ଲଢୁଆ ପାଳି ଖେଳିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କିନ୍ତୁ ସହଯୋଗ ମିଳିଲାନି ଅନ୍ୟ ସାଥୀ ଖେଳାଳିଙ୍କ ଠାରୁ । ନଚେତ ଏକ ଚମତ୍କାର ବିଜୟ ହାସଲ କରିବାର ସୁଯୋଗ ଥିଲା ଭ୍ରମଣକାରୀ ଦଳ ହାତରେ । ଏଜବାଷ୍ଟନରେ ୭ଟି ମ୍ୟାଚ୍‌ରେ ଭାରତର ଇଏ ହେଉଛି ଷଷ୍ଠ ପରାଜୟ । ଇଂଲଣ୍ଡ ପେସ୍‌ ବୋଲର୍‌ ପେନ୍‌ ଷ୍ଟୋକ୍‌ସ ୪୦ ରନ୍‌ରେ ୪ ଓ୍ଵିକେଟ୍‌ ନେଇଛନ୍ତି । ତେବେ କୋହଲି ଓ ପାଣ୍ଡ୍ୟାଙ୍କ ଓ୍ଵିକେଟ୍‌ ଖସାଇ ସେ ଇଂଲଣ୍ଡକୁ ଜିତାଇଥିଲେ । ପାଞ୍ଚ ଟେଷ୍ଟର ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି ଘରୋଇ ଇଂଲଣ୍ଡ ଦଳ ।

ତେବେ ବୋଲରଙ୍କୁ ଭଲ ସହଯୋଗ କରିଥିବା ଏଜବାଷ୍ଟନ୍‌ରେ ମୋଟ୍‌ ୨୭୩ ଓଭର୍‌ ଖେଳରେ ପଡ଼ିଛି ୪୦ଟି ଓ୍ଵିକେଟ୍‌ । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକମାତ୍ର ଶତକ କରିଥିବା ବେଳେ ମୋଟ୍‌ ୫ଟି ଅର୍ଦ୍ଧଶତକ ହୋଇଛି । ଭାରତ ପକ୍ଷରୁ ଏକମାତ୍ର କୋହଲି ହିଁ ଗୋଟିଏ ଅର୍ଦ୍ଧଶତକ ଓ ଶତକ ହାସଲ କରିଛନ୍ତି । ଅନ୍ୟମାନେ ଇଂଲଣ୍ଡ ପିଚ୍‌ ଓ ପରିବେଶରେ ସେମାନଙ୍କର ଥିବା ଦୁର୍ବଳତାକୁ ସ୍ପଷ୍ଟ କରିଛନ୍ତି । ତେବେ ପୂର୍ବ ଇଂଲଣ୍ଡ ଗସ୍ତରେ ବିଫଳ ହୋଇଥିବା କୋହଲି ଯେ ଘରୋଇ ଦଳ ପାଇଁ ବଡ଼ ବିପଦ ଏକଥା ଇଂଲଣ୍ଡ ଅଧିନାୟକ ଜୋଏ ରୁଟ୍‌ ବେଶ୍‌ ବୁଝି ପାରିଥିବେ । ଖାଲି ବିରାଟ ବାହିନୀର ଅନ୍ୟ ସେନା ତାଙ୍କ କ୍ୟାପଟେନ୍‌ଙ୍କ ଭଳି ଧୈର୍ଯ୍ୟର ସହ ଖେଳିଲେ ସିରିଜ୍‌ରେ ବିଜୟର ସ୍ୱାଦ ଚାଖି ପାରିବ ଟିମ୍‌ ଇଣ୍ଡିଆ । ଦ୍ୱିତୀୟ ଟେଷ୍ଟ ୯ ତାରିଖରୁ ଲଣ୍ଡନରେ ଆରମ୍ଭ ହେବ । ଏହା ପୂର୍ବରୁ ମାନସିକ ଭାବେ ପ୍ରସ୍ତୁତ ହେବା ଦରକାର ଭାରତୀୟ ଦଳ।

ପ୍ରଥମ ଟେଷ୍ଟ ସ୍କୋର : ଇଂଲଣ୍ଡ-୨୮୭ ଓ ୧୮୦ । ଭାରତ-୨୭୪ ଓ ୧୬୨ । (କୋହଲି ୫୧, କାର୍ତ୍ତିକ ୨୦, ପାଣ୍ଡ୍ୟା ୩୧, ଷ୍ଟୋକ୍‌ସ ୪/୪୦, ଆଣ୍ଡରସନ୍‌ ୨/୫୦, ବ୍ରଡ୍‌ ୨/୫୦

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.