ଅଲିମ୍ପିକ୍‌ ହକି ଯୋଗ୍ୟତା ପର୍ଯ୍ୟାୟ ଡ୍ର, ଭାରତୀୟ ପୁରୁଷ ଦଳ ରୁଷିଆକୁ ଓ ମହିଳା ଦଳ ଆମେରିକାକୁ ଭେଟିବ; ଖେଳ ହେବ କଳିଙ୍ଗ ଷ୍ଟାଡିୟମ୍‌ରେ

ନୂଆଦିଲ୍ଲୀ : ଅପେକ୍ଷାର ଅନ୍ତ ହେଲା । ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ କିଏ କାହା ସହିତ ଖେଳିବ ତାହା ସ୍ଥିର ହୋଇଛି । ଏହି ପର୍ଯ୍ୟାୟରେ ଭାରତୀୟ ପୁରୁଷ ଦଳ ପ୍ରଥମ ମ୍ୟାଚ୍‌ରେ ରୁଷିଆକୁ ଭେଟିବ । ସେହିଭଳି ମହିଳା ହକି ଦଳ ତାର ପ୍ରଥମ ମ୍ୟାଚ୍‌ ଖେଳିବ ଆମେରିକା ସହିତ ।

ଆଜି ସ୍ୱିଜରଲାଣ୍ଡର ଲୁସାନ୍‌ଠାରେ କିଛି ସମୟ ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଡ୍ର ହୋଇଛି । ଏହି ଯୋଗ୍ୟତା ପର୍ଯ୍ୟାୟରେ ଜିତିଲେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଦଳଗୁଡ଼ିକ ଯୋଗ୍ୟତା ଅର୍ଜନ କରିବେ । ସୂଚନା ଥାଉକି, ଅଲିମ୍ପିକ୍‌ ହକିର ଯୋଗ୍ୟତା ପର୍ଯ୍ୟାୟ ଦେଶର ସ୍ପୋର୍ଟସ ହବ୍‌ ଭାବେ ପରିଚିତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ହେବ ।
ପାଞ୍ଚଟି ମହାଦେଶୀୟ ପ୍ରତିଯୋଗିତାର ବିଜେତା ଦଳ ସିଧାସଳଖ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଲାଭ କରିଥିବା ବେଳେ ୭ଟି ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରୁ ୫ଟି ଦଳ ଟୋକିଓ ଯିବେ । ଉଭୟ ପୁରୁଷ ଓ ମହିଳା ବିଭାଗରେ ୧୨ଟି ଲେଖାଏଁ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ ।

WOMEN HOCKEY TEAMଆଜିର ଡ୍ର ବେଳେ ଭାରତ ‘ପଟ୍‌-୧’ ବା ଗ୍ରୁପ୍‌-୧ରେ ଥିଲା । ବିଶ୍ୱର ୫ ନମ୍ବର ଟିମ୍‌ ଭାରତର ମୁକାବିଲା ତାର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ କିମ୍ବା ଅଷ୍ଟ୍ରିଆ ଓ ରୁଷିଆ ସହିତ ହେବ ବୋଲି ଆଶ କରାଯାଉଥିଲା । ତେବେ ଡ୍ର ଉଠାଣ ପରେ ୨୨ତମ ର‍୍ୟାଙ୍କ୍‌ର ରୁଷିଆ ସହିତ ହେବ ବୋଲି ସ୍ପଷ୍ଟ ହୋଇଯାଇଥିଲା । ପାକିସ୍ତାନର ମୁକାବିଲା ନେଦରଲାଣ୍ଡସ ସହିତ ହେବ ।
ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ନିଜ ନିଜ ମ୍ୟାଚ୍‌ ଖେଳିବେ । ଏହି ମ୍ୟାଚ୍‌ ଅକଟୋବର ୨୫ରୁ ୨୭ ଏବଂ ନଭେମ୍ବର ୧୩ ତାରିଖରେ ଖେଳାଯିବ । ତେବେ ଡ୍ର ଅନୁଯାୟୀ ଯଦି ଭାରତ ସହିତ ପାକିସ୍ତାନର ମୁକାବିଲା ହୋଇଥାନ୍ତା ସେହି କ୍ଷେତ୍ରରେ ପାକିସ୍ତାନ ଦଳକୁ ଓଡ଼ିଶା ଆସିବାକୁ ପଡ଼ିଥାନ୍ତା । ବର୍ତ୍ତମାନର ରାଜେନତିକ ସମ୍ପର୍କରେ କିଭଳି ପାକିସ୍ତାନ ହକି ଦଳ ଭାରତ ଆସିଥାନ୍ତା ତା ଉପରେ ସମସ୍ତଙ୍କ ନଜର ରହିଥିଲା ।
ଟୋକିଓ ଅଲିମ୍ପିକ ପାଇଁ ପୁରୁଷ ବିଭାଗ କଣ୍ଟିନେଣ୍ଟାଲ ବିଜେତା ଭାବେ ଆର୍ଜେଣ୍ଟିନା, ଦକ୍ଷିଣ ଅଶଫ୍ରିକା, ବେଲଜିୟମ, ଅଷ୍ଟ୍ରେଲିଆ ଏବଂ ଆୟୋଜକ ଜାପାନ ସିଧାସଳଖ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି । ସେହିପରି ମହିଳା ବିଭାଗରେ ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ ଓ ଜାପାନ ସିଧାସଳଖ ଅଲିମ୍ପିକ୍ସରେ ପହଞ୍ଚି ସାରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.