ଭାରତ-ପାକ୍ ବିଶ୍ୱକପ୍ ମ୍ୟାଚ୍ : ଭାବାବେଗରେ ବହିବା ନା ବାସ୍ତବତାକୁ ବୁଝିବା ? ବିରାଟ ବାହିନୀ ନଖେଳିଲେ ପାକିସ୍ତାନର ଲାଭ

ଭାବପ୍ରବଣତା ଗୋଟିଏ ଜାଗାରେ, ଆଉ ଗୋଟିଏ ଜାଗାରେ ନିୟମ କାନୁନ ଓ ଶୃଙ୍ଖଳା । ଆମେ ଭାରତୀୟ ଖୁବ୍ ଭାବପ୍ରବଣ । ତେଣୁ ପୁଲଓ୍ଵାମା ଆକ୍ରମଣ ଘଟଣା ପରେ ପାକିସ୍ତାନ ବିରୋଧୀ ହେବା ସ୍ୱାଭାବିକ । ପାକିସ୍ତାନ ବିରୋଧରେ ଭାରତ ପକ୍ଷରୁ ହେଉ କିମ୍ବା ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ହେଉ, ଯେକୌଣସି କାର୍ଯ୍ୟାନୁଷ୍ଠାନ ବା କଟକଣା ହେଲେ ଆମେ ଖୁସି ହେଉଛୁ । ତେବେ ଆମ ଭାବପ୍ରବଣତାକୁ ନେଇ ସାରା ବିଶ୍ୱ ପରିଚାଳିତ ହେଉନାହିଁ । କିଛି କଥାକୁ ଜଣେ ବୁଦ୍ଧିଜୀବୀ ଭାବେ ଆମକୁ ହୃଦୟରୁ ନୁହେଁ ମସ୍ତିଷ୍କରୁ ଚିନ୍ତା କରିବାକୁ ପଡ଼ିବ । ଆଗାମୀ କ୍ରିକେଟ୍ ବିଶ୍ୱ କପ୍ରେ ପାକିସ୍ତାନ ସହ ଭାରତୀୟ ଦଳ ଖେଳିବା ଉଚିତ କି ନୁହେଁ ସେ ନେଇ ସାରା ଦେଶରେ ବିତର୍କ ଚାଲିଛି । ଅନେକ ଖେଳିବା ସପକ୍ଷରେ କହୁଥିବା ବେଳେ ଅଧିକାଂଶ ନଖେଳିବାକୁ ମତ ହେଉଛନ୍ତି । ଆସନ୍ତା ୨୭ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଆଇସିସି ବୈଠକରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।
ବର୍ତ୍ତମାନ ଭାରତ ସରକାର ଯେଭଳି ଆଭିମୁଖ୍ୟ ରଖିଛନ୍ତି ସେଥିରେ ନିରପେକ୍ଷ ସ୍ଥାନ (ଇଂଲଣ୍ଡ) ହେଲେ ମଧ୍ୟ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ସହିତ ଖେଳିବାକୁ ମନା କରି ଦେଇ ପାରନ୍ତି । କାରଣ ଯେଉଁଠି ବୈଦେଶିକ ଓ ରାଜନୈତିକ ପ୍ରସଙ୍ଗ ଉଠୁଛି ସେଠି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼ ବିସିସିଆଇ ନିରବ ରହିବ । ନିଷ୍ପତ୍ତି କେବଳ ଭାରତ ସରକାର ନେବେ । ହେଲେ ନିଷ୍ପତ୍ତିରେ ବିଳମ୍ବ କିମ୍ବା ନଖେଳିବାର ଆଭିମୁଖ୍ୟ ନିଶ୍ଚିତ ଭାବେ ଉଭୟ ଭାରତୀୟ ଦଳ ଓ ଦେଶ ପାଇଁ ସମସ୍ୟା ସୃଷ୍ଟି କରିବ । ଯାହାର ଏକ ଉଦାହରଣ ସୃଷ୍ଟି କରିଛି ଆସନ୍ତାକାଲି ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଥିବା ଆଇଏସ୍ଏସ୍ଏଫ୍ ସୁଟିଂ ବିଶ୍ୱକପ୍ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦୁଇଜଣ ପାକିସ୍ତାନୀ ଖେଳାଳିଙ୍କୁ ଭିସା ଦେଲା ନାହିଁ ଭାରତ । ତେଣୁ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି ଏହି ବିଶ୍ୱ କପ୍ରୁ ଅଲିମକପିକ୍ ଯୋଗ୍ୟତା ପର୍ଯ୍ୟାୟ ମାନ୍ୟତା ପ୍ରତ୍ୟାହାର କରି ନେବା ସହିତ ସମସ୍ତ ଆଲୋଚନାରୁ ମଧ୍ୟ ଓହରିଗଲା । ଏମିତିକି ଯେ ପର୍ଯ୍ୟନ୍ତ ଭାରତ ସରକାର ଲିଖିତ ପ୍ରତିଶ୍ରୁତି ନଦେିଛନ୍ତି ସେଯାଏ ଭାରତରେ କୌଣସି ଅଲିମ୍ପିକ ଇଭେଣ୍ଟ କରାଯିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛି ।
ସେହିଭଳି ଯଦି କ୍ରିକେଟ୍ ବିଶ୍ୱ କପ୍ରେ ଏମିତି କିଛି ହୁଏ ତେବେ ନିଶ୍ଚିତ ଭାବେ ଭାରତୀୟ ଦଳ ଏବଂ ବିସିସିଆଇ ଆଇସିସି ଦ୍ୱାରା ଦଣ୍ଡିତ ହେବେ । ଅବଶ୍ୟ କାରଗିଲ ଯୁଦ୍ଧ ପରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହୋଇଥିଲା । ଏଥର କିନ୍ତୁ କଣ ହେବ ସେ ନିଷ୍ପତ୍ତି ନେବେ ମୋଦି ସରକାର । ଏକଥା ସତ ଯେ ପାକିସ୍ତାନ ସହ ଭାରତୀୟ ଦଳ ନଖେଳିଲେ ପାକିସ୍ତାନ ଦଳ ଲାଭବାନ୍ ହେବ ଓ ଆମେ କ୍ଷତି ସହିବା । ତେଣୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିରେ ଭାରତ ସରକାର ସବୁ ଆଡ଼କୁ ସୁହାଇଲା ଭଳି ନିଷ୍ପତ୍ତି ନେବା ଦରକାର ।
ଆଉ ଏକ ବାସ୍ତବତା ମଧ୍ୟ ଅପେକ୍ଷା କରି ରହିଛି, ଯଦି ଭାରତ-ପାକିସ୍ତାନ ବିଶ୍ୱକପ୍ ମ୍ୟାଚ୍ ହୁଏ ତେବେ ପୁଣି ଏକ ଯୁଦ୍ଧ ଭଳି ଲାଗିବ । ବର୍ତ୍ତମାନ ଦୁଇ ଦେଶ ଭିତରେ ଥିବା ଉତ୍ତେଜନା ମୂଳକ ସମ୍ପର୍କ ମ୍ୟାଚ୍ ପୂର୍ବରୁ ଉଭୟ ପକ୍ଷର ଅଧିବାସୀ ଓ ଖେଳାଳିଙ୍କୁ ପ୍ରଭାବିତ କରିବ । ଯାହାର ମଜା ଉଠାଇବାକୁ ପଛାଇବେ ନାହିଁ ବିଶ୍ୱର ଅନ୍ୟ ଦେଶର ଲୋକମାନେ ।
ହିମାଂଶୁ ପତିମିଶ୍ର