କାଲିଠାରୁ ରାଞ୍ଚିରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟେଷ୍ଟ, ସିରିଜ୍ ପୋଛି ନେବା ଲକ୍ଷ୍ୟରେ ବିରାଟ ବାହିନୀ

ରାଞ୍ଚି : ଏଠାକାର ଝାଡ଼ଖଣ୍ଡ କ୍ରିକେଟ୍ ଆସୋସିଏସନ୍ ଗ୍ରାଉଣ୍ଡରେ ଆସନ୍ତାକାଲି ଠାରୁ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ । ଏବେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ୨-୦ରେ ଆଗୁଆ ରହି ସିରିଜ୍ ଜିତି ସାରିଛି । ଶେଷ ମ୍ୟାଚ୍ ଜିତିଲେ ସିରିଜ୍ ପୋଛି ନେବ । ସେହି ଲକ୍ଷ୍ୟରେ ରହିଛି ବିରାଟ ବାହିନୀ । ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ୨୦୩ ରନ୍ରେ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଅତି ଶୋଚନୀୟ ଭାବେ ଏକ ଇନିଂସ୍ ୧୩୭ ରନ୍ରେ ପରାସ୍ତ କରିଥିଲା ।
ତେବେ ଶେଷ ମ୍ୟାଚ୍ରେ ଉଭୟ ଦଳ ଜିତିବାକୁ ଚାହିଁବେ । କାରଣ ବର୍ତ୍ତମାନ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ରେ ଦୁଇଟି ଯାକ ଦଳ ଏହି ମ୍ୟାଚ୍ରୁ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି । ଭାରତ ଏବେ ଟେଷ୍ଟ ଚାମ୍ପିଅନ୍ସିପ୍ରେ ତାର ସବୁଯାକ ମ୍ୟାଚ୍ ଜିତି ସର୍ବାଧିକ ୨୦୦ ପଏଣ୍ଟ ପାଇଛି । ତୃତୀୟ ଟେଷ୍ଟ ଜିତିଲେ ଆଉ ୪୦ ପଏଣ୍ଟ ହାସଲ କରିବ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ତାର ଦୁଇଟି ଯାକ ମ୍ୟାଚ୍ ହାରିଥିବାରୁ କୌଣସି ପଏଣ୍ଟ ପାଇନାହିଁ । ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ମାତ୍ର ୬୦ ପଏଣ୍ଟ ସହ ଭାରତ ଠାରୁ ଅନେକ ପଛରେ ରହିଛି ।
ଚଳିତ ସିରିଜ୍ରେ ଭାରତର ବ୍ୟାଟ୍ସମାନେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ବୋଲର୍ମାନେ ମଧ୍ୟ ପଛରେ ନାହାନ୍ତି । ଦୁଇ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜା ଯଥାକ୍ରମେ ୧୪ ଓ ୧୦ଟି ଲେଖାଏଁ ଓ୍ଵିକେଟ୍ ଦଖଲ କରିଛନ୍ତି । ରାଞ୍ଚି ପିଚ୍ ମଧ୍ୟ ସ୍ପିନରଙ୍କୁ ସହାୟତା କରିବ । ତଥାପି ପେସ୍ ବୋଲର୍ ମହମ୍ମଦ ସାମି, ଇଶାନ୍ତ ଶର୍ମା ଏବଂ ଉମେଶ ଯାଦବ ମଧ୍ୟ ପ୍ରଭାବୀ ବୋଲିଂ କରିଛନ୍ତି । ତେଣୁ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ତ୍ରାହି ମିଳିବ ନାହିଁ ।