ଆଜି ପ୍ରଥମ ଦିନିକିଆ : ବିରାଟ ବାହିନୀକୁ ଭାରୀ ପଡ଼ିପାରେ କଙ୍ଗାରୁ ଦଳ

ହାଇଦ୍ରାବାଦ : ଆଜି ଅପରାହ୍ନ ୧.୩୦ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନେସନାଲ ଷ୍ଟାଡିୟମରେ ଲଢ଼େଇ ହେବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ । ଟି-୨୦ରେ ମାତ୍ ଖାଇବା ପରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ପାଇଁ ନିଜକୁ ପ୍ରସ୍ତୁତ କରିଛି ଘରୋଇ ଭାରତୀୟ ଦଳ । ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ସିରିଜ୍ ଜିତି ଇତିହାସ ସୃଷ୍ଟି କରିଥିଲା ବିରାଟ ବାହିନୀ । ତେବେ ନିଜ ପଡ଼ିଆରେ କିନ୍ତୁ ଭିନ୍ନ ଏକ ଅଷ୍ଟ୍ରେଲିଆ ଦଳକୁ ସାମନା କଲା ଭଳି ଲାଗୁଛି । ଅବଶ୍ୟ ୨୦ ଓଭର ଖେଳରେ ଭାରତ ସିନା ମାତ୍ ଖାଇଛି, ହେଲେ ଦିନିକିଆରେ ଏହାର ଜବାବ ଦେବାକୁ ପୂରା ଦମ୍ରେ ପ୍ରସ୍ତୁତି କରିଛି ଦଳ । ତେବେ କାହାର ଦମ୍ ଅଧିକ ସେକଥା ଆଜିର ଦିବାରାତ୍ର ମ୍ୟାଚ୍ରୁ ସ୍ପଷ୍ଟ ହେବ ।
ବଡ଼ ସ୍କୋର ହେବ
ରାଜୀବ ଗାନ୍ଧୀ ଷ୍ଟାଡିୟମ ପିଚ୍ ବ୍ୟାଟ୍ସମ୍ୟାନ୍ଙ୍କୁ ଅଧିକ ସୁହାଏ । ଏଠାରେ ୨୮୬ ପର୍ଯ୍ୟନ୍ତ ରନ୍ ସ୍କୋର ହୋଇଛି । ତେଣୁ ପୁଣି ଏକ ବଡ଼ ସ୍କୋର ଆଶା କରାଯାଉଛି । ତେବେ ହାଇଦ୍ରାବାଦରେ ପୂର୍ବରୁ ଅଷ୍ଟ୍ରେଲିଆ ଖେଳିଥିବା ଦୁଇଟି ଯାକ ମ୍ୟାଚ୍ରେ ବିଜୟୀ ହୋଇଛି ।
ଆଷ୍ଟନ୍ ଟର୍ନର ଡେବ୍ୟୁ କରିବେ
ଅଧିନାୟକ ଆରୋନ୍ ଫିଞ୍ଚ କହିଛନ୍ତି ଚୂଡ଼ାନ୍ତ ଏକାଦଶରେ ଓ୍ଵିକେଟ୍ ଆଲେକ୍ସ କେରୀଙ୍କୁ ସ୍ଥାନ ମିଳିଛି । ଯୁବା ଖେଳାଳି ଆଷ୍ଟନ୍ ଟର୍ନର ଏଠାରେ ତାଙ୍କର ଡେବ୍ୟୁ କରିବେ ଏବଂ ଦ୍ୱିତୀୟ ଟି-୨୦ରେ ଶତକ କରି ଭାରତକୁ ହରାଇଥିବା ଗ୍ଲେନ୍ ମାକ୍ସେଓ୍ଵଲ୍ ତାଙ୍କ ନିୟମିତ ପୋଜିସନ୍ରୁ ଉପରେ ବ୍ୟାଟିଂ କରିବେ ବୋଲି ସେ କହିଛନ୍ତି ।
କୋହଲିଙ୍କ ଡର ଆଇପିଏଲ୍
ଅନ୍ୟପକ୍ଷରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଆମକୁ ଖୁବ୍ ସତର୍କ ହୋଇ ଆହୁରି ଭଲ ଖେଳିବାକୁ ପଡ଼ିବ । କାରଣ ଅଷ୍ଟ୍ରେଲିଆ ଦଳର ଅନେକ ଖେଳାଳି ଭାରତରେ ଆଇପିଏଲ୍ ଖେଳି ଏଠାକାର ପରିବେଶ ସହିତ ବେଶ୍ ପରିଚିତ ଅଛନ୍ତି ।