ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆରେ ବର୍ଷା ସାଜିଲା ବାଧକ, ୧-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

କେନ୍ୟୁଜ୍ ବ୍ୟୁରୋ: ଭାରତୀୟ ନ୍ୟୁଜିଲାଣ୍ଡ ଶେଷ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁ ଅମିମାଂସୀତ ରହିଛି । ନ୍ୟୁଜିଲାଣ୍ଡ ଟିମ୍ ଏହି ଦିନିକିଆ ସିରିଜକୁ ୧-୦ରେ ଜିତି ନେଇଛି । ଭାରତ ପ୍ରଥମ ବ୍ୟାଟିଂ କରି ୪୭.୩ ଓଭରରେ ୨୧୯ ରନ କରି ଅଲଆଉଟ ହୋଇଥିଲା । ତାର ଜବାବରେ ନ୍ୟୁଜିଲାଣ୍ଡ ୧୮ ଓଭରରେ ୧୦୪ ରନ ସଂଗ୍ରହ କରିଥିଲା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ରହିଥିଲା । ଏହା ପୂର୍ବରୁ ଭାରତୀୟ ଦଳ ଟି-୨୦ ସିରିଜକୁ ୧-୦ରେ ଜିତିଥିବା ବେଳେ ଏବେ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ଜିତି, ସିରିଜକୁ ବରାବର କରିଛି । ଏହି ଦୁଇଟି ଯାକ ସିରିଜରେ ଦୁଇ ଜଣ ଅଧିନାୟକଙ୍କୁ ସୁଯୋଗ ଦିଆଯାଇଥିଲା । ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାର ଦିଆଯାଇଥିଲା ବେଳେ ଦିନିକିଆରେ ଶିଖର ଧାଓ୍ଵନଙ୍କୁ ଦିଆ ଯାଇଛି ।ଲଗାତାର ଆଇସିସିର ଅଫିସିଆଲ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ର ବିଫଳତା ପରେ ବିସିସିଆଇ ଏକ ନୂଆ ଯୋଜନା କରିବାକୁ ଯାଉଛି । ଏବେ ବିସିସିଆଇ କ୍ରିକେଟର ଅଲଗା ଅଲଗା ଫର୍ମାଟ୍ରେ ଅଧିନାୟକ ପଦ ବାଣ୍ଟିବାକୁ ଚାହୁଁଛି । ତେଣୁ ନ୍ୟୁଜିଲାଣ୍ଡ ଗସ୍ତରେ ଏହି ଦୁଇ ଜଣଙ୍କୁ ଯୁଯୋଗ ଦେଇଛି ବିସିସିଆଇ ।
କେମିତି ରହିଲା ପ୍ରଦର୍ଶନ :
ଦେଖିବାକୁ ଗଲେ ଟି-୨୦ ଏବଂ ଦିନିକିଆ ଏହି ଦୁଇ ସିରିଜରେ ଭାରତୀୟ ଦଳ ସେମିତି କିଛି ଆଖିଦୃଶିଆ ପ୍ରଦର୍ଶନ କରି ନାହିଁ । କିଛି ହାତ ଗଣତି ଖେଳାଳିଙ୍କୁ ଛାଡ଼ିଦେଲେ ଭାରତର ପ୍ରଦର୍ଶନ ନୈରାଶ୍ୟ ଜନକ ରହିଛି । ଏହି ଦୁଇଟି ସିରିଜରେ ବର୍ଷା ମଧ୍ୟ ଏକ ବଡ଼ ଫ୍ୟାକ୍ଟର ହୋଇଛି । ଦିନିକିଆର ଦୁଇଟି ଯାକ ମ୍ୟାଚ୍ର ଫଳାଫଳ ବର୍ଷା ଯୋଗୁ ଅମିମାଂସୀତ ରହିଛି ।
ଶେଷ ଦିନିକିଆ ମ୍ୟାଚ୍ର ଫଳାଫଳ :
ଭାରତ ପ୍ରଥମେ ବ୍ୟାଟିଂ କରି ୪୭.୩ ଓଭରରେ ୨୧୯ ରନ କରି ଅଲ ଆଉଟ ହୋଇ ଯାଇଥିଲା । ଏହି ମ୍ୟାଚ୍ରେ ଓ୍ଵାଶିଂଟନ ସୁନ୍ଦର ସର୍ବାଧିକ ୫୧ ରନ କରିଥିଲେ । ତାଙ୍କ ପଛକୁ ଥିଲେ ଶ୍ରେୟସ ଆୟର ୫୯ ବଲରେ ୪୯ ରନ ଏବଂ ଅଧିନାୟକ ଶିଖର ଧାଓ୍ଵନ ୪୫ ବଲରେ ୨୮ ରନ କରିଥିଲେ । ତାର ଜବାବରେ କିଓ୍ଵି ଦଳ ୧୮ ଓଭରେ ଗୋଟିଏ ଓ୍ଵିକେଟ୍ ହରାଇ ୧୦୪ ରନ କରିଥିଲା । ତା ପରେ ବର୍ଷା ଯୋଗୁ ମ୍ୟାଚ୍କୁ ବନ୍ଦ ରଖିବାକୁ ପଡ଼ିଥିଲା । ନ୍ୟୁଜିଲାଣ୍ଡ ର ଫିନ୍ ଏଲେନ୍ ୫୪ ବଲରେ ୫୭ ଏବଂ ଡେବନ୍ କନେଓ୍ଵ ୫୧ ବଲରେ ୩୮ ରନ କରି ଦଳକୁ ମଜଭୁତ ସ୍ଥିତିରେ ରଖିଥିଲେ । ଡକ୍ଓ୍ଵର୍ଥ ଏଣ୍ଡ୍ ଲୁଇସ୍ ନିୟମ ଅନୁଯାୟୀ ନ୍ୟୁଜିଲାଣ୍ଡ ଟିମ୍ ୫୦ ରନ ଆଗରେ ଥିଲା । ଏହି ମ୍ୟାଚ୍କୁ ନିୟମ ଅନୁସାରେ ବିଚାର କରିବାକୁ ହେଲେ ଅତିକମ୍ରେ ୨୦ ଓଭର ଖେଳିବାକୁ ହୋଇଥାଏ । ତେଣୁ ଏହି ମ୍ୟାଚ୍ ଅମିମାଂସିତ ରହିଛି ।
ଏହି ଗସ୍ତରେ ଭାରତୀୟ ଦଳର ସିନିୟରଙ୍କୁ ବିଶ୍ରାମ ଦିଆ ଯାଇଥିବା ବେଳେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି ବିସିସିଆଇ।