ନୂଆ ଇତିହାସ : ବର୍ଷା ଯୋଗୁଁ ସିଡନୀ ଟେଷ୍ଟ ଡ୍ର, ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ଟେଷ୍ଟ ସିରିଜ୍ ଜିତିଲା ଭାରତ

ସିଡ୍ନୀ(କେନ୍ୟୁଜ୍) : ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଐତିହାସିକ ଶୃଙ୍ଖଳା ବିଜୟ। ୭୦ ବର୍ଷ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିଲା ବିରାଟ୍ ବ୍ରିଗେଡ୍ । ସିଡନିରେ ଖେଳାଯାଉଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚକୁ ବର୍ଷା କାରଣରୁ ଡ୍ର ଘୋଷଣା କରାଯାଇଥିଲା । ଡ୍ର ଘୋଷଣା କରାଯିବା ପରେ ଭାରତ ୨-୧ରେ ସିରିଜ୍କୁ କବ୍ଜା କରିଥିଲା । ପ୍ରଥମରୁ ଟିମ ଇଣ୍ଡିଆ ଆଡିଲେଡ୍ ଟେଷ୍ଟକୁ ୩୧ ରନରେ ଜିତିଥିଲା । ପରେ ପର୍ଥରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟକୁ ଅଷ୍ଟ୍ରେଲିଆ ୧୪୬ ରନରେ ନିଜ ଅକ୍ତିଆରକୁ ଆଣିଥିଲା । ହେଲେ ମେଲବର୍ଣ୍ଣ ତୃତୀୟ ଟେଷ୍ଟରେ ଭାରତ ପୁଣି କମବ୍ୟାକ୍ କରିଥିଲା ମ୍ୟାଚକୁ ୧୩୭ ରନରେ ଜିତିଥିଲା । ଯାହା ଶେଷରେ ନିର୍ଣ୍ଣାୟକ ରୂପ ନେଇ ଟିମକୁ ବିଜୟ ଦ୍ୱାର ଦେଶରେ ପହଞ୍ଚାଇଦେଇଥିଲା ।
ଟେଷ୍ଟ ସିରିଜ୍ରେ ପୂଜାରା ସର୍ବାଧିକ ୫୨୧ ରନ୍ କରି ମ୍ୟାନ ଅଫ୍ ଦ ସିରିଜ ଓ ମ୍ୟାନ ଅଫ ଦ ମ୍ୟାଚ୍ ହୋଇଛନ୍ତି । ଖାସ କରି କ୍ୟାପଟେନ୍ ବିରାଟଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି କୁହା।ଯାଉଛି । କାରଣ ଏହାପୂର୍ବରୁ କୌଣସି ଭାରତୀୟ ଅଧିନାୟକ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜାତିବାର ସ୍ୱାଦ ଚାଖିନାହାନ୍ତି ।
ବିଦେଶ ମାଟିରେ ୧୯ତମ ଟେଷ୍ଟ ସିରିଜ୍ ବିଜୟ
୧୯୪୭-୪୮ରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ ସିରିଜ୍ ଖେଳିଥିଲା । ଏପର୍ଯ୍ୟନ୍ତ ସେଠାରେ ମୋଟ୍ ୧୨ଟି ଟେଷ୍ଟ ସରିଜ୍ ଖେଳିଛି । ଏଥିରୁ ଭାରତ ୮ଟିରେ ପରାତ ହୋଇଥିବା ବେଳେ ୩ଟି ସିରିଜ୍ ଡ୍ର ରଖିଛି ।
ଅନ୍ୟପକ୍ଷରେ ବିଦେଶରେ ଭାରତୀୟ ଦଳର ଏହା ହେଉଛି ୧୯ତମ ଟେଷ୍ଟ ସିରିଜ୍ ବିଜୟ । ବିଦେଶ ମାଟିରେ ମୋଟ୍ ୮୨ଟି ଟେଷ୍ଟ ସିରିଜ୍ ଖେଳି ଭାରତ ୧୯ଟିରେ ବିଜୟୀ ହୋଇଥିବା ବେଳେ ୪୮ଟିରେ ପରାଜିତ ହୋଇଛି । ୧୫ଟି ଟେଷ୍ଟ ସିରିଜ୍ ଡ୍ର ରଖିଛି ।