Below header

ଦ୍ୱିତୀୟ ଦିନିକିଆରେ ୬ ଓ୍ଵକେଟ୍‌ରେ ଜିତିଲା ଭାରତ, ସିରିଜ୍‌ ୧-୧

ଆଡିଲେଡ୍‌ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଶତକ ନମ୍ବର ୩୯ । ଆଉ ଦ୍ୱିତୀୟ ଦିନିକିଆକୁ ଜିତିଗଲା ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇ ତିନି ମ୍ୟାଚ୍‌ ସିରିଜ୍‌ରେ ୧-୧ ସ୍ଥିତିକୁ ଆସିଛି ଭାରତୀୟ ଦଳ ।
୨୯୯ ରନ୍‌ର ପିଛା କରିଥିବା ଭାରତ ପ୍ରଥମେ ଦୁଇ ଓପ୍ନରଙ୍କ ଠାରୁ ଏକ ଭଲ ମୂଳଦୁଆ ପାଇଥିଲା । ରୋହିତ ଶର୍ମା (୪୩) ଓ ଶିଖର ଧବନ (୩୨) କରିବା ସହ ମାତ୍ର ୮ ଓଭର ଭିତରେ ପ୍ରଥମ ଓ୍ଵିକେଟ୍‌ରେ ୪୭ ରନ୍‌ ଯୋଡ଼ିଥିଲେ । ଧବନ୍‌ ଆଉଟ୍‌ ହେବା ପରେ କୋହଲି ନିଜ କାନ୍ଧରେ ନେଇଥିଲେ ପୂରା ଭାର । ପ୍ରଥମେ ରାୟୁଡୁ (୨୪) ଏବଂ ପରେ ଧୋନିଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ୨୪୨ ରନ୍‌ରେ ପହଞ୍ଚାଇବା ପରେ ଆଉଟ୍‌ ହୋଇଥିଲେ । ରୋହିତ, ରାୟୁଡୁ ଓ ଧୋନିଙ୍କ ସହିତ ସେ ତିନିଟି ଅର୍ଦ୍ଧଶତକ ଭାଗିଦାରୀ କରିଥିଲେ । ଯାହା ଦଳର ବିଜୟ ପାଇଁ ଖୁବ୍‌ ଉପଯୋଗୀ ହୋଇଥିଲା । ଏହାପରେ ଧୋନି ଓ ଦୀନେଶ କାର୍ତ୍ତିକ ପଞ୍ଚମ ଓ୍ଵିକେଟ୍‌ରେ ୫୭ ରନ୍‌ ସଂଗ୍ରହ କରିଥିଲେ ।
ରନ୍‌ ସଂଗ୍ରହ କରି ଦଳକୁ ଜିତାଇ ଦେଇଥିଲେ । ସେମାନେ ଅଯଥାରେ ଆକ୍ରମଣାତ୍ମକ ବ୍ୟାଟିଂ ନକରି ସିଙ୍ଗଲ ଓ ଡବଲ୍‌ ରନ୍‌ ନେଇ ଟିମ୍‌କୁ ଲକ୍ଷ୍ୟରେ ପହଞ୍ଚାଇ ଦେଇଥିଲେ । ଶେଷ ଓଭରରେ ଜିତିବା ପାଇଁ ୭ ରନ୍‌ ଦରକାର ହେଉଥିଲା । ଧୋନି ଶେଷ ଓଭର୍‌ର ପ୍ରଥମ ବଲ୍‌ରେ ଛକା ଓ ଦ୍ୱିତୀୟ ବଲ୍‌ରେ ଗୋଟିଏ ରନ୍‌ ଦଳକୁ ଜିତାଇଥିଲେ । ଧୋନି ୫୬ ଏବଂ କାର୍ତ୍ତିକ ୨୫ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ମ୍ୟାଚ୍‌ ଫିନିସର୍‌ ଧୋନିଙ୍କର ଏହା ହେଉଛି ୬୮ତମ ଦିନିକିଆ ଅର୍ଦ୍ଧଶତକ । ସେ ୫୪ ବଲ୍‌ ଖେଳି ୨ଟି ଛକା ମାରିଥିଲେ ।

DHONI

କୋହଲି ଯାହା କଲେ ବି ରେକର୍ଡ଼

ଟାର୍ଗେଟ୍‌ର ପିଛା କରୁଥିବା ଦଳ ପକ୍ଷରୁ ସର୍ବାଧିକ ଶତକ କରିଛନ୍ତି କୋହଲି । ସେ ସର୍ବାଧିକ ୨୪ଟି ଶତକ କରିଥିବା ବେଳେ ତାଙ୍କ ପଛକୁ ଅଛନ୍ତି ସଚିନ୍‌ ତେନ୍ଦୁଲକର (୧୯) ଏବଂ େଓ୍ଵଷ୍ଟଇଣ୍ଡିଜ୍‌ର କ୍ରସ୍‌ ଗେଲ୍‌ ଓ ଶ୍ରୀଲଙ୍କାର ତିଳକରତ୍ନେ ଦିଲସାନ (୧୧ଟି ଲେଖାଏଁ) ।
ଆଡିଲେଡ୍‌ ଗ୍ରାଉଣ୍ଡରେ ଏହା ହେଉଛି କୋହଲିଙ୍କ ପଞ୍ଚମ ଶତକ । ସେ ଟେଷ୍ଟରେ ୩ଟି ଏବଂ ଦିନିକିଆରେ ୨ଟି ଶତକ କରିଛନ୍ତି । ଆଜି କୋହଲି ୧୧୨ ବଲ୍‌ରେ ୧୦୪ ରନ୍‌ କରି ପୁଣି ରିଚାର୍ଡସନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଏହି ଦମଦାର ଇନିଂସ୍‌ ଭିତରେ ଥିଲା ୫ଟି ଚୌକା ଓ ୨ଟି ଛକା ।
ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ମେଲବର୍ଣ୍ଣ ଠାରେ ୧୮ ତାରିଖ ଦିନ ଖେଳାଯିବ ।

ସ୍କୋର : ଅଷ୍ଟ୍ରେଲିଆ-୨୯୮/୯, ୫୦ ଓଭର (କ୍ୟାରୀ ୧୮, ଖ୍ଵାଜା ୨୧, ମାର୍ଶ ୧୩୧, ହାଣ୍ଡସ୍କମ୍ବ ୨୦, ଷ୍ଟୋଇନିକ୍ସ ୨୯, ମାକ୍ସେଓ୍ଵଲ ୪୮, ଲାୟନ୍‌ ଅପରାଜିତ ୧୨ । ଭୁବନେଶ୍ୱର କୁମାର ୧୦-୦-୪୫-୪, ମହମ୍ମଦ ସାମି ୧୦-୦-୫୮୩) ।
ଭାରତ : ୨୯୯/୪, ୪୯.୨ ଓଭର (ରୋହିତ ଶର୍ମା ୪୩, ଶିଖର ଧବନ୍‌ ୩୨, କୋହଲି ୧୦୪, ରାୟୁଡୁ ୨୪, ଧୋନି ଅପରାଜିତ ୫୫, କାର୍ତ୍ତିକ ଅପରାଜିତ ୨୫) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.