ଧୱନ ଦେଖାଇଲେ ଟିମ୍ ଇଣ୍ଡିଆର ନୂଆ ଜର୍ସି, ଅଷ୍ଟ୍ରେଲିଆ ସିରିଜରେ ଏହାକୁ ପିନ୍ଧିବ ଇଣ୍ଡିଆ ଟିମ୍

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଠିକ୍ ପୂର୍ବରୁ ଭାରତୀୟ ଦଳକୁ ନୂତନ ଜର୍ସି ମିଳି ଯାଇଛି। ଅଷ୍ଟ୍ରେଲିଆ ସିରିଜରେ ଟିମ୍ ଇଣ୍ଡିଆ ଏହି ନୂଆ ଜର୍ସି ପିନ୍ଧିବ। ଦଳର ଓପନର ଶିଖର ଧଓ୍ଵନ ଟ୍ଵିଟ୍ ରେ ନୂତନ ଜର୍ସି ସହ ଫଟୋ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ନୂତନ ଜର୍ସି, ନୂତନ ଉତ୍ସାହ, ଆମେ ପ୍ରସ୍ତୁତ…। ଏହି ଜର୍ସି ଠିକ୍ ସେହିପରି ରହିଛି ଯାହା ୮୦ ଦଶକରେ ଭାରତୀୟ ଦଳ ପିନ୍ଧୁଥିଲେ।

ଭାରତୀୟ ଦଳ ଏହି ନୂତନ ଜର୍ସି ପିନ୍ଧି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ପଡିଆକୁ ଓହ୍ଲାଇବ। ଭାରତୀୟ ଦଳର ଜର୍ସିର ରଙ୍ଗ ନେଭି ବ୍ଲୁ ଏବଂ ଏହାର ଟ୍ରାଉଜର ବି ସମାନ ରଙ୍ଗର ରହିଛି। ଦଳ ଏହି ଜର୍ସିକୁ ୮୦ ଦଶକରେ ପିନ୍ଧୁଥିଲା। ୧୯୯୨ ବିଶ୍ଵକପରେ ମଧ୍ୟ ଭାରତୀୟ ଦଳ ଏହି ଧରଣର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲା।

ଭାରତୀୟ ଦଳକୁ ନୂତନ କିଟ୍ ପ୍ରାୟୋଜକ ନିକଟରେ ମିଳିଛି। ଟିମ୍ ଇଣ୍ଡିଆର କିଟ୍ ପ୍ରାୟୋଜକ ଏବେ ଅନଲାଇନ୍ ଗେମ୍ କମ୍ପାନୀ ଏମପିଏଲ ରହିଛି। କମ୍ପାନୀର ଲୋଗୋ ଖେଳାଳିଙ୍କ ଜର୍ସିରେ ମଧ୍ୟ ରହିଛି। ବିସିସିଆଇ ଏମପିଏଲ ସ୍ପୋଟର୍ସ ସହିତ ତିନି ବର୍ଷର କଣ୍ଟ୍ରାକ୍ଟ କରିଛି। ଯାହା ନଭେମ୍ବର ୨୦୨୦ରୁ ଡିସେମ୍ବର ୨୦୨୩ ପର୍ଯ୍ଯନ୍ତ ରହିବ।

ସୂଚନାଯୋଗ୍ଯ, ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ନଭେମ୍ଵର ୨୭ରେ ଖେଳାଯିବ। ଦ୍ଵିତୀୟ ଦିନିକିଆ ନଭେମ୍ଵର ୨୯ ଓ ତୃତୀୟ ଦିନିକିଆ ଡିସେମ୍ବର ୨ରେ ଖେଳାଯିବ। ଏହା ପରେ ଡିସେମ୍ବର ୪ରୁ ପ୍ରଥମ ଟି-୨୦, ଡିସେମ୍ବର ୬ରେ ଦ୍ଵିତୀୟ ଓ ଡିସେମ୍ବର ୮ରେ ତୃତୀୟ ଟି-୨୦ ଖେଳାଯିବ। ଡିସେମ୍ଵର ୧୭ରୁ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ।

You might also like