ହକି ବିଶ୍ୱକପ୍ ଅଭିଯାନରେ ଭାରତ: ଜାଣନ୍ତୁ ଏପର୍ଯ୍ୟନ୍ତ କେମିତି ରହିଛି ପ୍ରଦର୍ଶନ

୨୮ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଚାଡିୟମରେ ହକି ବିଶ୍ୱକପ୍ । ଟାଇଟଲ ଲଢ଼େଇକୁ ଓହ୍ଲାଇବେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦେଶ । ଆୟୋଜକ ଦେଶ ଭାବରେ ଘରୋଇ ପରିବେଶରେ ବିଶ୍ୱବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଗତ କିଛି ସିରିଜର ସଫଳତାରୁ ଲାଗୁଛି ଚଳିତ ସଂସ୍କରଣରେ ଭାରତ ଭଲ କରି ଦେଖାଇବାର ଦମ୍ଭ ରଖିଛି । ପ୍ରଦର୍ଶ Aନରେ ଢେର ଉନ୍ନତି ଆସିଛି । ଭାରତ ଏହାରି ଭିତରେ ୧୩ଥର ହକି ବିଶ୍ୱକପକୁ ଓହ୍ଲାଇଛି । କିନ୍ତୁ ଥରେ ମାତ୍ର ୧୯୭୫ରେ ବିଶ୍ୱବିଜେତା ହେବାର ଗୌରବ ଅର୍ଜନ କରିଛି । ତାପରଠୁ କେବଳ ଝୁଣ୍ଟିଛି ।

ହରେନ୍ଦ୍ରଙ୍କ ମାଷ୍ଟରପ୍ଲାନ୍

ମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ପ୍ରଥମ ମୁକାବିଲା ରହିଛି ବିଶ୍ୱର ୧୫ ନମ୍ବର ମାନ୍ୟତା ପ୍ରାପ୍ତ ଦକ୍ଷିଣ ଆଫ୍ରିକା ସହ । ପରେ ବିଶ୍ୱ ରାଙ୍କିଙ୍ଗର ୩ ନମ୍ବର ଦଳ ବେଲଜିୟମ୍ ଓ ୧୧ ନମ୍ବର ମାନ୍ୟତା ପ୍ରାପ୍ତ କାନାଡ଼ାକୁ ଭେଟିବ ଭାରତ ।

HARENDRA

ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲ୍ ରାସ୍ତା ସଫା କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଦେଶୀ କୋଚ୍ ହରେନ୍ଦ୍ର ସିଂଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । ଢେର ଆଗରୁ ଭୁବନେଶ୍ୱର ପାଣିପାଗ ଓ କଳିଙ୍ଗ ଷ୍ଟାଡିୟମ ହକି ଟର୍ଫରେ ଝାଳବୁହା ଅଭ୍ୟାସ କରିଛନ୍ତି ଖେଳାଳି । ଏହାର ଫାଇଦା ମିଳିବ ବୋଲି କୋଚ୍ ଓ ଖେଳାଳି ଆଶା ରଖିଛନ୍ତି । ସେହିପରି ଦଳରେ ଅଛନ୍ତି ଜୁନିଅର୍ ବିଶ୍ୱକପ୍ ବିଜେତା ଟିମ୍‌ର ସାତ ଜଣ ସଦସ୍ୟ । ଦୁଇ ବର୍ଷ ତଳେ ଭାରତ ଜୁନିଅର ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିଲା । କୋଚ୍ ହରେନ୍ଦ୍ର ସିଂଙ୍କ ତତ୍ତ୍ୱାବଧାନରେ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା ଜୁନିଅର୍ ଟିମ୍ । ସେତେବେଳର ପ୍ଲେଇଂ ସ୍କ୍ୱାର୍ଡରେ ଥିବା ଖେଳାଳି ଏବେ ସିନିଅର୍ ଟିମରେ ଅଛନ୍ତି । ପ୍ରତିପକ୍ଷଙ୍କୁ ଚେକମେଟ୍ ଦେବାକୁ ପୂରା ପ୍ରସ୍ତୁତ ।

ଚାମ୍ପିଅନ୍ ଭଳି ଖେଳିବାକୁ ପଡ଼ିବ

ଭାରତ କେବଳ ଥରେ ହକି ବିଶ୍ୱବିଜେତା ହେବାର ସୌଭାଗ୍ୟ ପାଇଛି । ପୂର୍ବତନ ଅଧିନାୟକ ଅଜିତପାଲ ସିଂ ୧୯୭୫ରେ ଦଳକୁ ପ୍ରଥମ ଓ ଶେଷ ଥର ପାଇଁ ବିଶ୍ୱ ଚାମ୍ପିଅନ୍ କରାଇଥିଲେ । ୮ ଥର ଅଲିମ୍ପିକ୍ସ ଚାମ୍ପିଅନ୍ ଭାରତ ୧୯୭୩ ବିଶ୍ୱକପରେ ରୌପ୍ୟ ଓ ୧୯୭୧ରେ ବ୍ରୋଞ୍ଜ ମେଡାଲ୍ ଜିତିଥିଲା । ଚଳିତ ବର୍ଷ ଭାରତକୁ ଚାମ୍ପିଅନ୍ ଭଳି ଖେଳିବାକୁ ପଡ଼ିବ । ଏହି ପରାମର୍ଶ ଦେଇଛନ୍ତି ପୂର୍ବତନ ବିଶ୍ୱବିଜୟୀ କ୍ୟାପଟେନ୍ ଅଜିତପାଲ ସିଂ । ସେହିପରି କୌଣସି ଟିମକୁ ହାଲୁକା ଭାବରେ ନେବା ଉଚିତ ନୁହେଁ ଏବଂ ଆକ୍ରମଣାତ୍ମକ ହକି ଖେଳିବା ପାଇଁ ମନପ୍ରୀତ ସିଂ ଏଣ୍ଡ କମ୍ପାନୀକୁ ପରାମର୍ଶ ଦେଇଛନ୍ତି ୧୯୮୦ଅଲିମ୍ପିକ୍ସ ପଦକ ବିଜେତା ଭାରତୀୟ ଟିମ୍ ସଦସ୍ୟ ଜାଫର ଇକବାଲ ।

manpreetsingh

ଚକ୍ ଦେ ଇଣ୍ଡିଆ

୧୯୭୫ ବିଶ୍ୱକପ୍‌ ପରେ ୧୯୮୦ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା । ତାପରଠୁ ତିନି ଦଶନ୍ଧି ଧରି ଦଳର ପ୍ରଦର୍ଶନରେ ଅବନତି ଘଟିଛି । ଅଲିମ୍ପିକ୍ସ କିମ୍ବା ବିଶ୍ୱକପରେ ଗୋଟିଏ ବି ପଦକ ଜିତି ପାରିନି । ୨୦୦୧ ଚାମ୍ପିଅନ୍ସ ଟ୍ରଫିରେ ପ୍ରଥମ ଥର ଭାରତ ଖାତାକୁ ଆସିଥିଲା ରୌପ୍ୟ ପଦକ । ଚଳିତ ବର୍ଷ ଜାକର୍ତ୍ତାରେ ଶେଷ ହୋଇଥିବା ଏସିଆନ୍ ଗେମ୍ସରେ ପାକିସ୍ତାନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା । ସେମିଫାଇନାଲରେ ମାଲେସିଆଠାରୁ ହାରିଥିଲା ଭାରତ । ଏହି ପରାଜୟ ସହ ୨୦୨୦ ଟୋକିଓ ଅଲିମ୍ପିକ୍ସ ଏଣ୍ଟ୍ରିରେ ବ୍ରେକ୍ ଲାଗିଗଲା । କିନ୍ତୁ ଗତ ଚାମ୍ପିଅନ୍ସ ଟ୍ରଫି ହକିରେ ଯୁଗ୍ମ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ । ଏବେ ବିଶ୍ୱକପ ଅଭିଯାନରେ ବାହାରିଛି । ହୋମ୍ ଗ୍ରାଉଣ୍ଡରେ ଦର୍ଶକଙ୍କ ସମର୍ଥନ ଓ ସୁହାଇଲା ଭଳି ପରିବେଶରେ ଚାମ୍ପିଅନ୍ ହେବା ଲକ୍ଷ୍ୟରେ ଖେଳାଳି । ହକିଫ୍ୟାନଙ୍କ ମୁହଁରେ ଗୋଟିଏ କଥା, ଚକ୍ ଦେ ଇଣ୍ଡିଆ ।

ଭାରତର ବିଶ୍ୱକପ୍ ରେକର୍ଡ

ବିଶ୍ୱକପ୍ ଖେଳିଛି- ୧୩ଟି
ସର୍ବଶ୍ରେଷ୍ଠ ପ୍ରଦର୍ଶନ- ୧୯୭୫ରେ ଚାମ୍ପିଅନ୍
ପଦକ- ୩ (୧୯୭୧ରେ ବ୍ରୋଞ୍ଜ, ୧୯୭୩ରେ ରୌପ୍ୟ, ୧୯୭୫ରେ ସ୍ୱର୍ଣ୍ଣ)
ସବୁଠୁ ଖରାପ ପ୍ରଦର୍ଶନ- ଦ୍ୱାଦଶ ସ୍ଥାନ (୧୯୮୬ ବିଶ୍ୱକପ୍)
ଗୋଟିଏ ବିଶ୍ୱକପରେ ସବୁଠୁ ଅଧିକ ବିଜୟ- ୫-୫ରେ ବିଜୟୀ (୧୯୭୧, ୧୯୭୫, ୧୯୮୨)
ଗୋଟିଏ ବିଶ୍ୱକପରେ ଅଧିକ ଗୋଲ୍ ଦେଇଛନ୍ତି- ୨୯ଟି ଗୋଲ୍ (୧୯୮୨)
ଗୋଟିଏ ବିଶ୍ୱକପରେ ଅଧିକ ଗୋଲ୍ ଖାଇଛନ୍ତି- ୨୧ଟି ଗୋଲ୍ (୨୦୧୦)
ଭାରତରେ ବିଶ୍ୱକପ୍- ୨ଟି (୧୯୮୨-ମୁମ୍ବାଇ, ୨୦୧୦-ଦିଲ୍ଲୀ)
ଭାରତରେ ଶ୍ରେଷ୍ଠ ପ୍ରଦର୍ଶନ- ପଞ୍ଚମ ସ୍ଥାନ (୧୯୮୨ ମୁମ୍ବାଇ ବିଶ୍ୱକପ୍)
ବିଦେଶରେ ଶ୍ରେଷ୍ଠ ପ୍ରଦର୍ଶନ- କୁଆଲାଲମ୍ପୁରରେ ୧୯୭୫ ବିଶ୍ୱକପ୍ ବିଜୟୀ
ବିଶ୍ୱକପରେ ଖେଳିଛି- ମୋଟ୍ ୯୧ ମ୍ୟାଚ୍, ବିଜୟୀ- ୩୮ଟି ମ୍ୟାଚ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.