Below header

୩୩ ବର୍ଷରେ ପାଦ ଦେଲେ ହିଟମ୍ୟାନ, ଯାହାଙ୍କ କାନ୍ଧ ଉପରେ ଛୋଟ ବେଳରୁ ଥିଲା ପରିବାରର ବୋଝ

ଭାରତୀୟ କ୍ରିକେଟ ଦଳରେ ହିଟ ମ୍ୟାନ ଭାବେ ପରିଚିତ ରୋହିତ ଶର୍ମାଙ୍କ ଆଜି ୩୩ତମ ଜନ୍ମ ଦିବସ । ଭାରତୀୟ ଦଳର ଜଣେ ଆଗ ଧାଡ଼ିର ବ୍ୟାଟ୍ସମ୍ୟାନ ରୋହିତ ହେଉଛନ୍ତି ହାଇଦରାବାଦର ମୂଳ ବାସିନ୍ଦା । କିନ୍ତୁ ତାଙ୍କ ଜନ୍ମ ୧୯୮୭ ମସିହା ଆଜିର ଦିନରେ ମହାରାଷ୍ଟ୍ରର ନାଗପୁର ସହରରେ ହୋଇଥିଲା । ମୁମ୍ବାଇରେ କୋଚ ଦୀନେଶ ଲାଡଙ୍କ ଠାରୁ କ୍ରିକେଟ ଖେଳିବା ଶିଖିଥିଲେ । ମ୍ୟାଗିମ୍ୟାନରୁ ହିଟମ୍ୟାନ ହେବାର ରାସ୍ତା ଏତେଟା ସହଜ ନଥିଲା | ପିଲାଦିନରୁ ହିଁ ଅନେକ କଠିନତାର ସାମ୍ନା କରିବାକୁ ପଡିଥିଲା ତାଙ୍କୁ । ରଣଜୀ ମ୍ୟାଚ ଖେଳୁଥିବା ସମୟରେ ପିତାଙ୍କ ଚାକିରୀ ଚାଲି ଯିବାରୁ ପରିବାରର ଖର୍ଚ ତାଙ୍କୁ ହିଁ ଉଠାଇବାକୁ ପଡିଥିଲା ।

rohit

ସେ ସମୟରେ ଇଣ୍ଡିଆନ ଅଏଲରେ ଚାକିରୀ କରିବା ସହିତ ରଣଜୀ ଟ୍ରଫି ମ୍ୟାଚ ମଧ୍ୟ ଖେଳୁଥିଲେ । ହୁଏତ ଖୁବ କମ ଲୋକ ଜାଣିଥିବେ କି, ରୋହିତଙ୍କ ମା’ ତାଙ୍କୁ ଜଣେ କ୍ରିକେଟର ଭାବେ ଦେଖିବାକୁ ଚାହୁଁନଥିଲେ । ସେ ଚାହୁଁଥିଲେ ପୁଅ ପାଠ ପଢି ଜଣେ ବଡ ମଣିଷ ହେଉ ବୋଲି ।କିନ୍ତୁ ରୋହିତ ମା’ ଙ୍କ କଥା ନ ମାନି କ୍ରିକେଟ ଖେଳକୁ ସାଥି କରିଥିଲେ । ୨୦୧୯ ମସିହା ବିଶ୍ୱକପ ଖୁବ ଲକି ସାବ୍ୟସ୍ତ ହୋଇଥିଲା ଏହି ରୋହିତଙ୍କ ପାଇଁ । ରୋହିତ ହେଉଛନ୍ତି ଇତିହାସର ଏମିତି ଜଣେ ବ୍ୟାଟ୍ସମ୍ୟାନ ଯିଏ ଏହି ଟୁର୍ନାମେଣ୍ଟର ଗୋଟିଏ ମାତ୍ର ଏଡିସନରେ ପାଞ୍ଚ ପାଞ୍ଚଟି ଶତକ ହାସଲ କରିଛନ୍ତି ।

rohit

ନିଜ ନାଁରେ ଏମିତି ଏକ ନିଆରା ମାଇଲ ଖୁଣ୍ଟ ସ୍ଥାପନ କରିଥିବା ବେଳେ ନିଜ କ୍ୟାରିୟରରେ କିନ୍ତୁ ଖୁବ ବିଫଳତାର ସ୍ୱାଦ ଚାଖିବାକୁ ପଡିଛି ଏହି ହିଟ ମ୍ୟାନଙ୍କୁ । ୨୦୦୭ ମସିହାରେ ଟି-20 ବିଶ୍ୱକପରେ ନିଜ ପାଇଁ ଏକ ଅଲଗା ପରିଚୟ ସୃଷ୍ଟି କରିଥିଲେ ମଧ୍ୟ ୨୦୧୧ ବିଶ୍ୱକପ ଦଳରେ ତାଙ୍କୁ ସାମିଲ କରାଯାଇନଥିଲା । ଆଇପିଏଲରେ ମୁମ୍ବାଇ ଇଂଡିଆନ୍ସର କ୍ୟାପଟେନସିପରେ ଦଳକୁ ଚାରି ଚାରି ଥର ଚମ୍ପିୟାନ କରାଇଛନ୍ତି ସେ । ୧୦୮ଟି ଏକଦିବସୀୟ ମ୍ୟାଚ ଖେଳିସାରିବା ପରେ ୨୬ ବର୍ଷ ବୟସରେ ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟରେ ଖେଳିବାର ମଉକା ପାଇବା ସହ ନିଜ ଡେବ୍ୟୁ ଟେଷ୍ଟରେ ହିଁ ସେ ଶତକ ହାସଲ କରିଥିଲେ ।

ବୀରେନ୍ଦ୍ର ସେହୱାଗଙ୍କ ସାଥି ଛାଡିବା ପରେ ଶିଖର ଧାୱନଙ୍କ ଯୋଡିଦାର ହୋଇ ପୁଣି ଥରେ ସଫଳତା ସାଉଁଟିଥିଲେ ରୋହିତ ।
ଏମିତି ଏକ ସମୟ ଥିଲା, ଯେବେ ରୋହିତଙ୍କୁ ଖୁବ ଅସଫଳତାର ସାମ୍ନା କରିବାକୁ ପଡିଥିଲା । ଲାଗୁଥିଲା ଯେମିତି ରୋହିତଙ୍କ କ୍ୟାରିୟର ଏହିଠାରେ ହିଁ ଅଟକି ଯିବ । କିନ୍ତୁ ପରେ ତାଙ୍କ କାହାଣୀ କିଛିଟା ଅଲଗା ରୂପ ନେଇ ଥିଲା । ରୋହିତଙ୍କ କ୍ରିକେଟ କ୍ୟାରିୟରରେ ପରିବର୍ତ୍ତନ ଆସିଲା । ଅପେକ୍ଷାର ଫଳ ଯେ ମିଠା ହୋଇଥାଏ, ଏହା ରୋହିତଙ୍କ କ୍ୟାରିୟର ଉପରେ ଥରେ ନଜର ପକାଇଲେ ନିଶ୍ଚିତ ରୂପେ ସ୍ପଷ୍ଟ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.