ସୁନୀଲ ଗାଭାସ୍କରଙ୍କ ମା’ ମୀନଲ ଗାଭାସ୍କରଙ୍କ ପରଲୋକ; ୯୫ ବର୍ଷ ବୟସରେ ନେଲେ ଶେଷ ନିଃଶ୍ୱାସ

କ୍ରିକେଟ ଜଗତର ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କର ମା’ ମୀନଲ ଗାଭାସ୍କରଙ୍କ ପରଲୋକ ଘଟିଛି। ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ମୀନଲ ବୟସାଧିକ ରୋଗରେ ପୀଡ଼ିତ ଥିଲେ। ସୁନୀଲ ଶେଷ ସମୟରେ ମା’ଙ୍କ ସହିତ ନ ଥିଲେ। କାରଣ, ସେ ବାଂଲାଦେଶ ଗସ୍ତରେ ଅଛନ୍ତି, ଯେଉଁଠି ତାଙ୍କୁ କମେଣ୍ଟ୍ରି କରିବାର ଦାୟିତ୍ୱ ମିଳିଛି।

ମୀନଲ ଗାଭାସ୍କର ଭାରତର ପୂର୍ବତନ ଓ୍ଵିକେଟ୍‌ କିପର ମାଧବ ମନ୍ତ୍ରୀଙ୍କର ନିଜ ଭଉଣୀ। ସେ ୩ ସନ୍ତାନ ସୁନୀଲ (ପୁଅ), ନୂତନ (ଝିଅ) ଓ କବିତା (ଝିଅ)ଙ୍କର ମା’ ଥିଲେ। କହି ରଖୁଛୁ, ମୀନଲ ଗତ ୧ ବର୍ଷ ହେବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ଜୁଝି ହେଉଥିଲେ।

୨୦୨୨ର ଆଇପିଏଲ୍‌ ସିଜନ ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗାଭାସ୍କର ସେହି ସମୟରେ ଆଇପିଏଲ୍‌ରେ କମେଣ୍ଟ୍ରି କରୁଥିଲେ। କିନ୍ତୁ ଏଭଳି ସ୍ଥିତିରେ ସେ ନିଜ ରୋଗିଣା ମା’କୁ ଦେଖିବା ପାଇଁ ବାୟୋ-ବବଲ୍‌ ଛାଡ଼ି ବାହାରକୁ ଆସିଥିଲେ। ଏହି କାରଣରୁ ଗାଭାସ୍କର ଆଇପିଏଲ୍‌ ୨୦୨୨ର ପ୍ଲେଅଫ୍‌ ମ୍ୟାଚ୍‌ଗୁଡ଼ିକରେ କମେଣ୍ଟ୍ରି କରିପାରି ନ ଥିଲେ।

ସୁନୀଲ ଗାଭାସ୍କରଙ୍କୁ କ୍ରିକେଟରେ କ୍ୟାରିୟର ଦେବାରେ ବାପା ମନୋହର ଗାଭାସ୍କରଙ୍କ ସହ ମା’ ମୀନଲଙ୍କର ବି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା। ସୁନୀଲ ଗାଭାସ୍କର ପିଲାଦିନେ ଟେନିସ୍‌ ବଲ୍‌ରେ ଖେଳୁଥିଲେ ଏବଂ ମା’ ତାଙ୍କୁ ବଲ୍‌ ଫିଙ୍ଗୁଥିଲେ। ଦିନେ ଟେନିସ୍‌ ବଲ୍‌ ଗାଭାସ୍କରଙ୍କ ମା’ଙ୍କ ନାକରେ ବାଜିଥିଲା, ଯାହାଫଳରେ ନାକ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେହି ସମୟରେ ଗାଭାସ୍କର ଡରି ଯାଇଥିଲେ। ହେଲେ ତାଙ୍କ ମା’ ନାକରୁ ରକ୍ତ ପୋଛି ପୁଣି ପୁଅକୁ ବଲ୍‌ ଫିଙ୍ଗିବା ଜାରି ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.