ବିରାଟ-ଅନୁଷ୍କାଙ୍କ ଝିଅକୁ ଧମକ ଦେଇଥିବା ବ୍ୟକ୍ତି ହାଇଦ୍ରାବାଦରୁ ଗିରଫ, ଅଭିଯୁକ୍ତ ସଫ୍ଟୱେୟାର ଇଞ୍ଜିନିୟର

ଭାରତୀୟ କ୍ରିକେଟ ଟିମ୍ର ମହାନ ଖେଳାଳି ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଝିଅକୁ ଧମକ ଦେଇଥିବା ବ୍ୟକ୍ତି ମୁମ୍ବାଇ ପୋଲିସ ହାତରେ ଧରା ପଡ଼ିଛି। ମୁମ୍ବାଇ ପୋଲିସର ସାଇବର ସେଲ୍ ତାଙ୍କୁ ହ୍ରାଇଦାବାଦରୁ ଗିରଫ କରିଛି। ଏବେ ପୋଲିସ ଟିମ୍ ଅଭିଯୁକ୍ତଙ୍କୁ ଧରି ମୁମ୍ବାଇ ଫେରୁଛି। ସୂଚନା ମୁତାବକ, ଗିରଫ ଅଭିଯୁକ୍ତଙ୍କ ନାଁ ରାମନାଗେଶ ଶ୍ରୀନିବାସ ଅକୁବାଥିନୀ ବୋଲି ଜଣାପଡ଼ିଛି। ତାଙ୍କ ବୟସ ୨୩ ବର୍ଷ। ଅଭିଯୁକ୍ତ ଜଣକ ହାଇଦ୍ରାବାଦରେ ହିଁ ରୁହନ୍ତି। ପ୍ରଥମେ ସେ ଏକ ଫୁଡ୍ ଡେଲିଭରୀ ଆପ୍ ପାଇଁ ସଫ୍ଟେଓ୍ଵୟାର ବନାଇବା କାମ କରୁଥିଲେ। ଅଭିଯୁକ୍ତ ଜଣେ ସଫ୍ଟେଓ୍ଵୟାର ଇଞ୍ଜିନିୟର। ସେ ଆଇଆଇଟି ହାଇଦ୍ରାବାଦରୁ ବିଟେକ୍ କରିଛନ୍ତି।
କହି ରଖୁଛୁ, ଭାରତ ଟି-୨୦ ବିଶ୍ୱକପ୍ରେ ଲଗାତାର ହାରର ସାମ୍ନା କରିଥିଲା। ପ୍ରଥମେ ପାକିସ୍ତାନ ଓ ପରେ ନ୍ୟୁଜିଲାଣ୍ଡ ଟିମ୍ ଇଣ୍ଡିଆକୁ ହରାଇଥିଲା। ଫ୍ୟାନ୍ମାନଙ୍କର ଇଣ୍ଡିଆ ଟିମ୍ ଉପରେ ଏତେ ରାଗ ଆସି ଯାଇଥିଲା ଯେ କିଛି ଲୋକ ସବୁ ସୀମା ପାର୍ କରି ଦେଇଥିଲେ। ସୋସିଆଲ ମିଡିଆରେ କ୍ୟାପଟେନ କୋହଲିଙ୍କ ପରିବାର, ତାଙ୍କ ଝିଅ ବାମିକାକୁ ନେଇ ନାନା ଧମକ ଦିଆଯାଇଥିଲା ଏବଂ ବିଭିନ୍ନ ଅପଶବ୍ଦ ବି ପ୍ରୟୋଗ କରାଯାଇଥିଲା। ସେହିପରି କ୍ୟାପଟେନ କୋହଲିଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଥିଲା। ଏହି ସମୟରେ ଜଣେ ବ୍ୟକ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଝିଅକୁ ଧମକ ଦେଇଥିଲେ, ଯାହା ଉପରେ ଅନେକ ଲୋକ ଆପତ୍ତି ଉଠାଇଥିଲେ।
ଏତିକି ନୁହେଁ, ପାକିସ୍ତାନର ପୂର୍ବତନ କ୍ୟାପଟେନ ଇଞ୍ଜମାମ୍ ଉଲ୍ ହକ ମଧ୍ୟ ଏହି ଧମକ ଉପରେ ଆପତ୍ତି ଉଠାଇଥିଲେ। ଇଞ୍ଜମାମ୍ କହିଥିଲେ ଯେ ଏହିଭଳି ଭାବେ କାହାର ଝିଅ କିମ୍ବା ପରିବାରକୁ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ଭାବେ ଭୁଲ୍। ଏହା ଖେଳ, ଆଉ ଏଥିରେ ହାର ଜିତ୍ ଲାଗି ରହିଛି। ଖେଳକୁ ନେଇ କେବେ ବି କାହାର ପରିବାର ଉପରେ ଆଙ୍ଗୁଠି ଉଠାଇବା ଆଦୌ ଠିକ୍ ନୁହେଁ। ଗତ କିଛିଦିନ ତଳେ ସାମିଙ୍କ ସହିତ ଏପରି କିଛି ଘଟିଥିଲା। ଏହାକୁ ଖେଳ ମଧ୍ୟରେ ସୀମିତ ରଖନ୍ତୁ, ଆଗକୁ ନିଅନ୍ତୁ ନାହିଁ। ଆପଣମାନେ ଭାରତର ବୋଲିଂ, ବ୍ୟାଟିଂ ଏବଂ ଟିମ୍ ଚୟନକୁ ନେଇ ଆଲୋଚନା କରି ପାରନ୍ତି। କିନ୍ତୁ କାହା ପରିବାରକୁ ନେଇ କିଛି ବି ମନ୍ତବ୍ୟ ଦେବା ହୀନ ମାନସିକତା ବୋଲି ଇଞ୍ଜମାମ୍ କହିଥିଲେ।
ପରେ ଏହି ମାମଲାରେ ଦିଲ୍ଲୀ ମହିଳା ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଆୟୋଗ ଏହି ମାମଲାରେ ନୋଟିସ୍ ଜାରି କରି ପୋଲିସକୁ ପ୍ରଶ୍ନ କରିବା ସହିତ ଏ ପର୍ଯ୍ୟନ୍ତ ନେଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ତଥ୍ୟ ମାଗିଥିଲା। ଏବେ ମୁମ୍ବାଇ ପୋଲିସର ସାଇବର ସେଲ ଅଭିଯୁକ୍ତ ରାମନାଗେଶ ଶ୍ରୀନିବାସ ଅକୁବାଥିନୀଙ୍କୁ ଗିରଫ କରିଛି। ତାଙ୍କୁ ମୁମ୍ବାଇ ଅଣାଯାଇ ପଚରାଉଚରା କରାଯିବ। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।