ସାତ ବର୍ଷ ତଳର ଟୁଇଟ୍‌ ହେଲା ଭାଇରାଲ, ୨୦୧୫ରେ ଜଣେ ଭବିଷ୍ୟବାଣୀ କରିଥିଲେ ଆର୍ଜେଣ୍ଟିନା ଜିତିବା ନେଇ, କେତେ ସତ ?

ସରିଗଲା ଫିଫା ବିଶ୍ୱକପ୍‌ । ଫାଇନାଲ୍‌ରେ ଫ୍ରାନ୍ସକୁ ହରାଇ ଚାମ୍ପିଅନ୍‌ ହୋଇଛି ଲିଓନେଲ ମେସିଙ୍କ ଟିମ୍‌ ଆର୍ଜେଣ୍ଟିନା । ଆଉ ଅନେକ ରେକର୍ଡ଼ ସହ ମେସି ହୋଇଛନ୍ତି ଶ୍ରେଷ୍ଠ ଖେଳାଳି । ତେବେ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଅନେକ କ୍ରୀଡ଼ା ବିଶେଷଜ୍ଞ, ଜ୍ୟୋତିର୍ବିଦ ଏମିତିକି କଇଁଛ, ପକ୍ଷୀ ଏମାନେ ବି ବିଭିନ୍ନ ଭବିଷ୍ୟବାଣୀ କରିଥିଲେ । ଆଉ କଇଁଛର କଥା ସତ ହୋଇଛି । କୁହାଯାଏ କି ସବୁ ବିଶ୍ୱ କପ୍‌ ପୂର୍ବରୁ କଇଁଛ କିଏ ଜିତିବ ବୋଲି ଭବିଷ୍ୟବାଣୀ କରିଥାଏ । ଯାହା ହିସାବ ରହିଛି, ବିଶ୍ୱ କପ୍‌ ଉପରେ କଇଁଛର ଭବିଷ୍ୟବାଣୀ ୯୧ ପ୍ରତିଶତ ସତ ହୋଇଛି ।

ତେବେ ଆଉ ଗୋଟିଏ ଭବିଷ୍ୟବାଣୀ ଏବେ ଜୋର ଚର୍ଚ୍ଚାରେ । ଗତକାଲି ଫାଇନାଲ୍‌ ମ୍ୟାଚ୍‌ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଜଣେ ବ୍ୟକ୍ତି ଗୋଟିଏ ଟୁଇଟ୍‌ କରିଥିଲେ । ଯାହା କ୍ଷଣିକ ମଧ୍ୟରେ ଭାଇରାଲ ହୋଇଗଲା । ସେହି ଟୁଇଟ୍‌ଟି ଥିଲା ୨୦୧୫ ମାର୍ଚ୍ଚ ୩୧ ତାରିଖର । ସେଥିରେ ଲେଖାଥିଲା, ମେସିଙ୍କ ଆର୍ଜେଣ୍ଟିନା ୨୦୨୨ ଡିସେମ୍ବର ୧୮ ତାରିଖରେ ବିଶ୍ୱକପ୍‌ ଜିତିବ । ଆଉ ମେସି ହେବେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ । ଜଣେ ଫୁଟ୍‌ବଲ୍‌ ପ୍ରେମୀ ଯୋଶ ମିଗୁଏଲ୍‌ ପୋଲାନସୋ ଏହି ପୁରୁଣା ଟୁଇଟ୍‌ଟି କରିବା ପରେ ଲକ୍ଷ ଲକ୍ଷ ଲୋକ ତାକୁ ଲାଇକ୍‌ ଓ ସେୟାର କରିଥିଲେ ।

ଆର୍ଜେଣ୍ଟିନା ୨୦୧୪ ବିଶ୍ୱ କପ୍‌ ଫାଇନାଲ୍‌ରେ ଜର୍ମାନୀ ଠାରୁ ହାରି ରନର୍ସଅପ୍‌ ହୋଇଥିଲା । ମେସିଙ୍କ ଟ୍ରଫି ଜିତିବା ସ୍ୱପ୍ନ ଭାଙ୍ଗି ଚୁରମାର ହୋଇ ଯାଇଥିଲା । ତେବେ ଫୁଟ୍‌ବଲ୍‌ ଇତିହାସର ଅନ୍ୟତମ ସର୍ବଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହେଉଥିବା ମେସିଙ୍କ ସ୍ୱପ୍ନ ପୂରଣ ହୋଇଛି ତାଙ୍କର ଅନ୍ତିମ ବିଶ୍ୱକପ୍‌ରେ ।
ତେବେ ଏହି ଟୁଇଟ୍‌୍‌ର ସତ୍ୟତା ନେଇ ଅନେକ ପ୍ରଶ୍ନ ବି ଉଠାଇଛନ୍ତି । ଯଦି ବି ସେ ଆର୍ଜେଣ୍ଟିନା ଚାମ୍ପିଅନ୍‌ ହେବ ବୋଲି ଭବିଷ୍ୟବାଣୀ କଲେ ତେବେ ଏଇ ଦିନ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ବୋଲି କେମିତି ଜାଣିଲେ ? ଅନେକ ଏହାକୁ ଫେକ୍‌ ବୋଲି କହୁଛନ୍ତି ।

ସେ ଯାହାବି ହେଉ, ୩୬ ବର୍ଷ ପରେ ଆର୍ଜେଣ୍ଟିନା ଜିତିଛି ନିଜର ଭଲ ଖେଳ ଯୋଗୁଁ ଏବଂ ମେସି ମଧ୍ୟ ଟୁର୍ଣ୍ଣାମେଣ୍ଟ ସାରା ଚମତ୍କାର ପ୍ରଦର୍ଶନ କରିଛନ୍ତି । ତେଣୁ ଜିତିବା ଟିମ୍‌ ହିଁ ଜିତିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.