‘ଏହା ମୋ କ୍ୟାରିୟର ଶେଷ ପର୍ଯ୍ୟାୟ’, ସନରାଇଜର୍ସ ହାଇଦ୍ରାବାଦ ଠାରୁ ଜିତିବା ପରେ ଏମିତି କହିଲେ ଧୋନି

ଅବସର ନେବାର ସଂକେତ ଦେଲେ ଧୋନି। ସନରାଇଜର୍ସ ହାଇଦ୍ରାବାଦ ଠାରୁ ଜିତିବା ପରେ ଧୋନିଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା । ଏହା ଧୋନିଙ୍କର ଶେଷ ଆଇପିଏଲ୍‌ ହୋଇପାରେ ବୋଲି ଫ୍ୟାନ୍‌ ଆକଳନ କରୁଛନ୍ତି ।

ଚେନ୍ନାଇ ସୁପର କିଙ୍ଗସ ଶୁକ୍ରବାର ଖେଳାଯାଉଥିବା ଆପିଏଲ୍‌ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ଵିକେଟରେ ହରାଇଛି । ହାଇଦ୍ରାବାଦକୁ ହରାଇବା ପରେ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜ ଅବସରକୁ ନେଇ ଏକ ବୟାନ ଦେଇଛନ୍ତି । ଆଉ ଧୋନିଙ୍କ ବୟାନ ପରେ ଚେନ୍ନାଇ ଏବଂ ଧୋନିଙ୍କ ଫ୍ୟାନ୍ସମାନଙ୍କୁ ଝଟକା ଲାଗିଛି। ୨୦୨୩ ଆଇପିଏଲ ପରେ ଧୋନି ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ହାଇଦ୍ରାବାଦ ଉପରେ ସହଜ ବିଜୟ ପରେ ହର୍ଷ ଭୋଗଲେଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଧୋନି। ଆଉ ଏହା ଭିତରେ ସେ ନିଜ ଅବସରକୁ ନେଇ ଏକ ହିଣ୍ଟ ଦେଇଥିଲେ । ଆଉ ଧୋନିଙ୍କ ଏଭଳି ବୟାନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।
ଧୋନି କହିଥିଲେ, ଦୁଇ ବର୍ଷ ପରେ ଏହି ମଇଦାନରେ ଆସି ମ୍ୟାଚ ଦେଖିବାକୁ ସୁଯୋଗ ପାଇଛନ୍ତି ଏଠାକାର ଦର୍ଶକ । ତେବେ ଏଭଳି ଦର୍ଶକଙ୍କ ଆଗରେ ଖେଳିବା ବହୁତ ସ୍ପେଶାଲ ହୋଇଥାଏ । ଆଉ କ’ଣ କହିବି, ଏବେ ସବୁ କିଛି କହିସାରିଛି । ଏହା ମୋ କ୍ୟାରିୟରର ଶେଷ ପର୍ଯ୍ୟାୟ । ତେବେ ଏଠାରେ ଖେଳିବାକୁ ଖୁବ ଭଲ ଲାଗେ । ଦର୍ଶକ ଆମକୁ ଖୁବ ଭଲପାଇବା ଆଉ ସ୍ନେହ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଏଥର ବ୍ୟାଟିଂ କରିବାକୁ ଅଧିକ ସୁଯୋଗ ମିଳିନି, ତଥାପି କୌଣସି ଅଭିଯୋଗ ନାହିଁ । ଏଠାରେ ପ୍ରଥମେ ଫିଲ୍ଡିଂକୁ ନେଇ ଦ୍ୱନ୍ଦ୍ୱ ରହିଥିଲା । କିନ୍ତୁ ଏବେ ସବୁକିଛି ଠିକ୍‌ ହୋଇଛି । ଆମ ଦ୍ରୁତ ବୋଲର ବହୁତ ପରିଶ୍ରମ କରୁଛନ୍ତି । ଧୋନି ଶ୍ରୀଲଙ୍କାର ଯୁବ ବୋଲର ମତୀଶା ପଥିରାନାଙ୍କ ପ୍ରଶଂସା ମଧ୍ୟ କରିଥିଲେ ।

ତେବେ ଧୋନିଙ୍କ ଏଭଳି ବୟାନ ପରେ ଏହା ତାଙ୍କର ଶେଷ ଆଇପିଏଲ୍‌ ବୋଲି ଫ୍ୟାନ୍ସ ଅନୁମାନ କରୁଛନ୍ତି ।ଏହି ବୟାନକୁ ସେମାନେ ଅବସରର ପୂର୍ବ ସଂକେତ ବୋଲି ଭାବି ନେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲିର ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ ସୁପର କିଙ୍ଗସ । ତେବେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୧୩୮ ରନ୍‌ କରିଥିଲା । ଯାହାକୁ ଚେନ୍ନାଇ ୭ ଓ୍ଵିକେଟରେ ଜିତିନେଇଥିଲା । ଜାଡେଜା ଏବଂ ଡିଭନ୍ କନୱେଙ୍କ ଦମଦାର ପ୍ରଦର୍ଶନ ଏହି ମ୍ୟାଚରେ ଚେନ୍ନାଇକୁ ବିଜୟ ଭେଟି ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.