ଜାଭେଲିନ ଥ୍ରୋରେ ଅଲିମ୍ପିକ ବିଶ୍ୱ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି ନିରଜ ଚୋପ୍ରା, ଖୁବ୍ ଶୀଘ୍ର ଆରମ୍ଭ କରୁଛନ୍ତି ଟ୍ରେନିଂ
ଅଲିମ୍ପିକରେ ଗୋଲ୍ଡ ମେଡାଲ ଜିତି ଦେଶର ନାଁ ଉଜ୍ଜଳ କରିଥିବା ଆଥ୍ଲେଟ୍ ନିରଜ ଚୋପ୍ରା ଏବେ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିରଜ ୨୦୨୪ରେ ପ୍ୟାରିସ୍ରେ ହେବାକୁ ଥିବା ଅଲିମ୍ପିକ ଜାଭେଲିନ୍ ଥ୍ରୋରେ ଆନ୍ଦ୍ରିୟାସ ଥୋରକିଲ୍ଡସେନ୍ଙ୍କ ନାଁରେ ଥିବା ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଖୁବ୍ ଶୀଘ୍ର ପ୍ରସ୍ତୁତି ଆରମ୍ଭ କରିବେ।
ଟୋକିଓ ଅଲିମ୍ପିକରେ ନିରଜ ଚୋପ୍ରା ୮୭.୫୮ ମିଟରର ସ୍କୋର ହାସଲ କରି ଗୋଲ୍ଡ ମେଡାଲ ଜିତିଥିଲେ। ତେବେ ନିରଜ ଚୋପ୍ରାଙ୍କ ସବୁଠୁ ଭଲ ସ୍କୋର ୮୮.୦୭ ମିଟର ଅଛି। ଏବେ ସେ ୯୦ ମିଟରରୁ ଅଧିକ ସ୍କୋର ହାସଲ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ୟାରିସ ଅଲିମ୍ପିକରେ ୯୦.୫୭ ମିଟରର ରେକର୍ଡ ଭାଙ୍ଗିବାକୁ ନିରଜ ଚୋପ୍ରାଙ୍କ ଆଶା ରହିଛି।
ସୂଚନାଯୋଗ୍ୟ ଯେ ଆନ୍ଦ୍ରିୟାସ ଥୋରକିଲ୍ଡସେନ୍ ୨୦୦୮ରେ ବେଜିଂରେ ୯୦.୫୭ ମିଟରରେ ଗୋଲ୍ଡ ମେଡାଲ ଜିତିଥିଲେ। ଏହା ଏକ ଅଲିମ୍ପିକ ରେକର୍ଡ, ଯାହାକୁ କୌଣସି ଆଥ୍ଲେଟ୍ ଆଜି ପର୍ଯ୍ୟନ୍ତ ଭାଙ୍ଗି ପାରିନାହାନ୍ତି। ନିରଜ କହିଛନ୍ତି, ଏହି ଉପଲବ୍ଧି ହାସଲ କରିବା ଏକ ଖୁବ୍ ସୁନ୍ଦର ଅନୁଭବ ହେବ। ଅଲିମ୍ପିକରେ ଗୋଲ୍ଡ ମେଡାଲ ଜିତିବା ସବୁଠୁ ଉପରେ। କିନ୍ତୁ ଅଲିମ୍ପିକ ରେକର୍ଡ ସୃଷ୍ଟି କରିବା ଜଣେ ଆଥ୍ଲେଟ୍ ପାଇଁ ସବୁଠୁ ବଡ଼ କଥା ବୋଲି ନିରଜ କହିଛନ୍ତି।