ଆଇଏଏସ ସୁହାସ ୟାଥିରାଜଙ୍କୁ ପାରାଅଲିମ୍ପିକ୍ସରେ ମିଳିଲା ରୌପ୍ଯ, ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ଟୋକିଓରେ ଚାଲିଥିବା ପାରାଲିମ୍ପିକ୍‌ କ୍ରୀଡ଼ାରେ ‘ପୁରୁଷ ସିଙ୍ଗ୍‌ଲ୍‌ସ୍‌ ଏସ୍‌ଏଲ୍‌୪’ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଫାଇନାଲ୍‌ରେ ଫ୍ରାନ୍ସ୍‌ର ଲ୍ୟୁକାସ୍‌ ମାଜୁର୍‌ଙ୍କ ନିକଟରେ ପରାସ୍ତ ହୋଇ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ସୁହାସ ଏଲ୍ ୟାଥିରାଜ ରୌପ୍ୟ ପଦକ ହାସଲ କରିଛନ୍ତି। ସୁହାସଙ୍କ ସଫଳତା ନେଇ ଭାରତରେ ଖୁସି ଲହରି ଖେଳିଯାଇଛି। ୟାଥିରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ।

ୟାଥିରାଜ ମାଜୁର୍‌ଙ୍କ ଠାରୁ ୨୧-୧୫, ୧୭-୨୧, ୧୫-୨୧ରେ ପରାସ୍ତ ହୋଇଛନ୍ତି। ୟାଥିରାଜ ପାଇଥିବା ପଦକକୁ ମିଶାଇ ଏଯାବତ୍ ପାରାଲିମ୍ପିକ୍‌ କ୍ରୀଡ଼ାରେ ଭାରତ ସମୁଦାୟ ୧୮ଟି ପଦକ ହାସଲ କରିଛି। କମ୍ପ୍ୟୁଟର୍‌ ଇଞ୍ଜିନିୟର୍‌ ଡିଗ୍ରିଧାରୀ ସୁହାସ ‘ଆଇଏଏସ୍‌’ ଅଫିସର୍‌ ହେବା ପରେ ୨୦୨୦ରୁ ନୋଏଡାରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଭାବେ ନିଯୁକ୍ତି ପାଇଛନ୍ତି।

୨୦୧୬ରେ ବେଜିଙ୍ଗ୍‌ରେ ଆୟୋଜିତ ‘ଏସିଆନ୍‌ ଚାମ୍ପିଅନ୍‌ସିପ୍’ରେ ଅଂଶ ଗ୍ରହଣ କରି ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ୨୦୧୭ ଏବଂ ୨୦୧୯ରେ ‘ବିଡବ୍ଲୁଏଫ୍‌ ତୁର୍କୀସ୍‌ ଚାମ୍ପିଅନ୍‌ସିପ୍‌’ରେ ସ୍ବର୍ଣ୍ଣ ପଦକ ପାଇବା ସହ ୨୦୨୦ରେ ବ୍ରାଜିଲ୍‌ରେ ସ୍ବର୍ଣ୍ଣ ପଦକ ପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.