ପ୍ରଥମ ରଣଜୀ ମ୍ୟାଚ୍‌ରେ ଓଡ଼ିଶାର ଇନିଂସ୍‌ ବିଜୟ, ଛତିଶଗଡ଼କୁ ଧୂଳି ଚଟାଇଲେ ଓଡ଼ିଆ ବୋଲର୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏକ ବୃହତ୍‌ ବିଜୟରୁ ରଣଜୀ ସିଜିନ୍‌ ଆରମ୍ଭ କରିଛି ଓଡ଼ିଶା ଦଳ । ଛତିଶଗଡ଼ର ରାୟପୁର ଠାରେ ଖେଳା ଯାଇଥିବା ମ୍ୟାଚ୍‌ର ଆଜି ତୃତୀୟ ଦିନ ଆରମ୍ଭରୁ ଘରୋଇ ଟିମ୍‌କୁ ଅଲ୍‌ଆଉଟ୍‌ କରି ଓଡ଼ିଶା ଏକ ଇନିଂସ୍‌ ଓ ୩ ରନ୍‌ରେ ବିଜୟୀ ହୋଇଛି । ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ‘ସି’ ପ୍ରଥମ ରାଉଣ୍ଡରେ ଏହି ବିଜୟ ସହ ଟିମ୍‌ ଓଡ଼ିଶା ୭ ପଏଣ୍ଟ ହାସଲ କରିଛି ।
ପ୍ରଥମେ ବ୍ୟାଟିଂ କରିଥିବା ଛତିଶଗଡ଼ ପ୍ରଥମ ପାଳିରେ ୧୩୪ ରନ୍‌ କରିବା ପରେ ଓଡ଼ିଶା ୨୧୫ ରନ୍‌ କରି ୮୧ ରନ୍‌ରେ ଆଗୁଆ ରହିଥିଲା । ଗତକାଲି ଛତିଶଗଡ଼ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଗୋଟିଏ ଓ୍ଵିକେଟ୍‌ ହରାଇ ଦ୍ୱିତୀୟ ଇନିଂସ୍‌ରେ ୪୫ ରନ୍‌ କରିଥିଲା । ଲାଗୁଥିଲା ଏହାର ଖେଳାଳିମାନେ କିଛି ସମୟ ଓ୍ଵିକେଟ୍‌ରେ ତିଷ୍ଠି ରହିବେ । ହେଲେ ଓଡ଼ିଶାର ବୋଲର୍‌ମାନଙ୍କ ମିଳିତ ଆକ୍ରମଣ ଆଗରେ ମାତ୍ର ୭୮ ରନ୍‌ରେ ଛତିଶଗଡ଼ ଦଳ ଅଲଆଉଟ୍‌ ହୋଇଯାଇଥିଲା । ଆଜି ଖେଳ ଆରମ୍ଭ ହେବାର ଅଳ୍ପ ସମୟ ଭିତରେ ମାତ୍ର ୩୩ ରନ୍‌ ଭିତରେ ଏହାର ୯ଟି ଓ୍ଵିକେଟ୍‌ ପଡ଼ି ଯାଇଥିଲା । ପ୍ରଥମ ପାଳିରେ ୬ ଓ୍ଵିକେଟ୍‌ ନେଇଥିବା ପେସ୍‌ ବୋଲର୍‌ ରାଜେଶ ମହାନ୍ତି ୧୯ ରନ୍‌ରେ ୪ଟି, ସୂର୍ଯ୍ୟକାନ୍ତ ପ୍ରଧାନ ୩୪ ରନ୍‌ରେ ୪ଟି ଏବଂ ବସନ୍ତ ମହାନ୍ତି ୨୩ ରନ୍‌ ଦେଇ ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ଏହି ମ୍ୟାଚ୍‌ରେ ରାଜେଶ ମୋଟ୍‌ ୬୭ ରନ୍‌ ଦେଇ ୧୦ଟି ଓ୍ଵିକେଟ୍‌ ନେଇଛନ୍ତି ।

RANJI TEAM-2

ତେବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ଓ୍ଵିକେଟ୍‌ କିପର ବ୍ୟାଟ୍‌ସମ୍ୟାନ୍‌ ସୁଜିତ ଲେଙ୍କା । ଯିଏ ପ୍ରଥମ ଇନିଂସ୍‌ରେ ବହୁମୂଲ୍ୟ ଅର୍ଦ୍ଧଶତକ କରିବା ଯୋଗୁଁ ଓଡ଼ିଶ ଦଳ ଲିଡ୍‌ ନେଇ ପାରିଥିଲା । ସେ ୫୬ ରନ୍‌ କରିବା ସହିତ ମ୍ୟାଚ୍‌ରେ ମୋଟ୍‌ ୪ଟି କ୍ୟାଚ୍‌ ମଧ୍ୟ ନେଇଛନ୍ତି ।
ଛତିଶଗଡ଼ ପକ୍ଷରୁ ଦ୍ୱିତୀୟ ଇନିଂସ୍‌ରେ ଆଶୁତୋଷ ସିଂହ ସର୍ବାଧିକ ୪୩ ରନ୍‌ କରିଥିଲେ । ପାଞ୍ଚ ଜଣ ବ୍ୟାଟ୍ସମ୍ୟାନ୍‌ ଶୂନରେ ଆଉଟ୍‌ ହୋଇଥିବା ବେଳେ କେବଳ ତିନି ଜଣ ଦୁଇ ଅଙ୍କ ଛୁଇଁ ପାରିଥିଲେ ।

ସ୍କୋର-ଛତିଶଗଡ଼ : ୧୩୪ ଓ ୭୮ । ଓଡ଼ିଶା ୨୧୫ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.