ମାତ୍ର ୭୬ ରନ୍ର ଲକ୍ଷ୍ୟ ଅଷ୍ଟ୍ରେଲିଆ ଆଗରେ, ଭାରତୀୟ ସ୍ପିନର ରୋକି ପାରିବେ ତ ?
ଅଷ୍ଟ୍ରେଲିଆ ଠାରୁ ଭାରତ ୭୫ ରନ୍ରେ ଆଗୁଆ ରହିଛି । ଆସନ୍ତାକାଲି କଙ୍ଗାରୁ ଦଳ ୭୬ ରନ୍ କଲେ ଟେଷ୍ଟ ମ୍ୟାଚ୍ ଜିତି ଯିବ । ସ୍ପିନରଙ୍କ ସ୍ୱର୍ଗ ପାଲଟିଥିବା ଇନ୍ଦୋର ପିଚ୍ରେ ଆଜି ଅଷ୍ଟ୍ରେଲିଆକୁ ୧୯୭ ରନ୍ରେ ଆଉଟ୍ କରିଥିଲା ଭାରତୀୟ ଦଳ ।

ଇନ୍ଦୋର : ବହୁତ କଷ୍ଟରେ ଘରୋଇ ଭାରତୀୟ ଦଳ ତୃତୀୟ ଟେଷ୍ଟର ଦ୍ୱିତୀୟ ପାଳିରେ ୧୬୩ ରନ୍ କରିବାକୁ ସକ୍ଷମ ହୋଇଛି । ଯାହାଫଳରେ ଅଷ୍ଟ୍ରେଲିଆ ଠାରୁ ୭୫ ରନ୍ରେ ଆଗୁଆ ରହିଛି । ଆସନ୍ତାକାଲି କଙ୍ଗାରୁ ଦଳ ୭୬ ରନ୍ କଲେ ଟେଷ୍ଟ ମ୍ୟାଚ୍ ଜିତି ଯିବ ।
ସ୍ପିନରଙ୍କ ସ୍ୱର୍ଗ ପାଲଟିଥିବା ଇନ୍ଦୋର ପିଚ୍ରେ ଆଜି ଅଷ୍ଟ୍ରେଲିଆକୁ ୧୯୭ ରନ୍ରେ ଆଉଟ୍ କରିଥିଲା ଭାରତୀୟ ଦଳ । ଗତକାଲି ୪ଟି ଓ୍ଵିକେଟ୍ ନେଇଥିବା ସ୍ପିନର ରବୀନ୍ଦ୍ର ଜାଡେଜା ଆଜି ଆଉ ଓ୍ଵିକେଟ୍ ପାଇନଥିଲେ । ତେବେ ବାକି ୬ଟି ଓ୍ଵିକେଟ୍ ଅନ୍ୟ ଦୁଇ ସ୍ପିନର ରବିଚନ୍ଦ୍ର ଆଶ୍ୱିନ୍ ଏବଂ ପେସ୍ ବୋଲର ଉମେଶ ଯାଦବ ସମାନ ଭାବେ ବାଣ୍ଟି ନେଇଥିଲେ ।
ଟିମ୍ ଇଣ୍ଡିଆ ପ୍ରଥମ ପାଳିରେ ୮୮ ରନ୍ ପଛରେ ରହି ଦ୍ୱିତୀୟ ପାଳି ଆରମ୍ଭ କରିଥିଲା । କେବଳ ଚେତେଶ୍ୱର ପୂଜାରା ଅନେକ ସମୟ ଧରି ଓ୍ଵିକେଟ୍ରେ ତିଷ୍ଠି ରହି ୧୪୨ ବଲ୍ରେ ୫୯ ରନ୍ କରିଥିଲ । ଅନ୍ୟମାନଙ୍କ ସ୍ୱଳ୍ପ ଯୋଗଦାନ ଯୋଗୁଁ ଭାରତ ୧୬୩ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଶ୍ରେୟସ ଆୟର ୨୬ ରନ୍ କରି ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଥିଲେ ।
ତେବେ ଭାରତୀୟ ବ୍ୟାଟରଙ୍କ ପାଇଁ ଘାତକ ସାଜିଥିଲେ ଅଷ୍ଟ୍ରେଲୀୟ ସ୍ପିନର ନାଥନ୍ ଲାୟନ । ସେ ୬୪ ରନ୍ ଦେଇ ୮ଟି ଓ୍ଵିକେଟ୍ ଦଖଲ କରିଥିଲେ । ଭାରତରେ କୌଣସି ବିଦେଶୀ ସ୍ପିନରଙ୍କର ଏହା ହେଉଛି ତୃତୀୟ ସର୍ବଶ୍ରେଷ୍ଠ ବୋଲିଂ ଫିଗର । ପୂର୍ବରୁ ସେ ୨୦୧୭ରେ ବେଙ୍ଗାଲୁରୁ ଠାରେ ୫୦ ରନ୍ ଦେଇ ୮ ଓ୍ଵିକେଟ୍ ନେଇଥିଲେ ।
ଗତକାଲି ୧୪ଟି ଓ୍ଵିକେଟ୍ର ପତନ ପରେ ଆଜି ଗୋଟିଏ ଦିନରେ ୧୬ଟି ଓ୍ଵିକେଟ୍ ଝଡ଼ି ଯାଇଛି ଏହି ପିଚ୍ରେ । ଆସନ୍ତାକାଲି ତୃତୀୟ ଦିନରେ ଛୋଟିଆ ଲକ୍ଷ୍ୟ ୭୬ ରନ୍କୁ ଅଷ୍ଟ୍ରେଲିଆ ଦଳ ହାସଲ କରି ପାରୁଛି କି ନାହିଁ ଦେଖିବାର କଥା । ଭାରତୀୟ ସ୍ପିନର କଙ୍ଗାରୁ ବ୍ୟାଟରଙ୍କୁ ରୋକି ପାରୁଛନ୍ତି କି ନାହିଁ ତାକୁ ଅପେକ୍ଷା ।
ସ୍କୋର : ଭାରତ ୧୦୯ ଏବଂ ୧୬୩ ରନ୍ । ଅଷ୍ଟ୍ରେଲିଆ-୧୯୭ ରନ୍ ।