ତୃତୀୟ ଟେଷ୍ଟ ହାରିଲା ଭାରତ, ସିରିଜ୍‌ ଦକ୍ଷିଣ ଆଫ୍ରିକା କବଜାରେ

କେପ୍‌ ଟାଉନ୍‌ : ଭାଙ୍ଗିଗଲା ସ୍ବପ୍ନ, ଅଧୁରା ରହିଲା ସିରିଜ ହାତେଇବାର ଆଶା । ମଉଳି ଯାଇଛି ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ୍ ଜିତିବାର ସ୍ୱପ୍ନ । କେପଟାଉନ୍ ଟେଷ୍ଟର ଚତୁର୍ଥ ଦିନରେ ୭ ୱିକେଟରେ ହାରିଛି ଭାରତ । ଏଥିସହିତ ୨-୧ରେ ଦକ୍ଷିଣ ଆଫ୍ରିକା ହାତକୁ ସମର୍ପି ଦେଇଛି ସରିଜ ବିଜୟ ମୁକୁଟ ।

ଘଟଣାବହୁଳ ସିରିଜର ଶେଷ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଆଗରେ ଜିତିବା ପାଇଁ ୨୧୧ ରନର ଲକ୍ଷ୍ୟ ସ୍ଥିର କରିଥିଲା । କିନ୍ତୁ ଘରୋଇ ଟିମ୍ ଭାରତୀୟ ବୋଲରମାନଙ୍କୁ ଜିତିବାର କୌଣସି ସୁଯୋଗ ଦେଇନଥିଲେ ।

ଭାରତ ପ୍ରଥମ ଇନିଂସ୍‌ରେ ୨୨୩ ରନ୍‌ କରି ଦକ୍ଷିଣ ଆଫ୍ରିକାକୁ ୨୧୦ ରନ୍‌ରେ ଅଲ୍‌ଆଉଟ୍‌ କରିଥିଲା । ମାତ୍ର ୧୩ ରନ୍‌ର ଲିଡ୍‌ ନେଇଥିଲା । ହେଲେ ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୧୯୮ ରନ୍‌ କରି ପାରିଥିଲା । ବ୍ୟାଟରମାନେ ଫେଲ୍‌ ମାରିବାରୁ ଚାରି ଦିନରେ ମ୍ୟାଚ୍‌ ସରିଲା ଏବଂ ଘରୋଇ ଦଳ ୩ ଓ୍ଵିକେଟ୍‌ରେ ୨୧୨ ରନ୍‌ କରି ମ୍ୟାଚ୍‌ ଓ ସିରିଜ୍‌ ଜିତିଗଲା । ଦଳ ପକ୍ଷରୁ ପ୍ରଥମ ଇନିଂସ୍‌ର ସଫଳ ବ୍ୟାଟର କିଗନ ପିଟରସନ୍‌ ପୁଣି ଏକ ଜୋରଦାର ପାଳି ଖେଳି ୮୨ ରନ୍‌ କରିଥିଲେ । ଏଲଗାର ୩୦, ଭାନ୍‌ ଡେର ଡୁସେନ୍‌ ୪୧ ଏବଂ ବଭୁମା ଅପରାଜିତ ୩୨ ରନ୍‌ ସ୍କୋର କରିଥିଲେ ।
ଭାରତୀୟ ଦଳ ଅଷ୍ଟମ ଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ୍ ଖେଳିଥିଲେ ବି କୌଣସି ଗୋଟିଏ ସିରିଜ ହାତେଇବା ପାଇଁ ସଫଳ ହୋଇପାରିଲା ନାହିଁ । କେବଳ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ସିରିଜକୁ ୧-୧ରେ ଡ୍ର’ ରଖିବାରେ ସକ୍ଷମ ହୋଇଥିଲା । ଯାହା ଏଯାବତ ଶ୍ରେଷ୍ଠ ପ୍ରଦର୍ଶନ ।
୧୯୯୨-୯୩ ମସିହାରେ, ମହମ୍ମଦ ଆଜାରୁଦ୍ଦିନଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲା । ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତକୁ ୦-୧ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ତା’ପରେ ୧୯୯୬-୯୭ ମସିହାରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଯାଇଥିଲା । ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତକୁ ୦-୨ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା ।
ଏହାପରେ ଆସିଲେ ଦାଦା । ୨୦୦୧-୦୨ ମସିହାରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା । ସେହି ସମୟ ମଧ୍ୟରେ ଭାରତକୁ ଦୁଇ ମ୍ୟାଚ୍ ଟେଷ୍ଟ ସିରିଜରେ ୦-୧ରେ ପରାଜିତ ହୋଇଥିଲା ।
୨୦୦୬-୦୭ରେ, ରାହୁଲ ଦ୍ରାବିଡ ବି ଚେଷ୍ଟା କରିଥିଲେ । ଦ’ ଓ୍ବାଲଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲା । ଜୋହାନ୍ସବର୍ଗ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଏକ ଭଲ ଆରମ୍ଭ କରି ଆୟୋଜକ ଦଳକୁ ୧୨୩ ରନରେ ପରାସ୍ତ କରିଥିଲା । ଦକ୍ଷିଣ ଆଫ୍ରିକା ମାଟିରେ ଭାରତୀୟ ଦଳର ଏହା ପ୍ରଥମ ଟେଷ୍ଟ ବିଜୟ ଥିଲା । ତେବେ ଡର୍ବାନ୍ ଏବଂ କେପ୍ ଟାଉନରେ ଅବଶିଷ୍ଟ ଦୁଇଟି ମ୍ୟାଚ୍ ହାରିଯିବା ପରେ ଭାରତୀୟ ଦଳ ୧-୨ ସିରିଜ୍ ହରାଇଲା ।
୨୦୧୦-୧୧ ମସିହାରେ , ଭାରତୀୟ ଦଳ ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲା । ଭାରତ ଚମତ୍କାର ପ୍ରଦର୍ଶନ କରି ତିନି ମ୍ୟାଚ୍ ଟେଷ୍ଟ ସିରିଜକୁ ୧-୧ରେ ଡ୍ର ରଖିଥିଲା | ତେବେ ୨୦୧୩-୧୪ରେ ଧୋନିଙ୍କ ଅଧିନାୟକତ୍ବରେ ଭାରତ ପୁଣି ଥରେ ଆଫ୍ରିକୀୟ ମାଟିରେ ସିରିଜ ପରାଜୟର ମୁହଁ ଦେଖିଥିଲା । ଏଥର ଧୋନି ବ୍ରିଗେଡକୁ ୦-୧ ପରାଜୟର ସାମ୍ନା କରିବାକୁ ପଡିଥିଲା ।

୨୦୧୭-୧୮ରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା , କିନ୍ତୁ ଟେଷ୍ଟ ସିରିଜର ଫଳାଫଳ ଦଳ ସପକ୍ଷରେ ନଥିଲା । କେପଟାଉନ୍ ଏବଂ ସେଞ୍ଚୁରିଅନରେ ଆୟୋଜିତ ମ୍ୟାଚରେ ବିରାଟ ବ୍ରିଗେଡକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା | ଏଥିସହିତ ଭାରତ ଜୋହାନ୍ସବର୍ଗ ଟେଷ୍ଟ ମ୍ୟାଚକୁ ୬୩ ରନରେ ଜିତି ଆତ୍ମସମ୍ମାନ ବଞ୍ଚାଇଥିଲା , ଯଦିଓ ସିରିଜ୍ ୧-୨ରେ ହାରି ଯାଇଥିଲା । ଏଥର ବି ପୂର୍ବଥର ଭଳି ସମଦଶା ଭୋଗିଛି ବିରାଟ ବ୍ରିଗେଡ । ୧-୨ରେ ସିରିଜ ହାରିଛି ଟିମ୍ ଇଣ୍ଡିଆ ।
ଜାନୁଆରୀ ୧୯ରୁ ଦୁଇ ଦଳ ଭିତରେ ଆରମ୍ଭ ହେବ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.