Below header

ଆଜିଠାରୁ ଓଭାଲ ଟେଷ୍ଟ : ବିରାଟଙ୍କ ଆସ୍ଥା ଖେଳାଳିଙ୍କ ଉପରେ

ଲଣ୍ଡନ୍ : ଆଜିଠାରୁ ଓଭାଲରେ ଖେଳାଯିବ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ୍ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଘରୋଇ ଇଂଲଣ୍ଡ ଦଳ ଏବେ ଆଗୁଆ ରହିଛି । ତେବେ ୩ୟ ଟେଷ୍ଟରେ ଧମାକାଦାର ବିଜୟ ହାସଲ କରି ସିରିଜକୁ ଫେରିଛି ବିରାଟ ବାହିନୀ । ତେଣୁ ଚତୁର୍ଥ ଟେଷ୍ଟ ଜିତି ସିରିଜ ସମାନ ସ୍ତରକୁ ଆଣିବା ଲାଗି ପୂରା ଦମରେ ଲାଗି ପଡ଼ିବ । ସେପଟେ ଆଉ ମଉକା ନଦେଇ ଇଂଲଣ୍ଡ ଟାକି ବସିଛି କେମିତି ମ୍ୟାଚ୍ ସହ ସିରିଜ୍ ହାତେଇବ । ୧୯୩୬-୩୭ରେ ଅଷ୍ଟ୍ରେଲିଆର ଡନ୍ ବ୍ରାଡମ୍ୟାନଙ୍କ ଟିମ୍ ଠିକ ଏହିଭଳି ୨-୦ରେ ପଛୁଆ ହିବା ପରେ ୩-୨ରେ ଟେଷ୍ଟ ସିରିଜ୍ ଜିତିଥିଲା । ତାକୁ ମନେ ପକାଇ ବିରାଟ ବାହିନୀ ସେହିଭଳି ଚମତ୍କାରିତା ଦୋହରାଇ ପାରେ ବୋଲି ଚର୍ଚ୍ଚା ଚାଲିଛି । ତେବେ ପୂର୍ବ ଟେଷ୍ଟ ହାରିବା ପରେ ଇଂଲଣ୍ଡ ନିଶ୍ଚୟ ଜୋରଦାର ପ୍ରତ୍ୟାବର୍ତ୍ତନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବ । ତେଣୁ ଆମେ ସେହି ଅନୁସାରେ ମୁକାବିଲା କରିବୁ ବୋଲି କୋହଲି କହିଛନ୍ତି । ସେପଟେ ଇଂଲଣ୍ଡ ଅଧିନାୟକ ରୁଟ୍ କହିଛନ୍ତି ଆମେ ପୂର୍ବରୁ ଏଭଳି କଷ୍ଟକର ପରିସ୍ଥିତିରେ ପ୍ରତ୍ୟାବର୍ତ୍ତନ କରିଛୁ । ଏଥର ମଧ୍ୟ ଚ୍ୟାଲେଞ୍ଜକୁ ଗ୍ରହଣ କରୁଛୁ ।

ଦଳ କଥା

ଟ୍ରେଣ୍ଟବ୍ରିଜ୍ ଟେଷ୍ଟ ଜିତିଥିବା ଭାରତୀୟ ଦଳରେ କୋହଲି କୌଣସି ପରବିର୍ତ୍ତନ କରି ନାହାନ୍ତି । ସ୍ପିନର ଅଶ୍ବିନୀ ମଧ୍ୟ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଅଧିନାୟକ । ସେପଟେ ଇଂଲଣ୍ଡ ଦଳରେ କ୍ରିସ୍ ଓକ୍ସଙ୍କ ଜାଗାରେ ଖେଳିବେ ଅଲରାଉଣ୍ଡର ସାମ୍ କୁରାନ୍ । ବେୟାରଷ୍ଟୋ ୱିକେଟକିପିଂ କରିବେ ନାହିଁ । କେବଳ ଜଣେ ବ୍ୟାଟସମ୍ୟାନ ଭାବେ ଖେଳିବେ । ୱିକେଟ କିପିଂ କାମ ସମ୍ଭାଳିବେ ବଟଲର ।

ପିଚ୍ ଓ ପାଗ

ଓଭାଲ ପିଚ୍ ପ୍ରଥମରୁ ପେସ୍ ବୋଲରଙ୍କୁ ସହାୟତା ଦେବ । ପରେ ସ୍ପିନର ମଧ୍ୟ ଫାଇଦା ପାଇବେ । ଏବେ ପାଗ ଶୁଖିଲା ଅଛି । ପାଞ୍ଚ ଦିନ ଯାକ ମଧ୍ୟ ଏଥିରେ ପରିବର୍ତ୍ତନ ହେବାର ବିଶେଷ ସୂଚନା ନାହିଁ । ୨୦୧୪ରେ ଇଂଲଣ୍ଡ ସ୍ପିନର ମୋଇନ୍ ଅଲୀ ଏଠାରେ ଚତୁର୍ଥ ଇନିଂସରେ ୬ ୱିକେଟ୍ ଦଖଲ କରିଥିଲେ । ଏ ପରିସ୍ଥିତିରେ କେବଳ ପେସ୍ ବୋଲରଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରିବେ ନାହିଁ ବୋଲି କୋହଲି କହିଛନ୍ତି ।

ରେକର୍ଡ଼କୁ ଅପେକ୍ଷା

ଇଂଲଣ୍ଡ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଆଉ ୭ଟି ୱିକେଟ ନେଲେ ଅଷ୍ଟ୍ରେଲିଆର ଗ୍ଲେନ୍ ମାକଗ୍ରାଙ୍କ ରେକର୍ନ ଭାଙ୍ଗିବେ । ଆଉ ୬ ରନ୍ କଲେ ବିରାଟ କୋହଲିଙ୍କ ୬ ହଜାର ଟେଷ୍ଟ ରନ୍ ପୂରଣ ହେବ । ଆଉ ୧୦୪ ରନ୍ କଲେ ସେ ଅଧିନାୟକ ଭାବେ ୪ ହଜାର ରନ୍ ପୂରଣ କରିବେ । ଆଉ ଗୋଟିଏ ୱିକେଟ୍ ନେଲେ ଭାରତୀୟ ପେସ୍ ବୋଲର ଇଶାନ୍ତ ଶର୍ମା ୨୫୦ ଟେଷ୍ଟ ୱିକେଟ୍ ପୂରଣ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.