ପାକିସ୍ତାନ କ୍ରିକେଟ୍‌ ବୋର୍ଡ଼କୁ ଲାଗିଲା ୨୨ ଲକ୍ଷ ଡଲାର୍‌ର ଝଟ୍‌କା, ବିସିସିଆଇ ବିରୋଧରେ କେସ୍‌ କରି ନିଜେ ଦଣ୍ଡିତ ହେଲା

କରାଚି : ଏବେ ପାକିସ୍ତାନର ଦଶା ଭଲ ନାହିଁ । ସେ ଯୁଦ୍ଧକ୍ଷେତ୍ର ହେଉ କି ରାଜନୀତି ସବୁଠି ଭାରତ ପାଖରେ ମୁଣ୍ଡ ନୁଆଁଉଛି । ଲଜ୍ଜିତ ହେଉଛି । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଠାରୁ ପ୍ରତି କ୍ଷେତ୍ରରେ ପରାସ୍ତ ହେଉଛି । ସେହିଭଳି କ୍ରୀଡ଼ା ମଇଦାନର ମଧ୍ୟ ଭାରତ ଠାରୁ ମାତ୍‌ ଖାଇଛି ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ।
ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ଼ (ବିସିସିଆଇ) ବିରୋଧରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ଼ (ପିସିବି) ଏକ କ୍ଷତିପୂରଣ ମାମଲା ରୁଜୁ କରିଥିଲା । ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ ବା ଆଇସିସି ନିକଟରେ ଗତ ବର୍ଷ ଏହି ମାମଲା ଦାୟର କରି ୭ କୋଟି ଡଲାର (ପ୍ରାୟ ୪୮୦ କୋଟି ଟଙ୍କା)ର କ୍ଷତିପୂରଣ ଦାବି କରିଥିଲା । ଆଇସିସି ବିବାଦ ସମାଧାନ କମିଟି ଏହି ମାମଲାର ଶୁଣାଣି କରି ଏହାକୁ ଖାରଜ କରିଦେବା ସହ ଓଲଟା ପାକିସ୍ତାନ ବୋର୍ଡ଼ ଉପରେ ଦଣ୍ଡ ଲଦି ଦେଲେ ।

PCB-BCCI-2

ମାମଲା ଖାରଜ ହେବା ପରେ ନିୟମ ଦୃଷ୍ଟିରୁ ବିସିସିଆଇ ଏ ବାବଦରେ ଯେତିକି ଅର୍ଥ ଖର୍ଚ୍ଚ କରିଛି ତାକୁ ଭରଣା କରିବାକୁ ପାକ୍‌ ବୋର୍ଡ଼କୁ କୁହାଗଲା । ତେଣୁ ପିସିବି ପାଖରେ ଆଉ କିଛି ବାଟ ନଥିଲା । ନିଜ ଲାଜ ନିଜ ଭିତରେ ରଖି ମାମଲାରେ ହୋଇଥିବା ୧୬ ଲକ୍ଷ ଡଲାର (ପ୍ରାୟ ୧୧ କୋଟି ଟଙ୍କା) ବିସିସିଆଇକୁ ଦେଇଛି । ଏକଥା ନିଜ ମୁହଁରେ ସ୍ୱୀକାର କରିଛନ୍ତି ପିସିବି ଅଧ୍ୟକ୍ଷ ଏହଶାନ୍‌ ମନି । ସେ ଆହୁରି କହିଛନ୍ତି ଯେ ଏହି ମାମଲା ଲଢ଼ିବା ପାଇଁ ଖର୍ଚ୍ଚ ଓ ଭାରତକୁ କ୍ଷତିପୂରଣ ଦେବା ବାବଦରେ ମୋଟ୍‌ ୨୨ ଲକ୍ଷ ଡଲାର (ପ୍ରାୟ ୧୬ କୋଟି ଟଙ୍କା) କ୍ଷତି ସହିବାକୁ ପଡ଼ିଛି ।
ପୂର୍ବର ଦ୍ୱିପାକ୍ଷିକ ଚୁକ୍ତି ଅନୁଯାୟୀ ୨୦୧୫ରୁ ୨୦୨୩ ମଧ୍ୟରେ ଭାରତୀୟ ଦଳ ପାକିସ୍ତାନ ଦଳ ବିପକ୍ଷରେ ୬ଟି ଦ୍ୱିପାକ୍ଷିକ ସିରିଜ୍‌ ଖେଳିବା କଥା । ତେବେ ଭାରତ ଏହି ସିରିଜ୍‌ ଖେଳିବାକୁ ମନା କରି ଦେଇଥିଲା । ତେଣୁ ପିସିବି ଏହା ବିରୋଧରେ ଆଇସିସି ବିବାଦ ସମାଧାନ କମିଟିରେ ଫେରାଦ ହୋଇଥିଲା । ତେବେ ମାମଲାର ଶୁଣାଣି ବେଳେ ବିସିସିଆଇ ନିଜ ପକ୍ଷ ରଖି କହିଥିଲା ଯେ ପାକିସ୍ତାନ ସହିତ ସିରିଜ୍‌ ଖେଳିବାକୁ ଭାରତ ସରକାର ଅନୁମତି ଦେଲେ ନାହିଁ । ଆହୁରି ମଧ୍ୟ ଯେଉଁ ଚୁକ୍ତି କଥା ପିସିବି ଉଠାଇଛି ତାହା କେବଳ ପ୍ରସ୍ତାବ ଥିଲା । ବିଧିବଦ୍ଧ ଭାବେ କୌଣସି ଲେଖାପଢ଼ା ହୋଇ ନଥିଲା ।

 

Leave A Reply

Your email address will not be published.