ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବାକୁ ମନା କରିବାରୁ ଧମକ ଦେଉଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା

କେନ୍ୟୁଜ୍‌ ବ୍ୟୁରୋ: ପୁଣି ବିଷ ଓଗାଳୁଛି ପାକିସ୍ତାନ । ଭାରତକୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଧମକ । ବିସିସିଆଇକୁ ଧମକ ଦେଇଛନ୍ତି ପିସିବି ଚେୟାରମ୍ୟାନ ରମିଜ ରାଜା । ତାଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା । ରମିଜ ରାଜା କହିଛନ୍ତି, ଏସିଆ କପ୍ ଖେଳିବାକୁ ପାକିସ୍ତାନକୁ ଭାରତ ନଆସିଲେ ପାକିସ୍ତାନ ବିଶ୍ୱକପ୍ ଖେଳିବାକୁ ଭାରତ ଗସ୍ତରେ ଯିବନି । ଆସନ୍ତା ବର୍ଷ ଭାରତରେ ହେବ ଦିନିକିଆ ବିଶ୍ୱକପ୍ କ୍ରିକେଟ୍ । ତା ପୂର୍ବରୁ ପାକିସ୍ତାନରେ ଖେଳାଯିବ ଏସିଆ କପ୍ । ଯଦି ଭାରତୀୟ ଟିମ୍ ପାକିସ୍ତାନକୁ ନଆସେ, ପାକିସ୍ତାନ ଟିମ୍ ମଧ୍ୟ ଭାରତ ଆସିବନି । ଯଦି ପାକିସ୍ତାନ ଟିମ୍ ବିଶ୍ୱକପ୍ ନଖେଳେ ବିଶ୍ୱକପ୍ କିଏ ଦେଖିବ ବୋଲି ପ୍ରଶ୍ନ କରିଛନ୍ତି ରମିଜ ରାଜା । ସେ ଆହୁରି କହିଥିଲେ, ଅମେ ଲଗାତାର ଭାରତକୁ ହରାଇଛୁ ୨୦୨୧ ବିଶ୍ୱକପରେ ଏବଂ ୨୦୨୨ ଏସିଆ କପରେ । ଗୋଟିଏ ବର୍ଷ ଅନ୍ତରାଳରେ ଆମେ ଦୁଇଥର ହରାଇଛୁ ଏକ ବିଲିଅନ ଡଲାର ମୂଲ୍ୟର ଟିମକୁ ।

ବିସିସିଆଇ ସଚିବ ପାକିସ୍ତାନ ଗସ୍ତ ପାଇଁ ମନା କରିଥିଲେ:
ଆସନ୍ତା ବର୍ଷ ସେପ୍ଟେମ୍ବେରରେ ପାକିସ୍ତାନରେ ଏସିଆ କପ୍ ଖେଳାଯିବ । ଗତ ମାସରେ ବିସିସିଆଇ ସମ୍ପାଦକ ଜୟ ଶାହ କହିଥିଲେ, ଏସିଆ କପ୍ ଖେଳିବାକୁ ପାକିସ୍ତାନକୁ ଟିମ୍ ଇଣ୍ଡିଆ ଯିବ ନାହିଁ । କୌଣସି ନିରପେକ୍ଷ ସ୍ଥାନକୁ ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତର ପାଇଁ ସେ ଦାବି କରିଥିଲେ । ଏଥିରେ ଖପ୍ପା ହୋଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ ଏମିତି ମନ୍ତବ୍ୟ ଦେଇଛି । ୨୦୦୮ରେ ଶେଷ ଥର ପାଇଁ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯାଇଥିଲା ଟିମ୍ ଇଣ୍ଡିଆ । ସେହିପରି ୨୦୧୬ରେ ଆଇସିସି ଟି-୨୦ ବିଶ୍ୱ କପ୍ ଖେଳିବାକୁ ଶେଷ ଥର ପାଇଁ ଭାରତ ଆସିଥିଲା ପାକିସ୍ତାନ ଟିମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.