ଇଡେନ୍‌ରେ ଆରମ୍ଭ ହେଲା ଐତିହାସିକ ପିଙ୍କ୍‌ ବଲ୍‌ ଟେଷ୍ଟ ମ୍ୟାଚ୍‌, ବାଂଲାଦେଶର ବ୍ୟାଟିଂ

କୋଲକାତା (କେ ନ୍ୟୁଜ୍‌) : ଇଡେନ୍‌ ଗାର୍ଡନ୍ସରେ ଆରମ୍ଭ ହେଲା ପିଙ୍କ୍‌ ବଲ୍‌ ଟେଷ୍ଟ ମ୍ୟାଚ୍‌ । ଭାରତ ଓ ବାଂଲାଦେଶ ପ୍ରଥମଥର ଖେଳିଲେ ପିଙ୍କ ବଲ୍‌ରେ। ଏହିି ଦିବାରାତ୍ର ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ପ୍ରଥମ ବ୍ୟାଟିଂ ଆରମ୍ଭ କରିଛି ।
ତେବେ ମ୍ୟାଚ୍‌ ପୂର୍ବର ଦୃଶ୍ୟ ଥିଲା ଖୁବ୍‌ ଉତ୍ସାହଜନକ । ବାଂଲାଦେଶର ପ୍ରଧାନମନ୍ତ୍ରୀ ସେଖ ହସିନା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଷ୍ଟାଡିୟମ୍‌ରେ ଥିବା ବିଶାଳ ଘଣ୍ଟାକୁ ବଜାଇ ମ୍ୟାଚ୍‌ ଆରମ୍ଭର ସୂଚନା ଦେଇଥିଲେ । ପରେ ସେମାନେ ଉଭୟ ଦଳର ଖେଳାଳିମାନଙ୍କ ସହ ପଡ଼ି ଭିତରେ ସାକ୍ଷାତ କରିଥିଲେ । ନିଜେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଉପସ୍ଥିତ ରହି ସେମାନଙ୍କୁ ବାଟ କଢ଼ାଇ ନେଇଥିଲେ ।


ଦିନ ଠିକ୍‌ ୧୨ଟା ୩୦ ମିନିଟ୍‌ରେ ସ୍ୱର୍ଣ୍ଣ ମୁଦ୍ରାରେ ଟସ୍‌ ପଡ଼ିଥିଲା ଏବଂ ବାଂଲାଦେଶ ଅଧିନାୟକ ମୋମିନ୍‌ ଉଲ୍‌ ହକ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ । ପିଙ୍କ୍‌ ବଲ୍‌କୁ ନେଇ ଯେଉଁ ଆଶଙ୍କା ଥିଲା ତାହା ପ୍ରଥମ ୬ ଓଭର୍‌ ଯାଏ ଦେଖିବାକୁ ମିଳି ନଥିଲା । କାରଣ ବାଂଲାଦେଶର ଦୁଇ ଓପ୍ନର ସତର୍କତାର ସହ ବଲ୍‌କୁ ସାମନା କରିଥିଲେ । ଫଳରେ ଗୋଟିଏ ଓ୍ଵିକେଟ୍‌ ହରାଇ ବାଂଲାଦେଶ ୧୫ ରନ୍‌ କରିଥିଲା ।


୩ଟା ବେଳେ ସୁପର ବ୍ରେକ୍‌, ଆସିବେ ୫ ସୁପର ଖେଳାଳି

ଆଉ ଏକ ସୂଚନା ଦେବାକୁ ଚାହିଁବୁ ଯେ ଆଜି ଅପରାହ୍ନ ୩ଟାରେ ମ୍ୟାଚ୍‌ ବେଳେ ଏକ ସୁପର ବ୍ରେକ୍‌ ନିଆଯିବ । ଏହି ସମୟରେ ଭାରତୀୟ କ୍ରିକେଟ୍‌ର ‘ସୁପର ଖିଲାଡ଼ି-୫’ ପଡ଼ିଆକୁ ଆସିବେ । ସେମାନେ ହେଲେ ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେ, ଭିଭିଏସ୍‌ ଲକ୍ଷ୍ମଣ, ସୌରଭ ଗାଙ୍ଗୁଲୀ ଏବଂ ରହୁଲ ଦ୍ରାବିଡ଼ ।
ସେହିପରି ଦ୍ୱିତୀୟ ବ୍ରେକ୍‌ରେ ବାଂଲାଦେଶର କେତେଜଣ ଅଧିନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏମାନଙ୍କୁ ସୌରଭ ଗାଙ୍ଗୁଲି ଏହି ମ୍ୟାଚ୍‌କୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରିତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.