ଆଇପିଏଲ୍ ୨୦୨୦ : ସଞ୍ଜୁ ସାମ୍‌ସନ୍ ଓ ଷ୍ଟିଭ୍ ସ୍ମିଥ୍ କଲେ ଜୋରଦାର ଧୁଲେଇ, ଚେନ୍ନାଇ ଆଗରେ ୨୧୭ ରନ୍‌ର ଚ୍ୟାଲେଞ୍ଜ

ଶାରଜା : ଚେନ୍ନାଇ ବୋଲର୍‌ଙ୍କୁ ଖୁବ୍ ପ୍ରହାର କଲେ ଷ୍ଟିଭ୍ ସ୍ମିଥ୍ ଏବଂ ସଞ୍ଜୁ ସାମସନ୍ । ଦ୍ୱିତୀୟ ଓ୍ଵିକେଟ୍‌ରେ ୧୨୧ ରନ୍ ଯୋଡ଼ିଲେ । ଫଳରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ଦ୍ୱିତୀୟ ମ୍ୟାଚ୍ ଜିତିବାର ବଡ଼ ଚ୍ୟାଲେଞ୍ଜ ରହିଛି । ଆଜି ଆଇପିଏଲ୍ ୨୦୨୦ର ଚତୁର୍ଥ ମ୍ୟାଚ୍‌ରେ ଚେନ୍ନାଇକୁ ୨୧୭ ରନ୍‌ର ବିଜୟଲକ୍ଷ୍ୟ ଦେଇଛି ରାଜସ୍ଥାନ ରୟାଲ୍‌ସ ।

ଉଦ୍‌ଘାଟନୀ ମ୍ୟାଚ୍ ଭଳି ଏଥର ମଧ୍ୟ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ ନେଇଥିଲେ । ରାଜସ୍ଥାନ ରୟାଲ୍‌ସ ପକ୍ଷରୁ ଆଇପିଏଲ୍‌ରେ ଆଜି ଡେବ୍ୟୁ କଲେ ଯୁବ ଖେଳାଳି ଯଶସ୍ୱୀ ଜୟସ୍ୱାଲ । ହେଲେ ମାତ୍ର ୬ ରନ୍‌ରେ ଆଉଟ୍ ହୋଇଗଲେ । ଏହା ପରେ ଆରମ୍ଭ ହେଲା ସ୍ମିଥ୍ ଓ ସଞ୍ଜୁ ସାମସନ୍‌ଙ୍କ ଯୋଡ଼ି । ସେମାନେ ପରବର୍ତ୍ତୀ ୯ ଓଭର ଭିତରେ ଦଳୀୟ ସ୍କୋରକୁ ବୁଲେଟ୍ ବେଗରେ ୧୩୨ରେ ପହଞ୍ଚାଇ ଦେଇଥିଲେ । ସଞ୍ଜୁ ୩୨ ବଲ୍‌ରେ ୭୪ ରନ୍ କରିଥିଲେ । ଆଉ ଏଥିରେ ଥିଲା ଗୋଟିଏ ଚୌକା ଓ ୯ଟି ଛକା । ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ରନ୍‌ର ଗତି ଧିମେଇ ଯାଇଥିଲା । ସ୍ମିଥ୍ ବେଶ୍ କିଛି ସମୟ ଗଡ଼ ଜଗିଥିଲେ ମଧ୍ୟ ୧୯ତମ ଓଭର୍‌ରେ ଆଉଟ୍ ହୋଇ ଯାଇଥିଲେ । ସେ ୪୭ ବଲ୍‌ରେ ୬୯ ରନ୍ କରିଥିଲେ । ଏଥିରେ ରହିଛି ୪ ଚୌକା ଓ ୪ ଛକା ।

ଶେଷ ଭାଗରେ ଆର୍ଚରଙ୍କ ଆକ୍ରମଣ ଯୋଗୁଁ ରାଜସ୍ଥାନ ୨୦୦ ରନ୍ ଟପି ଯାଇଥିଲା । ସେ ଅପରାଜିତ ରହି ମାତ୍ର ୮ଟି ବଲ୍‌ରେ ୨୭ ରନ୍ (୪ ଛକା) ୨୦ ଓଭର୍‌ରେ ୭ ଓ୍ଵିକେଟ୍ ହରାଇ କରିଛି ୨୧୬ ରନ୍ । ଚେନ୍ନାଇ ପକ୍ଷରୁ ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ ପୀୟୁଷ ଚାଓ୍ଵଲା ଭୀଷଣ ମାଡ଼ ଖାଇଥିଲେ । ଜାଡେଜା ୪୦ ଓ ଚାଓ୍ଵଲା ୫୫ ରନ୍ ଦେଇଛନ୍ତି । ତେବେ ସଫଳତମ ବୋଲର ଭାବେ ସାମ୍ କୁରାନ୍ ୩୩ ରନ୍‌ରେ ୩ଟି ଓ୍ଵିକେଟ୍ ଦଖଲ କରିଥିଲେ ।

 

 

Leave A Reply

Your email address will not be published.