BCCI ର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି, ନେଲେ ଗାଙ୍ଗୁଲିଙ୍କ ସ୍ଥାନ

ଭାରତୀୟ କ୍ରିକେଟ ବୋର୍ଡ( BCCI) ରେ ବଡ ପରିବର୍ତ୍ତନ ହୋଇଛି। ୧୯୮୩ ର ବିଶ୍ୱକପ ବିଜେତା ଟିମର ସଦସ୍ୟ ଅଲରାଉଣ୍ଡର ରୋଜର ବିନ୍ନି ବିସିସିଆଇର ୩୬ ତମ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିନ୍ନି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ରିପ୍ଲେସ କରିଛନ୍ତି। ବିସିସିଆଇର ମୁମ୍ବାଇରେ ହୋଇଥିବା ବାର୍ଷିକ ସାଧାରଣ ବୈଠକରେ ବିନ୍ନିଙ୍କୁ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି।

ନୂଆ ସଭାପତି ଭାବେ ବିନ୍ନିଙ୍କ ସହ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ସମ୍ପାଦକ ଜୟ ଶାହ, ଆଶିଷ ଶେଲର (କୋଷାଧ୍ୟକ୍ଷ), ରାଜୀବ ଶୁକ୍ଳା (ଉପସଭାପତି) ଓ ଦେବଜିତ ସାଇକିଆ (ଯୁଗ୍ମସମ୍ପାଦକ) ଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ଏହି ବୈଠକରେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଆଲୋଚନା ହୋଇଥିଲା।

ଗତ ସପ୍ତାହରେ ଦିଲ୍ଲୀରେ ବିସିସିଆଇ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ରୋଜର ବିନ୍ନି ବିସିସିଆଇର ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଭରିଥିଲେ। ଦିଲ୍ଲୀରେ ଆୟୋଜିତ ବୈଠକରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସଂପାଦକ ଜୟ ଶାହ, ଉପାଧ୍ୟକ୍ଷ ରାଜୀବ ଶୁକ୍ଳା, ପୂର୍ବତନ ଅଧ୍ୟକ୍ଷ ଏନ ଶ୍ରୀନିବାସନ, କୋଷାଧ୍ୟକ୍ଷ ଅରୁଣ ଧୁମଲ, ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ୍ ସମେତ ଅନେକ ବଡ ଅଧିକାରୀ ଉପସ୍ଥିତ ଥିଲେ।

ସୂଚନା ମୁତାବକ, ବିନ୍ନି ଅଧ୍ୟକ୍ଷ ଚୟନ ହେବା ପରେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଗାଙ୍ଗୁଲି ଗତ ୩ ବର୍ଷ ଧରି ବିସିସିଆଇର ସଭାପତି ରହିଆସିଛନ୍ତି ଏବଂ ତେବେ ବୋର୍ଡର ବାର୍ଷିକ ସାଧାରଣ ସଭାରେ (ଏଜିଏମ୍) ବିନ୍ନି ପଦରୁ ଇସ୍ତଫା ଦେଇଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ଉତ୍ତେଜନା ପରେ ୬୭ ବର୍ଷୀୟ ବିନ୍ନି ବୋର୍ଡର ୩୬ ତମ ଅଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି ।୧୯୮୩ ମସିହାର ବିଶ୍ୱକପରେ ଭାରତ ଚାମ୍ପିୟନ ହେବାରେ ବିନ୍ନି ମଧ୍ୟ ସାମିଲ ଥିଲେ। ଏହା ପରେ ସେ ଆଠଟି ମ୍ୟାଚରେ ୧୮ ୱିକେଟ୍ ନେଇଥିଲେ ଯାହା ସେହି ଟୁର୍ନାମେଣ୍ଟର ରେକର୍ଡ ଥିଲା ।

ରୋଜର ବିନ୍ନି ଭାରତୀୟ କ୍ରିକେଟର ଟିମର ବୋଲର ଥିଲେ। ସେ ନିଜ କ୍ୟାରିଅରରେ ମୋଟ ୨୭ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚରେ ୪୭ଟି ଓ୍ଵିକେଟ ନେଇଛନ୍ତି। ୭୨ ଦିନିକିଆ ମ୍ୟାଚ ଖେଳି ୭୭ ଓ୍ଵିକେଟ ନେଇଛନ୍ତି। ଟେଷ୍ଟ କ୍ରିକେଟରେ ୮୩୦ ରନ୍‌ ଏବଂ ଦିନିକିଆରେ ୬୨୯ ରନ୍‌ କରିଛନ୍ତି।

Also Read : ଡିସେମ୍ବର ୧୬ରେ ଆଇପିଏଲ୍‌ ୨୦୨୩ ପାଇଁ ହେବ ନିଲାମୀ ପ୍ରକ୍ରିୟା, ପୁଣି ପୁରୁଣା ଫର୍ମାଟରେ ଖେଳାଯିବ ମ୍ୟାଚ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.