ଟିମ୍‌ ଇଣ୍ଡିଆକୁ ଝଟକା, ସେମିଫାଇନାଲ ପୂର୍ବରୁ ଅଭ୍ୟାସ କରିବା ବେଳେ ଆହତ ହେଲେ ରୋହିତ ଶର୍ମା

ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା । ଅଭ୍ୟାସ କରିବା ବେଳେ ଆହତ ହୋଇଛନ୍ତି ରୋହିତ ଶର୍ମା। ଆସନ୍ତା ୯ ତାରିଖରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ପ୍ରଥମେ ସେମିଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ ୧୦ ତାରିଖ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତେବେ ସେମିଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆ ଫ୍ୟାନ୍ସଙ୍କ ପାଇଁ ଖରାପ ସୂଚନା ରହିଛି। ତେବେ ଖୁବଶୀଘ୍ର ଟିମକୁ ଫେରିବେ ବୋଲି ମଧ୍ୟ ଖବର ମିଳିଛି ।

ଖବର ମୁତାବକ, ଅଭ୍ୟାସ କରୁଥିବା ସମୟରେ ନେଟ୍‌ରେ ହିଟ୍ ମ୍ୟାନ ଆହତ ହୋଇଛନ୍ତି। ରୋହିତ ଥ୍ରୋ ଡାଉନ ସ୍ପେଶାଲିଷ୍ଟ ହାରିଙ୍କ ବଲରେ ଆହତ ହୋଇଛନ୍ତି। ଆହତ ହୋଇ ଅସହଜ ଅନୁଭବ କରିବା ପରେ ଯନ୍ତ୍ରଣା ହୋଇଥିଲା। ପରେ ରୋହିତଙ୍କୁ ଫିଜିଓ ଓ ଡାକ୍ତର ପହଞ୍ଚି ଆଘାତକୁ ତଦାରଖ କରିଥିଲେ । ଫିଜିଓ କିଛି ସମୟ ହାତକୁ ମସାଜ କରିବା ପରେ ରୋହିତ ଶର୍ମା ଡ୍ରିଙ୍କ ବକ୍ସରେ ବସୁଥିବା ନଜର ଆସିଥିଲେ।

ରୋହିତଙ୍କର ଡାହାଣ ହାତରେ ଆଘାତ ଲାଗିଛି । ତେବେ ଅଧିନାୟକ ଆହତ ହେବା ଖବର ଶୁଣିବା ପରେ ଫ୍ୟାନ୍ସ ଟିକେ ବ୍ୟସ୍ତ ହୋଇପଡିଛନ୍ତି। ୧୦ ତାରିଖରେ ଇଂଲଣ୍ଡ ସହିତ ସେମିଫାଇନାଲ ମ୍ୟାଚ୍‌ ଖେଳିବ ଭାରତ। ହେଲେ ଏହା ପୂର୍ବରୁ ରୋହିତ ଆହତ ହେବା ଟିମ୍‌ ପାଇଁ ଚିନ୍ତାର କାରଣ ସାଜିପାରେ। ତେବେ ରୋହିତଙ୍କୁ ଲାଗିଥିବା ଚୋଟ କେତେ ଗମ୍ଭୀର ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । ଏଥିସହିତ ଆସନ୍ତା ଗୁରୁବାର ଦିନ ଭାରତ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ଖେଳିବାକୁ ଯାଉଥିବା ବେଳେ ସେ ଉକ୍ତ ମ୍ୟାଚରେ ଖେଳିବେ କି ନାହିଁ ସେନେଇ ମଧ୍ୟ କିଛି ସୂଚନା ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପର ସୁପର-୧୨ ରାଉଣ୍ଡରେ ଭାରତ ୫ ମ୍ୟାଚରୁ ୪ଟିରେ ବିଜୟ ହାସଲ କରି ମୋଟ ୮ ପଏଣ୍ଟ ହାସଲ କରିଛି । ଭାରତ କେବଳ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.