ଖେଳ ସାରି ଦେଲେ ସାମ୍ ଓ ବେନ୍, ଦିନିକିଆ ବିଶ୍ୱ କପ୍ ଫାଇନାଲ୍ରେ ବି ଷ୍ଟୋକ୍ସଙ୍କ ବ୍ୟାଟ୍ ଗର୍ଜିଥିଲା
ସରିଲା ଖେଳ । କାହାର ଆଶା ଭାଙ୍ଗିଲା ତ ଆଉ କାହାର ଆଶା ପୂର୍ଣ୍ଣ ହେଲା । ଅଷ୍ଟ୍ରେଲିଆରେ ଆୟୋଜିତ ଆଇସିସି ଟି୨୦ ବିଶ୍ୱ କପ୍ରେ ଆଜି ପାକିସ୍ତାନକୁ ୫ ଓ୍ଵିକେଟ୍ରେ ହରାଇ ଇଂଲଣ୍ଡ ଚାମ୍ପିଅନ୍ ହୋଇଛି । ୧୯୯୨ ଦିନିକିଆ ବିଶ୍ୱ କପ୍ର ସଫଳତାକୁ ଦୋହରାଇବା ପାଇଁ ପାକିସ୍ତାନ ଯେଉଁ ସ୍ୱପ୍ନ ଦେଖିଥିଲା ତାକୁ ମାଟିରେ ମିଶାଇ ଦେଇଛି ଇଂଲଣ୍ଡ । ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ସାମ୍ କୁରାନ୍ ୪ ଓଭରରେ ୧୨ ରନ୍ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ । ତାଙ୍କ ଯୋଗୁଁ ପାକିସ୍ତାନକୁ ଇଂଲଣ୍ଡ ମାତ୍ର ୧୩୭ ରନ୍ରେ ଅଟକାଇ ପାରିଲା । ସେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୩ଟି ଓ୍ଵିକେଟ୍ ନେଇଛନ୍ତି । ସେଥିପାଇଁ ତାଙ୍କୁ ମିଳିଛି ଉଭୟ ମ୍ୟାଚ୍ ଓ ସିରିଜ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ।

ତେବେ ଯିଏ ସ୍କେରକୁ ଟାଣି ଟାଣି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳ ପାଇଁ ଓ୍ଵିନିଂ ସଟ୍ ଖେଳିଲେ ସେ ହେଉଛନ୍ତି ବ୍ୟାଟର ବେନ୍ ଷ୍ଟୋକ୍ସ । ଷ୍ଟୋକ୍ସ ୪୯ ବଲ୍ରେ ୫୨ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଲେ । ଆଉ ମନେ ପକାଇ ଦେଲେ ତାଙ୍କର ଭୂମିକା କିଭଳି ଥିଲା ୨୦୧୯ ଦିନିକିଆ ବିଶ୍ୱକପ୍ରେ ଦଳକୁ ଚାମ୍ପିଅନ୍ କରାଇବାରେ । ବେନ୍ ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ସହ ହୋଇଥିବା ୨୦୧୯ ଫାଇନାଲ୍ରେ ଇଂଲଣ୍ଡ ସୁପର ଓଭରରେ ଜିତିଥିଲା । ମ୍ୟାଚ୍ ଟାଇ ହେବା ଫଳରେ ପ୍ରଥମଥର ପାଇଁ ଦିନିକିଆ ବିଶ୍ୱକପ୍ ଇତିହାସରେ ସୁପର ଓଭର ଖେଳା ଯାଇଥିଲା । ଏହି ମ୍ୟାଚ୍ରେ ଷ୍ଟୋକ୍ସ ୯୮ ବଲ୍ରୁ ଅପରାଜିତ ୮୪ ରନ୍ ସ୍କୋର କରି ଦଳକୁ ଚାମ୍ପିଅନ୍ କରାଇଥିଲେ ।
୨୦୧୯ରେ ଦିନିକିଆ ବିଶ୍ୱକପ୍ ଓ ୨୦୨୨ରେ ଟି୨୦ ବିଶ୍ୱକପ୍ ଜିତିଲା ଇଂଲଣ୍ଡ । ଆଉ ଏଥିରେ ପ୍ରମୁଖ ଭୂମିକା ରହିଛି ବେନ୍ ଷ୍ଟୋକ୍ସଙ୍କର । ଆଜି ସେ ୪ ଓଭର ବୋଲିଂ କରି ଗୋଟିଏ ଓ୍ଵିକେଟ୍ ମଧ୍ୟ ନେଇଛନ୍ତି । ଦ୍ୱିତୀୟଥର ପାଇଁ ଚାମ୍ପିଅନ୍ ହୋଇଥିବା ଇଂଲଣ୍ଡ ଏହା ପୂର୍ବରୁ ୨୦୧୦ରେ ଟି୨୦ ବିଶ୍ୱ କପ୍ ବିଜୟୀ ହୋଇଥିଲା । ସେମିଫାଇନାଲ୍ରେ ଶକ୍ତିଶାଳୀ ଭାରତକୁ ୧୦ ଓ୍ଵିକେଟ୍ରେ ହରାଇବା ପରେ ପାକିସ୍ତାନ ବିପକ୍ଷରେ ଜିତି ଇଂଲଣ୍ଡ ଟି୨୦ରେ ବି ମାହିର ବୋଲି ପ୍ରମାଣିତ କରିଛି ।