ଖୋଲିଲା ସାଗର ଧନକର ହତ୍ୟା ମାମଲାର ଗୁମର, କଲର ଧରିବାରୁ ଜୀବନ ନେଇଗଲେ ରେସଲର ସୁଶୀଲ କୁମାର

ରେସଲର ପାଲଟିଲା କିଲର। ଦୁଇ ଦୁଇଟି ଅଲମ୍ପିକ ପଦକ ଜିତି ଦିନେ ଦେଶର ନାଁ ରଖିଥିବା ରେସଲର ସୁଶୀଲ କୁମାର ଆଜି ଜେଲର ଚାରି କାନ୍ଥ ଭିତରେ। ସାଗର ଧନକର ହତ୍ୟା ମାମଲାରେ ଚାଂଚଲ୍ୟକର ଖୁଲାସା ପରେ ଗିରଫ ହୋଇଛନ୍ତି ଅଲିମ୍ପିଆନ ସୁଶୀଲ କୁମାର। ଗିରଫ ହେବା ପରେ ସାମ୍ନାକୁ ଆସିଛି ମର୍ଡର ପଛର କାରଣ। କେବଳ ପ୍ରତିଶୋଧ ପାଇଁ ହିଁ ନିଆଯାଇଛି ଜୀବନ। ତେବେ ବର୍ତ୍ତମାନ ଦିଲ୍ଲୀ ପୋଲିସ ରିମାଣ୍ଡରେ ଅଛନ୍ତି ସୁଶୀଲ କୁମାର ଓ ତାଙ୍କ ସହଯୋଗୀ।

ତେବେ ଆସନ୍ତୁ ଜାଣିବା ଏହି ଝଗଡ଼ାର ସୂତ୍ରପାତ ହୋଇଥିଲା କେମିତି…

ଗତ ମେ ୪ରେ ହତ୍ୟା କରାଯାଇଥିଲା ରେସଲର ସାଗରଙ୍କୁ। ତଦନ୍ତରୁ ଜଣାପଡ଼ିଛି ଯେ ସେହି ଦିନ ଛତ୍ରଶାଲ ଷ୍ଟାଡ଼ିୟମରେ କିଛି ଲୋକ ସୁଶୀଲ କୁମାରଙ୍କୁ ଗାଳି ମନ୍ଦ କରି ବେଇଜ୍ଜତ୍ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ସୁଶୀଲ ହରିୟାଣାରୁ ଡାକିଥିଲେ ଗୁଣ୍ଡା। ରାତିରେ ସେହି ଗୁଣ୍ଡାମାନେ ମାଡ଼ପିଟ କରିଥିଲେ, ଫଳରେ ସାଗରଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଯେଉଁଦିନ ଏହି ଘଟଣା ଘଟିଲା ସେଦିନ କୁଖ୍ୟାତ ଗ୍ୟାଙ୍ଗଷ୍ଟର କାଲା ଜଠେଡିଙ୍କ ଭଣଜା ସୋନୁ, ରବିନ୍ଦ୍ର ଏବଂ ଅନ୍ୟ କିଛି ଲୋକ ଦିଲ୍ଲୀର ମଡେଲ ଟାଉନ ଫ୍ଲାଟରେ ସୁଶୀଲଙ୍କ ସହ ଝଗଡା କରିଥିଲେ। ସେମାନେ ସୁଶୀଲଙ୍କ ସାର୍ଟ କଲର ଧରି ତାଙ୍କୁ ନାଲି ଆଖି ଦେଖାଇଥିଲେ। ଏତିକିରେ ସରିନଥିଲା ବେଇଜ୍ଜତି। ସେମାନେ ତାଙ୍କୁ ଦେଖି ନେବୁ କହି ଧମକ ଦେବା ସହ ସେଠାରୁ ଧକ୍କା ମାରି ବାହାର କରିଦେଇଥିଲେ।

ଏହି ଘଟଣାରେ ଉତକ୍ଷିପ୍ତ ହୋଇ ଘାଇଲା ବାଘ ପରି ପ୍ରତିଶୋଧ ନେବାକୁ ଚିନ୍ତା କରିଥିଲେ ସୁଶୀଲ କୁମାର। ଏଥିପାଇଁ ସେ ରେସଲର ତଥା ଗୁଣ୍ଡା ନୀରଜ ବାୱାନା ଏବଂ ଅସୌଦା ଗ୍ୟାଙ୍ଗର କିଛି ଲୋକଙ୍କର ସାହାଯ୍ୟ ଲୋଡ଼ିଥିଲେ । ସୁଶୀଲ କିଛି ଘଣ୍ଟା ମଧ୍ୟରେ ହରିୟାଣାରୁ ଗୁଣ୍ଡା ଡକାଇଥିଲେ। ଗୁଣ୍ଡାମାନେ ସାଗରଙ୍କ ଫ୍ଲାଟରେ ପହଞ୍ଚି ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ କିଡନାପ କରି ଛତ୍ରସାଲ ଷ୍ଟାଡିୟମ ନେଇଥିଲେ। ସେଠାରେ ତାଙ୍କୁ ପ୍ରବଳ ପିଟିଥିଲେ। ଏଥିରେ ୨୩ ବର୍ଷୀୟ ସାଗର ଧନକର ଗୁରୁତର ହୋଇପଡ଼ିଥିଲେ। ପରେ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଥିଲା ।

ଅଭିଯୋଗ ପରେ ସୁଶୀଲଙ୍କ ବିରୋଧରେ ୩୦୨,୩୦୮,୩୬୫,୩୨୫,୩୨୩, ୩୪୧ ଓ ୫୦୬ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ । ମାମଲା ପରଠାରୁ ସୁଶୀଲ ଫେରାର ହୋଇଯାଇଥିଲେ। ଫଳରେ ତାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ପଞ୍ଜାବ ଓ ହରିୟାଣାର ଚଢଉ କରାଯାଇଥିଲା। ଏଥିସହ ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କ ସଂପର୍କରେ ସୂଚନା ଦେବା ଲାଗି ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ୧୫ରେ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। ଗତ ସପ୍ତାହରେ ଦିଲ୍ଲୀ ପୋଲିସ ସୁଶୀଲଙ୍କ ପାଇଁ ଲୁକ ଆଉଟ ନୋଟିସ ଜାରି କରିଥିଲା। ତେବେ ପୂର୍ବରୁ ମଧ୍ୟ ସୁଶୀଲଙ୍କ ବିରୋଧରେ ଗୁଣ୍ଡାଗିରି କରୁଥିବା ନେଇ ଅଭିଯୋଗ ହୋଇଥିଲା। ମାତ୍ର ରେସଲର ହୋଇଥିବାରୁ ମାମଲାକୁ ଚପାଇ ଦିଆଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.