ICC ଟି-୨୦ ବିଶ୍ୱକପ୍‌ ୨୦୨୪ର ତାରିଖ ଘୋଷିତ, ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ୨୦ଟି ଦଳ

ଆସନ୍ତା ବର୍ଷ ଆୟୋଜନ ହେବ ‘ICC ଟି-୨୦ ବିଶ୍ୱକପ୍‌’ର ୯ମ ସଂସ୍କରଣ। ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ଜୁନ୍ ୪ରୁ ୩୦ ମଧ୍ୟରେ ଖେଳାଯିବ। ପ୍ରଥମ ଥର ଏଥିରେ ୨୦ଟି ଦଳ ଅଂଶଗ୍ରହଣ କରିବେ।

ଦିନିକିଆ ବିଶ୍ୱକପ୍ ୨୦୨୩ ଆରମ୍ଭ ହେବାକୁ ଆଉ ମାତ୍ର ୨ ମାସ ବାକି ଥିବାବେଳେ ଏହାରି ଭିତରେ ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବାକୁ ଥିବା ପୁରୁଷ ଟି-୨୦ ବିଶ୍ୱକପର ତାରିଖ ଘୋଷିତ ହୋଇଛି। ରିପୋର୍ଟ ମୁତାବକ, ଆସନ୍ତା ବର୍ଷ ଆୟୋଜନ ହେବାକୁ ଥିବା ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ଜୁନ୍ ୪ରୁ ୩୦ ମଧ୍ୟରେ ଖେଳାଯିବ।

ପ୍ରଥମ ଥର ଏହି ଟି-୨୦ ବିଶ୍ୱକପରେ ୨୦ଟି ଦଳ ଭାଗ ନେବେ, ସେଥିମଧ୍ୟରୁ ୧୫ଟି ଦଳ ଏ ପର୍ଯ୍ୟନ୍ତ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଟି-୨୦ର ସମସ୍ତ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ୧୦ଟି ଗ୍ରାଉଣ୍ଡରେ ଖେଳାଯାଇପାରେ।

ଆମେରିକାର ଫ୍ଲୋରିଡା, ମୋରିସଭିଲେ, ଡଲାସ୍ ଓ ନ୍ୟୁୟର୍କକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକାଭୁକ୍ତ କରାଯାଇଛି। ଆଇସିସି ଦଳ ଖୁବ୍‌ ଜଲ୍‌ଦି ଏଠାକୁ ଆସି ଗ୍ରାଉଣ୍ଡ୍‌ ପରିଦର୍ଶନ କରିବେ ଏବଂ ନିଷ୍ପତ୍ତି ନେବେ। ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାରେ ଭିତ୍ତିଭୂମି ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇନାହିଁ। ଯଦି ଆଇସିସି ମୂଲ୍ୟାଙ୍କନରେ ସନ୍ତୁଷ୍ଟ ନ ହୁଏ, ତେବେ ଟୁର୍ଣ୍ଣାମେଣ୍ଟକୁ ଇଂଲଣ୍ଡ ସ୍ଥାନାନ୍ତର କରାଯାଇପାରେ।

ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ଶ୍ରେଷ୍ଠ-୮ଟି ଦଳ ସହିତ ଆଇସିସି ର଼୍ୟାଙ୍କିଙ୍ଗର ଶ୍ରେଷ୍ଠ-୧୦ରେ ଥିବା ୨ଟି ଦଳ ସିଧାସଳଖ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହା ସହିତ ଆୟୋଜକ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ମଧ୍ୟ ଟୁର୍ଣ୍ଣାମେଣ୍ଟ ପାଇଁ ସିଧାସଳଖ ଟିକେଟ୍ ପାଇବେ। ସେପଟେ କ୍ୱାଲିଫାୟର ରାଉଣ୍ଡ ଖେଳି ଅନ୍ୟ ୩ଟି ଦଳ ମଧ୍ୟ ନିଜ ସ୍ଥାନ ନିଶ୍ଚିତ କରିଛନ୍ତି।

ରିପୋର୍ଟ ଅନୁସାରେ, ୨୦ଟି ଦଳକୁ ୪ଟି ବିଭାଗରେ ବିଭକ୍ତ କରାଯିବ। ପ୍ରତ୍ୟେକ ବିଭାଗରେ ୫ଟି ଲେଖାଏ ଦଳ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.