ରୋହିତ, ରାୟୁଡୁ ମାରିଲେ ଶତକ : ଇଣ୍ଡିଜ୍ ଆଗରେ ଟାର୍ଗେଟ୍ ୩୭୮ ରନ୍

ମୁମ୍ବାଇ : ରୋହିତ ଶର୍ମାଙ୍କ ୧୬୨ ଓ ଅମ୍ବାତି ରାୟୁଡୁଙ୍କ ଠିକ୍ ଶହେ ରନ୍ ବଳରେ ୱେଷ୍ଟଇଣ୍ଡିଜ ଆଗରେ ଚତୁର୍ଥ ଦିନିକିଆ ଜିତିବା ପାଇଁ ବିରାଟ ବାହିନୀ ରଖିଛି ୩୭୮ ରନ୍ ଟାର୍ଗେଟ । ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୫ ୱିକେଟରେ ୩୭୭ ରନ୍ କରିଛି ।

୩ୟ ମ୍ୟାଚରେ ହାରିବା ପରେ ଆଉ ଚାନ୍ସ ନେବାକୁ ଚାହିଁ ନାହିଁ ଭାରତୀୟ ଦଳ । ଓପନିଂ ଯୋଡ଼ିରୁ ଆରମ୍ଭ କରି ଷଷ୍ଠ ୱିକେଟ୍ ପର୍ଯ୍ୟନ୍ତ ସବୁଥିରେ ଭଲ ଭାଗିଦାରୀ ଯୋଗୁଁ ଘରୋଇ ଦଳ ଏହି ବଡ଼ ସ୍କୋର କରି ପାରିଛି । ରୋହିତ ଶର୍ମା ୧୩୭ ବଲ୍ ଖେଳି ୧୬୨ ରନର ବଡ଼ ଇନିଂସ୍ ଖେଳିଥିଲେ । ୩ୟ ୱିକେଟରେ ରାୟୁଡୁଙ୍କ ସହ ତାଙ୍କର ଭାଗିଦାରୀରେ ୨୧୧ ରନ୍ ସଂଗ୍ରହ ହୋଇଥିଲା । ଯାହା ଭାରତ ପାଇଁ ବେଶ୍ ମୂଲ୍ୟବାନ ଥିଲା । ରୋହିତ ତାଙ୍କ ଇନିଂସ ମଧ୍ୟରେ ୨୦ଟି ଚୌକା ଓ ୪ଟି ଛକା ମାରିଥିଲେ । ଏହା ହେଉଛି ତାଙ୍କର ୨୧ତମ ଦିନିକିଆ ଶତକ । ସେହିପରି ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ରାୟୁଡୁ ୮୧ ବଲରେ ୧୦୦ ରନ୍ କରି ରନ୍ଆଉଟ୍ ହୋଇ ଯାଇଥିଲେ । ଏଥିରେ ରହିଛି ୮ଟି ଚୌକା ଓ ୪ଟି ଛକା । ରାୟୁଡୁଙ୍କର ଏହା ୩ୟ ଦିନିକିଆ ଶତକ । ଏ ଦୁହେଁ ଆଉଟ୍ ହେବା ପରେ ଫର୍ମରେ ନଥିବା ଧୋନି ୧୫ ବଲରୁ ୨୩ ରନ୍ କରିଥିଲେ । କେଦାର ଯାଦବ ଓ ଜାଡେଜା ଅସମାପ୍ତ ଷଷ୍ଠ ୱିକେଟରୁ ଶେଷ ୯ଟି ବଲରେ ସଂଗ୍ରହ କରିଥିଲେ ୨୨ ରନ୍ ।

ପୂର୍ବରୁ ଶିଖର ଧବନ ୩୮, ଲଗାତର ଦୁଇଟି ମ୍ୟାଚରେ ଦୁଇଟି ଶତକ କରିଥିବା ବିରାଟ କୋହଲି ୧୬ ରନ୍ କରି ଆଉଟ୍ ହୋଇଥିଲେ । ଏବେ ଇଣ୍ଡିଜକୁ ଜିତିବା ପାଇଁ ଓଭର ୭.୫୪ ହାରରେ ରନ୍ ସଂଗ୍ରହ କରିବାକୁ ହେବ ।

ସ୍କୋର : ଭାରତ, ୩୭୭/୫, ୫୦ ଓଭର (ରୋହିତ ଶର୍ମା ୧୬୨, ଧବନ ୩୮, କୋହଲି ୧୬, ରାୟୁଡୁ ୧୦୦, ଧୋନି ୨୩, କେଦାର ଯାଦବ ଅପରାଜିତ ୧୬, ଜାଡେଜା ଅପରାଜିତ ୭ । ରୋକ୍ ୨/୭୪ ।)

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.