ଶେଷ ଟେଷ୍ଟରେ ଇଂଲଣ୍ଡକୁ ଏକ ଇନିଂସ ଓ ୨୫ ରନରେ ହରାଇଲା ଭାରତ, ୩-୧ରେ ସିରିଜ ଜିତିଲା ଟିମ୍ ଇଣ୍ଡିଆ
ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟର ୩ୟ ଦିନରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ମ୍ୟାଚ୍ ଜିତିବା ସହିତ ୪ ଟିକିଆ ଟେଷ୍ଟ ସିରିଜକୁ ମଧ୍ୟ ଜିତିଛି ଟିମ୍ ଇଣ୍ଡିଆ। ଇଂଲଣ୍ଡ ପ୍ରଥମ ଇନିସଂରେ ବ୍ୟାଟିଂ ଆରମ୍ଭ କରି ମାତ୍ର ୨୦୫ ରନରେ ଅଲଆଉଟ ହୋଇଥିଲା । ଜବାବରେ ଋଷଭ ପନ୍ତଙ୍କ ଦମଦାର ଶତକ ଏବଂ ଓ୍ବାଶିଂଟନ ସୁନ୍ଦରଙ୍କ ଆକର୍ଷଣୀୟ ଅପରାଜିତ ୯୬ ରନ ବଳରେ ୩୬୫ ରନରେ ଅଲଆଉଟ ହୋଇଥିଲା ଭାରତ । ଇଂଲଣ୍ଡ ୧୩୫ ରନ କରି ଅଲଆଉଟ ହୋଇଛି। ଫଳରେ ଭାରତ ୨୫ ରନରେ ମ୍ଯାଚକୁ ଜିତି ନେଇଛି।
ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଆରମ୍ଭରୁ ହିଁ ବ୍ୟାଟିଂ ଫେଲ ମାରିଥିଲା। ପଡିଆ ମଧ୍ୟରେ ଭାରତୀୟ ଷ୍ଟାର ସ୍ପିନ୍ ଯୋଡି ରବିଚନ୍ଦ୍ରନ ଅଶ୍ବିନ ଏବଂ ଅକ୍ଷର ପଟେଲ ଇଂଲଣ୍ଡକୁ ଧରାଶୟୀ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଓପନର ଜ୍ୟାକ୍ କ୍ରାଉଲୀ ୫ ଏବଂ ଡୋମ୍ ଶିବଲୀ ୩ ରନ୍ କରି ଆଉଟ ହୋଇଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଜୋନି ବୟାରିଷ୍ଟୋ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ । ଅଧିନାୟକ ଜୋ ରୁଟ୍ (୩୦) ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ଇନିଂସ ଖେଳିବାକୁ ସକ୍ଷମ ହୋଇନଥିଲେ । ବେନ୍ ଷ୍ଟୋକସ୍ ୨ରନ୍ ଏବଂ ଓଲି ପୋପ୍ ୧୫ ରନ କରି ଆଉଟ ହୋଇଛନ୍ତି । ଡାନିଏଲ ଲରେନ୍ସ ୪୬ ରନ, ଫୋକସ ୧ ରନ, ଡମ ବେସ୍ ୩ ରନ, ଜ୍ଯାକ ଲିଚ ୭ ରନ, ଜେମ୍ସ ଆଣ୍ଡରସନ ୧୦ ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ଅଶ୍ୱିନ ଓ ଅକ୍ଷର ପଟେଲ ୫ ୱିକେଟ ଲେଖାଏଁ ଅକ୍ତିଆର କରିଥିଲେ।
ଏହାସହିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପରେ ନିଜର ସ୍ଥାନକୁ ପକ୍କା କରିଛି ଟିମ୍ ଇଣ୍ଡିଆ।