ବିଶ୍ୱକପରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍: ମୁହାଁମୁହିଁ ହେବେ ଆୟର୍ଲାଣ୍ଡ-ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ

କେନ୍ୟୁଜ୍: ବିଶ୍ୱକପରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଆୟର୍ଲାଣ୍ଡ ଓ ଇଂଲଣ୍ଡ । ଆଉ କିଛି ସମୟ ପରେ ମ୍ୟାଚ୍ ଆରମ୍ଭ ହେବ । ଚଳିତ ବିଶ୍ୱକପରେ ଅନ୍ୟତମ ଟାଇଟଲ୍ ଦାବିଦାର ରହିଛି ଇଂଲଣ୍ଡ । ୨୦୧୧ ଦିନିକିଆ ବିଶ୍ୱକପରେ ଇଂଲଣ୍ଡକୁ ହରାଇଥିଲା ଆୟର୍ଲାଣ୍ଡ । ସେହିପରି ଦ୍ୱିତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ଅପରାହ୍ନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍ ଖେଳାଯିବ । ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ କିଓ୍ଵି ଦଳ । ସେପଟେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବା କ୍ଷମତା ବି ରଖିଛି ଆଫଗାନିସ୍ତାନ ।
ଅନ୍ଯପଟେ ଟି-ଟେ୍ଵଣ୍ଟି ବିଶ୍ୱକପରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡ୍ଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ । ଗତକାଲି ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍ରେ ହରାଇଛି କଙ୍ଗାରୁ ବାହିନୀ । ଅଷ୍ଟ୍ରେଲିଆ ପକ୍ଷରୁ ଧୂଆଁଧାର ଓ ବିସ୍ଫୋରକ ଇନିଂସ ଖେଳିଥିଲେ ମାର୍କସ ଷ୍ଟନିସ୍ । ଅପରାଜିତ ୫୯ ରନ୍ ପିଟିଥିଲେ । ୧୮ ବଲରୁ କରିଥିଲେ ୫୯ ରନ୍ । ଯେଉଁଥିରେ ରହିଛି ୬ଟି ବିଶାଳ ଛକା ଓ ୪ଟି ଚୌକା । ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୬ ଓ୍ଵିକେଟ୍ରେ କରିଥିଲା ୧୫୭ ରନ୍ ।
ଜବାବରେ ଅଷ୍ଟ୍ରେଲିଆ ୧୬.୩ ଓଭରରେ ଟାର୍ଗେଟ ହାସଲ କରି ନେଇଥିଲା । ଷ୍ଟଇନିସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ହାତରେ ୭ ଓ୍ଵିକେଟ ଓ ୩ ଓଭର ବାକି ଥାଇ ବିଜୟୀ ହୋଇଥିଲା । ମାର୍କସ ଷ୍ଟଇନିସ୍ଙ୍କ ଧୂଆଁଧର ବ୍ୟାଟିଂରେ କୌଣସି ଶ୍ରୀଲଙ୍କା ବୋଲର ବର୍ତ୍ତି ନଥିଲେ । ସମସ୍ତଙ୍କୁ ନିର୍ଧୁମ ପ୍ରହାର କରିଥିଲେ ଷ୍ଟଇନିସ୍ । ଚୌକା ଓ ଛକା ବର୍ଷା କରିଥିଲେ । ଯୁବରାଜ ସିଂଙ୍କ ପରେ ଦ୍ୱିତୀୟ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି ମାର୍କସ ଷ୍ଟଇନିସ୍ ।