ଡେବ୍ୟୁ କ୍ୟାପ୍ ମିଳିବା ପରେ କ୍ୟାମେରାମ୍ୟାନ୍କୁ ଧକ୍କା ଦେଇଥାନ୍ତେ ଉମରାନ ମଲ୍ଲିକ, ସାଥି ଖେଳାଳି ସମ୍ଭାଳିନେଲେ ପରିସ୍ଥିତି

ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ହାରିଛି ଭାରତ। କିନ୍ତୁ ଏହି ମ୍ୟାଚ୍ରେ ଉମରାନ ମଲ୍ଲିକ ଡେବ୍ୟୁ କରି ଭାରତୀୟ ଫ୍ୟାନ୍ସଙ୍କ ଖୁସି ଖବର ଦେଇଛନ୍ତି। ଉମରାନଙ୍କୁ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମର କ୍ୟାପ୍ ଦିଆଯାଇଥିଲା। ଆଉ ଏହି ସମୟରେ ଏମିତି କିଛି ଘଟଣା ଘଟିଥିଲା, ଯାହା ଦେଖିବା ପରେ ସମସ୍ତେ ହସିବାକୁ ଲାଗିଥିଲେ। ଆଉ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।
ଉମରାନଙ୍କୁ ଡେବ୍ୟୁ କ୍ୟାପ୍ ନେବା ପାଇଁ ଡକାଯାଇଥିଲା ଆଉ ଏହି ସମୟରେ ଟିମର ସମସ୍ତ ଖେଳାଳି ତଥା ସପୋର୍ଟ ଷ୍ଟାଫ ଏକ ଘେରା ହୋଇ ତାଳି ମାରିଥିଲେ। ଉମରାନ ଏତେ ଖୁସି ଥିଲେ ଯେ, ଅଚାନକ ପଛକୁ ଚାହିଁଥିଲେ, ହେଲେ ସେ ଜାଣିନଥିଲେ ତାଙ୍କ ପଛରେ କ୍ୟାମେରାମ୍ୟାନ୍ ଛିଡା ହୋଇଥିବେ। ସେ କ୍ୟାମେରାମ୍ୟାନ ସହିତ ଧକ୍କା ହେବା ପୂର୍ବରୁ ସାଥି ଖେଳାଳି ଚିତ୍କାର କରି ବଞ୍ଚାଇ ଦେଇଥିଲେ। ଏହା ପରେ ସେ କ୍ୟାପ୍ ଲଗାଇ ସାଥି ଖେଳାଳିଙ୍କ ସହିତ ଛିଡା ହୋଇଥିଲେ। ଏହା ଦେଖି ସମସ୍ତ ସାଥି ଖେଳାଳି ଜୋର ଜୋର ହସିବାକୁ ଲାଗିଥିଲେ।
ଦେଖନ୍ତୁ ଭିଡିଓ :
#UmranMalik nearly collides with a cameraman after getting his ODI cap #NZvsIND #NzvsINDonPrime pic.twitter.com/tJ8mTMv9DR
— Anubhav shahi 🇮🇳🇮🇳🇮🇳🇮🇳🇮🇳 (@Anubhavshahi48) November 25, 2022
ତେବେ ଉମରାନ ନିଜର ଡେବ୍ୟୁ ମ୍ୟାଚରେ ପ୍ରଭାବଶାଳୀ ବୋଲିଂ କରିଥିଲେ। ୧୦ ଓଭର ବୋଲିଂ କରି ୬୬ ରନ ଦେଇ ୨ଟି ଓ୍ଵିକେଟ ନେଇଥିଲେ ଉମରାନ ।
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ପ୍ରଥମ ଦିନିକିଆ ମ୍ୟାଚ୍ରେ ପରାଜୟ ବରଣ କରିଛି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୩୦୬ ରନ କରିଥିଲା । ପ୍ରଥମେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲା । ପ୍ରଥମେ ଓପନିଂ ଯାଇଥିଲେ ଶିଖର ଧାଓ୍ଵନ ଏବଂ ଶୁଭମନ ଗିଲ । ଏହି ଦୁଇ ଜଣ ବ୍ୟାରଟର ବହୁତ ଭଲ ପ୍ରଦର୍ଶନ କରି ଥିଲେ । ଶିଖର ଧାଓ୍ଵନ ୭୭ ବଲରେ ୭୨ ରନ, ଶୁଭମନ ଗିଲ ୬୫ ବଲରେ ୫୦ ରନ ଏବଂ ଶ୍ରେୟସ ଆୟାର ସର୍ବାଧିକ ୭୬ ବଲରେ ୮୦ ରନ କରି ଭାରତକୁ ଏକ ଭଲ ସ୍କୋରରେ ପହଞ୍ଚାଇଥିଲେ ।
ଭାରତ ଦେଇଥିବା ୩୦୭ ରନର ଲକ୍ଷ୍ୟକୁ ପିଛାକରି ନ୍ୟୁଜିଲାଣ୍ଡ ୨.୫ ଓଭର ବାକିଥାଇ ମାତ୍ର ୩ଟି ଓ୍ଵେକେଟ ହରାଇ ବିଜୟ ହାସଲ କରିନେଇଥିଲା । ନ୍ୟୁଜିଲାଣ୍ଡର ଓ୍ଵିକେଟ୍ କିପର ଟମ୍ ଲାଥମ୍ ଧୂଆଁଧାର ବ୍ୟାଟିଂ କରି ଅପରାଜିତ ୧୦୪ ବଲରେ ୧୪୫ ରନ କରି ଭାରତ ହାତରୁ ମୁକାବିଲାକୁ ଛଡ଼ାଇ ନେଇଥିଲେ । ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଉଇଲିୟମ୍ସନ ମଧ୍ୟ ଅପରାଜିତ ୯୮ ବଲରେ ୯୪ ରନର ଏକ ବିସ୍ଫୋରକ ପାଳି ଖେଳିଥିଲେ । ନ୍ୟୁଜିଲାଣ୍ଡର ଏହି ଦୁଇ ବିସ୍ଫୋରକ ବ୍ୟାଟରଙ୍କ ଆଗରେ ଭାରତୀୟ ବୋଲର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।