ବିରାଟ ରାଗିଲେ କାହିଁକି, ତାଙ୍କ ଆଉଟ୍‌ କଣ ଠିକ୍‌ ଥିଲା ?

ମୁମ୍ବାଇ : ଓ୍ଵାଙ୍ଖଡ଼େ ଷ୍ଟାଡିୟମ୍‌ରେ ଆଜି ଆରମ୍ଭ ହୋଇଛି ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ । ଆଜି ପ୍ରଥମ ଦିନରେ ଭାରତ ଭଲ ଖେଳି ୨୨୧ ରନ୍‌ କରିଛି । ଏଥିରେ ରହିଛି ଓପ୍ନର ମୟଙ୍କ ଅଗ୍ରଓ୍ଵାଲଙ୍କ ଅପରାଜିତ ଶତକ । ହେଲେ ତା ଭିତରେ ଆଉ ଦୁଇଜଣ ବରିଷ୍ଠ ଖେଳାଳି ଶୂନରେ ଆଉଟ୍‌ ହୋଇଛନ୍ତି । ସେମାନେ ହେଲେ ଚେତେଶ୍ୱର ପୂଜାରା ଏବଂ ଅଧିନାୟକ ବିରାଟ କୋହଲି ।

ସମସ୍ତେ ଭାବିଥିଲେ କି ଦଳକୁ ଫେରିବା ପରେ କୋହଲିଙ୍କ ବ୍ୟାଟ୍‌ରୁ କିଛି କମାଲ ଦେଖିବାକୁ ମିଳିବ । କାରଣ ସେ ବର୍ତ୍ତମାନ ସୁଦ୍ଧା ୪୧ଟି ଟେଷ୍ଟ ଶତକ କରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ସମକକ୍ଷ ଅଛନ୍ତି । ଏଠି ସେ ପଣ୍ଟିଂଙ୍କ ରେକର୍ଡ଼ ଭାଙ୍ଗିବେ ବୋଲି ଫ୍ୟାନ୍‌ମାନେ ଆଶା କରୁଥିଲେ । ହେଲେ ପ୍ରଥମ ପାଳିରେ ଶୂନରେ ଆଉଟ୍‌ ହେଲେ କୋହଲି । ତେବେ ଏଇ ଆଉଟ୍‌କୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ଖୁବ୍‌ ଜୋରସୋରରେ ଚର୍ଚ୍ଚା ହେଉଛି । ଭିଡିଓ ଫୁଟେଜ ବି କହୁଛି ଅମ୍ପାୟାର ଭୁଲ କରିଛନ୍ତି ।

VIRAT-3

 

ମ୍ୟାଚ୍‌ର ୩୦ତମ ଓଭରରେ ପ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ ପ୍ରଥମେ ପୂଜାରାଙ୍କୁ ଆଉଟ୍‌ କରିଥିଲେ । ତା ପରେ ଶେଷ ବଲ୍‌ରେ କୋହଲିଙ୍କୁ ଏଲ୍‌ବିଡବଲ୍ୟୁ କରି ବଡ଼ ସଫଳତା ପାଇଲେ । ଏହି ସମୟରେ ଅବଶ୍ୟ ଟିକେ ଡ୍ରାମା ଦେଖିବାକୁ ମିଳିଥିଲା । ପଟେଲଙ୍କ ବଲ୍‌ କୋହଲିଙ୍କ ପ୍ୟାଡ୍‌ରେ ବାଜିବା ପରେ ସେ ଅପିଲ କରିଥିଲେ । ଅମ୍ପାୟାର ଅନୀଲ ଚୌଧୁରୀ ସଂଗେ ସଂଗେ ଆଙ୍ଗୁଠି ଉଠାଇ ଆଉଟ୍‌ ଦେଇଦେଲେ । ତେବେ ଏଥିରେ ଅସନ୍ତୁଷ୍ଟ କୋହଲି ଡିଆରଏସ୍‌ ମାଗିଲେ । କିନ୍ତୁ ଥାର୍ଡ଼ ଅମ୍ପାୟାର ବି ଆଉଟ୍‌ ଦେଲେ । ଯଦିଓ ବଲ୍‌ କୋହଲିଙ୍କ ବ୍ୟାଟ୍‌ରେ ବାଜିବା ପରେ ପ୍ୟାଡ୍‌ରେ ବାଜିଥିଲା । ତେଣୁ ଖୁବ୍‌ ରାଗି ଯାଇଥିଲେ ବିରାଟ । ପଡ଼ିଆରୁ ବାହାରିବା ପରେ ବାଉଣ୍ଡାରୀ ଲାଇନ୍‌ ନିକଟରେ ବ୍ୟାଟ୍‌କୁ ଖୁବ୍‌ ଜୋର୍‌ରେ ପିଟି ଦେଇ ନିଜର ଅସନ୍ତୋଷ ପ୍ରକାଶ କଲେ ।

ବିରାଟ ତାଙ୍କ ଟେଷ୍ଟ କ୍ୟାରିୟରରେ ୧୪ଥର ପାଇଁ ଶୂନରେ ଆଉଟ୍‌ ହେଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ହେଉଛି ତାଙ୍କର ପ୍ରଥମ ଜିରୋ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.