ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍‌ ପଡିଲେ ଦୀପକ ଚହର, ଓ୍ଵାଶିଂଟନ ସୁନ୍ଦରଙ୍କୁ ମିଳିଲା ସୁଯୋଗ

ଟିମ୍‌ ଇଣ୍ଡିଆ ଲାଗିଲା ପୁଣି ଏକ ବଡ ଝଟକା। ସାଉଥ ଆଫ୍ରିକା ଦିନିକିଆ ସିରିଜର ବାକି ମ୍ୟାଚ୍‌ ପାଇଁ ଦଳରୁ ବାଦ୍‌ ପଡିଲେ ଦୀପକ ଚହର। ଦୀପକଙ୍କ ସ୍ଥାନରେ ଟିମ୍‌ରେ ସାମିଲ ହେଲେ ଓ୍ଵାଶିଂଟନ ସୁନ୍ଦର। ଲକ୍ଷ୍ମୌରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍ ପୂର୍ବରୁ ଟ୍ରେନିଂ ସମୟରେ ଦୀପକ ଚହରଙ୍କୁ ଆଘାତ ଲାଗିଥିଲା। ଆଉ ଏଥିପାଇଁ ଦଳର ଦ୍ରୁତ ବୋଲର ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ୍ରୁ ବାଦ୍ ପଡିଛନ୍ତି।

ବିସିସିଆଇ ଟ୍ଵିଟର ଜରିଆରେ ଦୀପକ ଚହରଙ୍କ ରିପ୍ଲେସମେଣ୍ଟ ବିଷୟରେ ଘୋଷଣା କରିଛି। ବୋର୍ଡ ଟ୍ଵିଟ୍‌ କରି କହିଛନ୍ତି, ସାଉଥଆଫ୍ରିକା ବିପକ୍ଷ ବାକି ଦିନିକିଆ ସିରିଜ ପାଇଁ ଦୀପକ ଚହରଙ୍କ ସ୍ଥାନରେ ଓ୍ଵାଶିଂଟନ ସୁନ୍ଦରଙ୍କୁ ସାମିଲ କରାଯାଇଛି। ଇନ୍ଦୋରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଚହରଙ୍କ ପିଠିରେ ଆଘାତ ଲାଗିଥିଲା। ଫଳରେ ଲକ୍ଷ୍ନୌରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଖେଳି ପାରିନଥିଲେ ଚହର। ତାଙ୍କ ସ୍ଥାନରେ ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇଛି।

ଓ୍ଵାଶିଂଟନ ଦିନିକିଆ ଫର୍ମାଟରେ ନିଜର ଶେଷ ମ୍ୟାଚ୍ ଚଳିତ ବର୍ଷ ଫେବୃଆରୀରେ ଖେଳିଥିଲେ। ବର୍ତ୍ତମାନ ଦୀପକ ଚହର ପୁଣି ଥରେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ) ଯିବେ ଏବଂ ସେଠାରେ ଡାକ୍ତରଙ୍କ ନୀରିକ୍ଷଣରେ ରହିବେ। ସେ ଟି-୨୦ ବିଶ୍ଵ କପ୍ ପାଇଁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଅଷ୍ଟ୍ରେଲିଆ ଗସ୍ତ କରିବେ କି ନାହିଁ ତାହା ଦୀପକଙ୍କ ଫିଟନେସ୍ ଉପରେ ନିର୍ଭର କରେ।

ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ନିକଟରୁ ୯ ରନରେ ପରାସ୍ତ ହୋଇଥିଲା।  ତେବେ ଦକ୍ଷିଣ ଆଫ୍ରିକା ସହିତ ହେବାକୁ ଥିବା ବାକି ଦୁଇଟି ମ୍ୟାଚ୍‌ ରବିବାର ଅର୍ଥାତ୍‌ ଅକ୍ଟୋବର ୯ ରାଞ୍ଚିରେ ଦ୍ଵିତୀୟ ଏବଂ ଅକ୍ଟୋବର ୧୧ରେ ନୂଆଦିଲ୍ଲୀର ତୃତୀୟ ଦିନିକିଆ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ।

ବର୍ତ୍ତମାନ ଟି-୨୦ ବିଶ୍ଵକପ୍ ଦଳରେ ଯଶପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ଦଳରେ ସାମିଲ୍ କରାଯିବ। ଶାମି ଧିରେ ଧିରେ ଫିଟ୍ ହେବାରେ ଲାଗିଛନ୍ତି ଏବଂ ତାଙ୍କର ଆଗାମୀ ତିନିରୁ ଚାରି ଦିନରେ ଅଷ୍ଟ୍ରେଲିଆ ଗସ୍ତ କରିବାର ଆଶା ରହିଛି।

ଟିମ୍‌ ଇଣ୍ଡିଆର ଦିନିକିଆ ଦଳ :

ଶିଖର ଧଓ୍ଵନ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁଭମାନ ଗିଲ୍, ଶ୍ରେୟସ ଆୟର(ଉପ ଅଧିନାୟକ), ରଜତ ପାଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଷନ(ଓ୍ଵିକେଟ୍ କିପର), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଶାହବାଜ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ରବି ବିଷ୍ନୋଇ, ମୁକେଶ କୁମାର, ଅଭେଶ ଖାନ, ମହମ୍ମଦ ସିରାଜ, ଓ୍ଵାଶିଂଟନ ସୁନ୍ଦର।

Also Read : ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂଙ୍କୁ ମୁଁ ପସନ୍ଦ କରେ, କିନ୍ତୁ ତାଙ୍କ ମୋ ଭିତରେ ତୁଳନା କରିବା ଠିକ୍‌ ନୁହେଁ : ମହମ୍ମଦ ରିଜଓ୍ଵାନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.