ଦୂତିଙ୍କୁ ଭୁଲିଗଲେ ନା ‌ଅଣଦେଖା ? କାହିଁକି ମିଳିଲାନି ଅର୍ଜୁନ ପୁରସ୍କାର ?

ବର୍ଷ ୨୦୧୮ ପାଇଁ ପ୍ରଦାନ କରାଯାଇଛି କେନ୍ଦ୍ର କ୍ରୀଡ଼ା ପୁରସ୍କାର । ଭାରତୀୟ କ୍ରିକେଟରେ ଉଲ୍ଲେଖନୀୟ ଅବଦାନ ପାଇଁ ବିରାଟ କୋହଲି ଓ ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ଭବ୍ୟ ସମାରୋହରେ ସେମାନଙ୍କୁ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେହିପରି ୨୦ ଜଣ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ଏମାନଙ୍କ ଭିତରେ ଅଛନ୍ତି ୩ ଜଣ ଆଥଲେଟ୍ ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା, ଆଥଲେଟ୍ ଜିନସନ୍ ଜନସନ୍ ଓ ହିମା ଦାସ । ଏହି ଆଥଲେଟମାନେ ନିକଟରେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଶେଷ ହୋଇଥିବା ଏସିଆନ୍ ଗେମ୍ସରେ ଦେଶ ପାଇଁ ପଦକ ଆଣିଥିଲେ । ନୀରଜ ଜାଭେଲିନରେ ସ୍ବର୍ଣ୍ଣିମ ସଫଳତା ଆଣିଥିବା ବେଳେ ହିମା‌ ଦାସ ମହିଳା ୪X୪୦୦ ମିଟର ରିଲେ ଦୌଡରେ ସ୍ବର୍ଣ୍ଣ, ୪ ମିଟରରେ (ଏକକ) ରୌପ୍ୟ ଓ ୪*୪୦୦ ମିଟର ମିକ୍ସଡ୍ ରିଲେ ରେସରେ ରୌପ୍ୟ ଜିତିଥିଲେ । ସେହିପରି ଜିନସନ୍ ଜନସନ୍ ପୁରୁଷ ୧୫୦୦ ମିଟର ରେସରେ ସ୍ବର୍ଣ୍ଣ ଓ ୮୦୦ ମିଟରରେ ରୌପ୍ୟ ପଦକ ନିଜ ନାଁରେ କରିଥିଲେ । ଏହି ୩ ଜଣ ଆଥଲେଟ୍ ଦେଶ ପାଇଁ ଗୌରବ ଆଣିଲେ, ସମ୍ମାନର ଅଧିକାରୀ ବି ହୋଇଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦଙ୍କ ଏସୀୟ କ୍ରୀଡା ସଫଳତା ପରେ ଅର୍ଜୁନ ପୁରସ୍କାର ପାଇଁ ଯୋଗ୍ୟ ନୁହନ୍ତି କି ?

ଦୂତି କାହିଁକି ନୁହେଁ ?

ପ୍ରଦର୍ଶନକୁ ଦେଖିଲେ ଦୂତି ଅର୍ଜୁନ ପୁରସ୍କାର ପାଇବା କଥା । ସେ ବି ଚଳିତ ଏସିଆନ୍ ଗେମ୍ସର ଡବଲ୍ ପଦକ ବିଜୟିନୀ । ମହିଳା ୧୦୦ ଓ ୨୦୦ ମିଟର ଦୌଡରେ ରୌପ୍ୟ ପଦକ ଜିତିଥିଲେ । ବହୁ ବର୍ଷ ପରେ ଏହି ଦୁଇଟି ବର୍ଗରେ ପଦକ ଆଣିଥିଲେ ଦୂତି । ପ୍ରଥମେ ୧୦୦ ମିଟର ଟ୍ରାକରେ ଚମକିଥିଲେ ଏହି ଓଡ଼ିଆ ସ୍ପିଣ୍ଟର୍ । ଶହେ ମିଟରରେ କିଛି ମାଇକ୍ରୋ ସେକେଣ୍ଡ ପାଇଁ ସ୍ଵର୍ଣ୍ଣରୁ ବଞ୍ଚିତ ହୋଇଥିଲେ । ସେହିପରି ୧୦୦ ମିଟରରେ ବି ଏସୀୟ କ୍ରୀଡାରେ ପଦକ ପାଇବା ପାଇଁ ଅନେକ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା ।  କିନ୍ତୁ ସ୍ବପ୍ନ ସାକାର କରିଥିଲେ ଦୂତି । ଦ୍ବିତୀୟ ଭାରତୀୟ ଆଥଲେଟ୍ ଭାବରେ ୧୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ ।

dutee-chand-2

୧୯୮୬ ସିଓଲ୍ ଏସିଆଡରେ ରୌପ୍ୟ ବିଜୟିନୀ ହୋଇଥିଲେ ଦୌଡରାଣୀ ପି.ଟି. ଉଷା । ୧୮ ବର୍ଷ ପରେ ଦୂତି ସଫଳତାକୁ ଦୋହରାଇଲେ । ପରେ ଏସୀୟ କ୍ରୀଡାର ୨୦୦ ମିଟର ରେସରେ ବି ରୌପ୍ୟ ଜିତିଥିଲେ ସୁନା ଝିଅ ଦୂତି ଚାନ୍ଦ । ୧୬ ବର୍ଷ ପରେ ଏସିଆନ୍ ଗେମ୍ସର ମହିଳା ୨୦୦ ମିଟରରେ ପଦକ ଭେଟିଦେଲେ ଦୂତି । ଶେଷ ଥର ପାଇଁ ୨୦୦୨ ରେ ସରସ୍ବତୀ ଶାହ ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ୨୦୦ ମିଟରରେ ଭାରତ ଖାତାକୁ ଗୋଟିଏ ପଦକ ଆସିବା‌ ପାଇଁ ୧୬ ବର୍ଷ ଲାଗି ଗଲା । ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ ଓଡ଼ିଆ ଧାବିକା ଦୂତି । ସେହିପରି ମେରୀ ଡିସୁଜା (ବ୍ରୋଞ୍ଜ-୧୯୫୧), ଷ୍ଟେଫି ଡିସୁଜା (ରୌପ୍ଯ-୧୯୫୮), ପି.ଟି.ଉଷାଙ୍କକ (ରୌପ୍ଯ-୧୯୮୨, ସ୍ବର୍ଣ୍ଣ-୧୯୮୬ ପରେ ପଞ୍ଚମ ଭାରତୀୟ ଆଥଲେଟ୍ ଭାବରେ ପଦକ ନିଜ ନାଁରେ କରିଥିଲେ । ଗୋଟିଏ ଏସିଆଡରେ ଦୁଇଟି ପଦକ ଜିତି ପି.ଟି.ଉଷାଙ୍କ କ୍ଲବରେ ସାମିଲ ହୋଇଛନ୍ତି ଓଡ଼ିଶାର ଦୌଡରାଣୀ । ସେହିପରି ଗତବର୍ଷ ଭୁବନେଶ୍ବରରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ବି ଦୁଇଟି ପଦକ ଜିତିଥିଲେ ।

dutee-chand-3

ପ୍ରଦର୍ଶନ ଅନୁସାରେ ସେ ଅତି କମରେ ଅର୍ଜୁନ ପୁରସ୍କାର ପାଇବାକୁ ହକଦାର ବି । କିନ୍ତୁ କ୍ରୀଡା ସମ୍ମାନ ପ୍ରଦାନକାରୀ କମିଟି ଦୂତିଙ୍କୁ ଅଣଦେଖା କଲା ଭଳି ଲାଗୁଛି । କ’ଣ ଅର୍ଜୁନ ଆଓ୍ବାର୍ଡ ଚୟନ ବେଳେ ଦୂତିଙ୍କ ଏସିଆନ୍ ଗେମ୍ସ ସଫଳତା ଓ ପୂର୍ବ ପ୍ରଦର୍ଶନକୁ ବିଚାରକୁ ନିଆଗଲା ନାହିଁ କି ? ନାଁ ମାନଦଣ୍ଡ ପୂରା କରି ପାରିଲେ ନାହିଁ ଓଡ଼ିଶାର ଦୌଡରାଣୀ ? ଅବଶ୍ୟ ଆଥଲେଟିକ୍ସରେ ଅର୍ଜୁନ ପୁରସ୍କାରପ୍ରାପ୍ତ ଅନ୍ୟ ୩ କ୍ରୀଡାବିତ୍ ନିରଜ ଚୋପ୍ରା, ହିମାଚଳ ଦାସ ଓ ଜିନସନ୍ ଜନସନ୍ ଜାକର୍ତ୍ତା ଏସୀୟ କ୍ରୀଡାରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ଅର୍ଜୁନ ପୁରସ୍କାର ପାଇଁ ଥିବା ମାନଦଣ୍ଡ ପରିସରରେ ଆସୁଛନ୍ତି । କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁସାରେ, ପୁରସ୍କାର ପାଇଁ ଜଣେ କ୍ରୀଡାବିତଙ୍କର ଗତ ୪ ବର୍ଷର ପ୍ରଦର୍ଶନକୁ ବିଚାରକୁ ନିଆଯାଇଥାଏ । ଅନ୍ତର୍ଜାତୀୟ ସ୍ତରରେ  ସେମାନେ ହାସଲ କରିଥିବା ପଦକକୁ ପଏଣ୍ଟ ଭାବରେ ବିଭକ୍ତ କରାଯାଏ । ଯିଏ ସର୍ବାଧିକ ପଏଣ୍ଟର ଅଧିକାରୀ ତାଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରିଥାଏ ଚୟନ କମିଟି । ଏହାବ୍ୟତୀତ ଗୋଟିଏ କ୍ରୀଡ଼ା ବା ଇଭେଣ୍ଟରୁ ସର୍ବାଧିକ ୪ ଜଣ (୨ ପୁରୁଷ, ୨ ମହିଳା) କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯିବାର  ନିୟମ ରହିଛି । ଏହି ହିସାବରେ ଦୂତି ବି ଅର୍ଜୁନ ସମ୍ମାନ ବି ପାଇ ପାରି ଥାଆନ୍ତେ ।

ଦୂତୀ ନିଜ କ୍ୟାରିୟର ପାଇଁ ଯେଭଳି ସଂଘର୍ଷ କରି ସଫଳ ହୋଇଛନ୍ତି ସେଥିରେ ସେ ଜଣେ ଉଦାହରଣ ଓ ଆଦର୍ଶ ପାଲଟିଛନ୍ତି । ତେଣୁ ଅର୍ଜୁନ ପୁରସ୍କାର ପାଇବାକୁ ଦୂତି ନିଶ୍ଚିତ ଭାବେ ହକଦାର ।

ଅଜିତ କୁମାର ଦେହୁରୀ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.