୧୯୯୨ ବିଶ୍ୱକପ୍ : ରଙ୍ଗିନ ଜର୍ସିରେ ମ୍ୟାଚ୍, ଧଳା ବଲ୍ ସହ ଡେ ଏଣ୍ଡ ନାଇଟ୍ କ୍ରିକେଟ୍‌ର ଶୁଭାରମ୍ଭ

୧୯୯୨ ବିଶ୍ୱକପ୍‌ କ୍ରିକେଟ। କିଛି ଖାସ୍ କାରଣ ପାଇଁ ସବୁଦିନ ମନେ ରହିଛି। ସେଇଠୁ କ୍ରିକେଟର ନବକଳେବର ହୋଇଥିବା କୁହାଯାଏ। ଅନେକ ପରିବର୍ତ୍ତନ ଆସିଥିଲା ଦିନିକିଆ ଆନ୍ତର୍ଜାତିକ କ୍ରିକେଟରେ। ୧୯୯୨ ମସିହା ଫେବ୍ରୁଆରୀ ୨୨ ତାରିଖରେ ଆରମ୍ଭ ହୋଇଥିଲା ବିଶ୍ୱକପ୍। ଏହାପରେ ବଦଳି ଯାଇଥିଲା ଦିନିକିଆ କ୍ରିକେଟର ଫର୍ମାଟ। କଣ ସବୁ ପରିବର୍ତ୍ତନ ହୋଇଥିଲା ଓ କାହିଁକି ସ୍ମୃତି ଆଇନାରେ ସାଇତା ହୋଇ ରହିଛି ୧୯୯୨ ବିଶ୍ୱକପ୍ ଆସନ୍ତୁ ଜାଣିବା।

ରଙ୍ଗିନ ଜର୍ସି ଯୁଗର ଆରମ୍ଭ

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ଆୟୋଜନ କରିଥିଲେ ୧୯୯୨ ବିଶ୍ୱକପ୍‌ । କ୍ରିକେଟ ଇତିହାସରେ ସବୁଠୁ ବଡ଼ ପରିବର୍ତ୍ତନ ଏହି ବିଶ୍ୱକପରେ ଦେଖିବାକୁ ମିଳିଥିଲା। ଆରମ୍ଭ ହୋଇଥଲା କ୍ରିକେଟରେ ରଙ୍ଗିନ ଜର୍ସିର ଜମାନା। ସେବେଠାରୁ ଆଜି ପର୍ଯ୍ୟନ୍ତ ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଚାଲିଛି କଲରଫୁଲ୍ ଜର୍ସିର ଟ୍ରେଣ୍ଡ। ସେପର୍ଯ୍ୟନ୍ତ ଧଳା ରଙ୍ଗର ଜର୍ସିରେ ଦିନିକିଆ କ୍ରିକେଟ୍ ଖେଳା ଯାଉଥିଲା। ୧୯୯୨ ବିଶ୍ୱକପରେ ରଙ୍ଗୀନ ଜର୍ସିରେ ମୈଦାନକୁ ଓହ୍ଲାଇଥିଲେ ଖେଳାଳି । ଏହା ଉଭୟ ଖେଳାଳି ଓ ଦର୍ଶକଙ୍କ ମନରେ ଭିନ୍ନ ରୋମାଞ୍ଚ ଭରିଥିଲା। ମ୍ୟାଚ୍ ଦେଖିବାର ନିଆରା ମଜା ସାଉଣ୍ଟିଥିଲେ କ୍ରିକେଟ ଫ୍ୟାନ୍ସ। ପ୍ରଥମ ଥର ୯ଟି ଟିମ୍ ବିଶ୍ୱକପରେ ସାମିଲ ଥିଲେ ଓ ସବୁ ଟିମ୍‌ର ଜର୍ସି ଅଲଗା ଅଲଗା ରଙ୍ଗର ଥିଲା। ଖେଳାଳିଙ୍କ ଜର୍ସିରେ ନଥିଲା ପ୍ରାୟୋଜକଙ୍କ ଲୋଗୋ। ସବୁ ଟିମର ଜର୍ସି ରଙ୍ଗ ଭିନ୍ନ ଥିଲା। କିନ୍ତୁ ସମାନ ଥିଲା ଡିଜାଇନ୍।

2

ନୂଆ ନିୟମରେ ବିଶ୍ୱକପ୍

କ୍ରିକେଟକୁ ଅଧିକ ଏଣ୍ଟରଟେନିଂ କରିବା ପାଇଁ ୧୯୯୨ ବିଶ୍ୱକପରେ ବଡ଼ ପଦକ୍ଷେପ ନିଆଯାଇଥିଲା। ବଦଳିଥିଲା ଫିଲଡିଂ ନିୟମ। ପ୍ରଥମ ଥର କ୍ରିକେଟରେ ଲାଗିଥିଲା ୧୫ ଓଭରର ଫିଲ୍ଡ ରେଷ୍ଟ୍ରିକସନ୍। ପୂର୍ବରୁ ୧୫ ଓଭର ଭିତରେ କେବଳ ଦୁଇ ଜଣ ଫିଲ୍ଡରଙ୍କୁ ୩୦ ସର୍କଲ ବାହାରେ ଓ ବାକି ଓଭରରେ ୩୦ ସର୍କଲ ବାହାରେ ୫ ଜଣ ଫିଲଡର ରହିବା ନିୟମ ରହିଥିଲା। କିନ୍ତୁ ପ୍ରାରମ୍ଭରେ କିଭଳି ଅଧିକ ରନ୍ ହେବ ୧୯୯୨ ବିଶ୍ୱକପରୁ ଏହାର ଫଣ୍ଡା ପଡ଼ିଥିଲା। ସେବେଠୁ ଆରମ୍ଭ ହୋଇଥିଲା ଆକ୍ରମଣାତ୍ମକ ଓପ୍‌ନିଂ ବ୍ୟାଟ୍ସମ୍ୟାନଙ୍କ ନୂଆ କନସେପ୍ଟ।
ସେହିପରି ୧୯୯୨ ବିଶ୍ୱକପରେ ଲାଲ ବଦଳରେ ବ୍ୟବହାର ହୋଇଥିଲା ଧଳା ବଲ୍। ଏହା ବ୍ୟତୀତ ଏହି ବିଶ୍ୱକପରୁ ଡେ ଏଣ୍ଡ ନାଇଟ୍ ବା ଦିବାରାତ୍ର ଖେଳର ମୂଳଦୂଆ ପଡ଼ିଥିଲା। ଅର୍ଥାତ ଟୁର୍ଣ୍ଣାମେଣ୍ଟର ଅଧିକାଂଶ ମ୍ୟାଚ୍ ଖେଳା ଯାଇଥିଲା ଫ୍ଲଡ ଲାଇଟ୍‌ରେ।

4

ଜଣ୍ଟି ରୋଡସଙ୍କ ଆବିର୍ଭାବ

୧୯୭୫ରେ ଆରମ୍ଭ ହୋଇଥିଲା ବିଶ୍ୱକପ୍ କ୍ରିକେଟ। କିନ୍ତୁ ୧୯୯୨ ଥିଲା ଦକ୍ଷିଣ ଆଫ୍ରିକା ପାଇଁ ଡେବ୍ୟୁ ବିଶ୍ୱକପ। ବର୍ଣ୍ଣ ବୈଷମ୍ୟ ନୀତିରେ ଚାଲୁଥିବା ଏହି ଦେଶକୁ କ୍ରିକେଟରୁ ଦୂରେଇ ରଖା ଯାଇଥିଲା। ୧୯୯୨ରେ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବା ସହ ଜଣ୍ଟି ରୋଡସଙ୍କ ଭଳି ତାରକାଙ୍କ ଆବିର୍ଭାବ ହୋଇଥିଲା। ୨୬ ଜାନୁଆରୀ ୧୯୯୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ୍ ମ୍ୟାଚରେ ଡେବ୍ୟୁ କରିଥିଲେ ଜଣ୍ଟି ରୋଡସ୍। କିନ୍ତୁ ତାଙ୍କୁ ସମସ୍ତେ ଚିହ୍ନିଲେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ। ଇଞ୍ଜାମାମ୍‌-ଉଲ-ହକଙ୍କୁ ଏଭଳି ଦ୍ରୁତ ଗତିରେ  ରନ୍ ଆଉଟ୍ କରିଥିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ସେଦିନ ଦକ୍ଷିଣ ଆଫ୍ରିକାର ବିଜୟ ରାସ୍ତାରେ କଣ୍ଟା ହୋଇ ଠିଆ ହୋଇଥିଲେ ଇଞ୍ଜାମାମ୍‌। ୩୧ତମ ଓଭରରେ ଗୋଟିଏ ରନ୍ ନେବା ବେଳେ ବଲ୍ ପଡ଼ିଥିଲା ଜଣ୍ଟି ରୋଡସଙ୍କ ହାତରେ। ପବନରେ ଉଡ଼ି ଷ୍ଟମ୍ପିଂ କରିଥିଲେ। ତାଙ୍କ ଚମତ୍କାର ଡାଇଭିଂ ଦେଖିଥିଲା ସାରା ବିଶ୍ୱ । ଜଣ୍ଟି ରୋଡସଙ୍କ ଭଳି ଫିଲଡର ଦେଖି ନଥିଲେ କ୍ରିକେଟ୍‌ ପ୍ରେମୀ ।

3

RODES

ପାକିସ୍ତାନ ଜିତିଥିଲା ବିଶ୍ୱକପ୍

୧୯୯୨ ଥିଲା ବିଶ୍ୱକପ୍ କ୍ରିକେଟର ପଞ୍ଚମ ସଂସ୍କରଣ। ୯ଟି ଟିମରୁ ଫାଇନାଲରେ ପହଞ୍ଚିଥିଲେ ଇଂଲଣ୍ଡ ଓ ପାକିସ୍ତାନ। ପ୍ରଥମରୁ ପରାସ୍ତ ହୋଇ ପଛରେ ପଡ଼ି ଯାଇଥିଲେ ମଧ୍ୟ ଇମ୍ରାନ୍‌ ଖାନ୍‌ଙ୍କ ନେତୃତ୍ୱରେ ଜୋରଦାର କମ୍‌ବ୍ୟାକ୍‌ କରିଥିଲା ପାକିସ୍ତାନ ଦଳ । ଫାଇନାଲ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୯ ଓ୍ୱିକେଟ ହରାଇ କରିଥିଲା ୨୪୯ ରନ୍। ଜବାବରେ ଇଂଲଣ୍ଡ ୨୨୭ ରନରେ ସୀମିତ ରହିଗଲା। ଇମ୍ରାନ୍ ଖାନଙ୍କ ପାକିସ୍ତାନ ଦଳ ୨୨ ରନରେ ବିଜୟୀ ହେବା ସହ ପ୍ରଥମ ଥର ବିଶ୍ୱ ବିଜେତା ହେବାର ସୌଭାଗ୍ୟ ପାଇଥିଲା। ୩ଟି ଓ୍ୱିକେଟ ଓ ୧୮ବଲରେ ୩୩ ରନ୍ ପିଟିଥିବା ଓ୍ୱାସିମ୍ ଆକ୍ରମ ହୋଇଥିଲେ ମ୍ୟାନ୍ ଅଫ୍ ଦି ମ୍ୟାଚ୍। ପୂରା ଟୁର୍ଣ୍ଣାମେଣ୍ଟରେ ଆକ୍ରମ ନେଇଥିଲେ ୧୮ଟି ଓ୍ୱିକେଟ୍।

ଅଜିତ କୁମାର ଦେହୁରୀ
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.