Below header

ବିଶ୍ବକପକୁ ଆଉ ମାତ୍ର ୪ ଦିନ, ସବୁ ଟିମ୍‌ ପାଇଁ ଅଧିନାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ରୋହିତ ଶର୍ମା ଭାରତୀୟ ଟିମର ଅଧିନାୟକ । ତୃତୀୟ ଥର ପାଇଁ ୱାର୍ଲଡ କପ ଖେଳିବାକୁ ଯାଉଛନ୍ତି । ୨୦୧୧ ବିଶ୍ବକପ ବିଜେତାଦଳର ସଦସ୍ୟ ନଥିବା ରୋହିତ ଏବେ ଘରୋଇ ମାଟିରେ ବିଶ୍ବକପ ଖେଳିବାର ସୁଯୋଗ ପାଇଛନ୍ତି । ତାଙ୍କରି ନେତୃତ୍ବରେ ଭାରତୀୟ ଦଳ ବିଶ୍ବକପ ମୈଦାନକୁ ଓହ୍ଲାଇବ ।

ବିଶ୍ବକପକୁ ଆଉ ରହିଲା ୪ ଦିନ । ୱାର୍ମଅପ୍ ଭିତରେ ଅସଲ ଲଢ଼େଇ ସବୁ ଦଳ ରଣନୀତି କରିଛନ୍ତି । ବିଶେଷ କରି କ୍ୟାପଟେନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । ଦଳକୁ ଆଗକୁ ନେବାରେ ଅଧିନାୟକଙ୍କ ଠିକଣା ନିଷ୍ପତ୍ତି ହିଁ ଜରୁରୀ ହୋଇଥାଏ । କାରଣ ଖେଳ ସାଙ୍ଗକୁ ରଣନୀତି ମିଶିଗଲେ ସେ ଅଧିନାୟକ ହେବେ ବିଶ୍ବ ବିଜେତା । କେଉଁ ଦଳର କ୍ୟାପଟେନ କେତେ ଦକ୍ଷ ଓ ଶକ୍ତ ତା’ ଜାଣିବା ଜରୁରୀ ।

ହିଟ ମ୍ୟାନ ରୋହିତ ଶର୍ମା :

ରୋହିତ ଶର୍ମା ଭାରତୀୟ ଟିମର ଅଧିନାୟକ । ତୃତୀୟ ଥର ପାଇଁ ୱାର୍ଲଡ କପ ଖେଳିବାକୁ ଯାଉଛନ୍ତି । ୨୦୧୧ ବିଶ୍ବକପ ବିଜେତାଦଳର ସଦସ୍ୟ ନଥିବା ରୋହିତ ଏବେ ଘରୋଇ ମାଟିରେ ବିଶ୍ବକପ ଖେଳିବାର ସୁଯୋଗ ପାଇଛନ୍ତି । ତାଙ୍କରି ନେତୃତ୍ବରେ ଭାରତୀୟ ଦଳ ବିଶ୍ବକପ ମୈଦାନକୁ ଓହ୍ଲାଇବ । ରୋହିତଙ୍କ ବୟସ ୩୬ ବର୍ଷ । ବୟସାଧିକ କାରଣରୁ ହୁଏତ ସେ ପରବର୍ତ୍ତୀ ବିଶ୍ବକପ ଖେଳି ନପାରନ୍ତି । ତେଣୁ ଏଥର ଘରୋଇ ମାଟିରେ ବିଶ୍ବକପ ଜିତିବାକୁ ଚାହିଁବେ ରୋହିତ ।

ଦିନିକିଆରେ ତିନିଥର ଦ୍ବିଶତକ ହାସଲ କରିବାର ବିରଳ ରେକର୍ଡର ଅଧିକାରୀ ହେଉଛନ୍ତି ହିଟମ୍ୟାନ । ରୋହିତ ୨୫୧ ୱାନଡେ ସହିତ ୫୨ଟି ଟେଷ୍ଟ ଓ ୧୪୮ ଟି ଟ୍ବେଣ୍ଟି ଖେଳିସା ରିଛନ୍ତି । ବିପକ୍ଷ ବୋଲରଙ୍କୁ ଧୂଳି ଚଟାଇବା ଏବଂ ଛକା ମାରିବାର ଦକ୍ଷତା ରହିଛି ରୋହିତଙ୍କ ପାଖରେ । ରୋହିତଙ୍କ ବ୍ୟାଟ ଚାଲିଲେ କେବଳ ଚଉକା ଛକା ବର୍ଷା ହେବ । ଏଥର ବିଶ୍ବକପରେ କେବେଳ ଓପିନଙ୍ଗ ହିସାବରେ ରୋହିତ କାମ ଦେଖାଇବେ ନାହିଁ ବରଂ କ୍ୟାପେଟେନ ଭାବେ ରୋହିତଙ୍କ ରଣନୀତି ବିପକ୍ଷ ଦଳକୁ ଅଡୁଆରେ ପକାଇବ । ୨୦୧୯ ବିଶ୍ବକପରେ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ ରୋହିତ । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୬୪୮ ରନ କରିଥିଲେ । ଷ୍ଟ୍ରାଇକ ରେଟ ଥିଲା ୮୧ । ଯେଉଁଥିରେ ରହିଥିଲା ୫ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ । ସାଉଥ ଆଫ୍ରିକା, ପାକିସ୍ତାନ ଇଂଲଣ୍ଡ ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ଶତକ ମାରିଥିଲେ ରୋହିତ । ୯ଟି ମ୍ୟାଚରୁ ଲାଗତାର ତିନିଟି ମ୍ୟାଚରେ ଶତକୀୟ ଇଂନିସ ଖେଳି ବିରଳ ରେକର୍ଡ କରିଥିଲେ ରୋହିତ ।

ବାବର ଆଜମ :

ଦିନିକିଆ ରାଙ୍କିଙ୍ଗର ନମ୍ବର ୱାନ ବ୍ୟାଟର ବାବର । ବାବରଙ୍କ ନେତୃତ୍ବରେ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ପାକିସ୍ତାନ । ଦଳର ଅଧିକାଂଶ ଖେଳାଳି ପ୍ରଥମ ଥର ଭାରତ ମାଟିରେ ଖେଳିବେ । ଗତ ଥରର ବିଶ୍ବକପରେ ଦମଦାର ଖେଳ ଦେଖାଇ ଥିଲେ ବାବର ଆଜମ । ଟୁର୍ଣ୍ଣାମେଣ୍ଟରେ ୪୭୪ ରନ କରିଥିଲେ । ଷ୍ଟ୍ରାଇକ ରେଟ ଥିଲା ୬୭.୭୧ । ଯେଉଁଥିରେ ଗୋଟିଏ ଶତକ ତିନିଟି ଅର୍ଦ୍ଧଶତକ ଥିଲା । ଏଥର ଭାରତ ମାଟିରେ ବିଶ୍ବକପ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ବାବର ବାହିନୀ । ଯଦିଓ ଏସିଆ କପରେ ବାବରଙ୍କ ଲୟ ଠିକ ନଥିଲା କିନ୍ତୁ ବିଶ୍ବକପ ପାଇଁ ସ୍ବତନ୍ତ୍ର ରଣନୀତି କରିଛନ୍ତି ପାକିସ୍ତାନ ସ୍କିପର ବାବର ଆଜମ ।

ଅଷ୍ଟ୍ରେଲିଆ:

ସର୍ବାଧିକ ଥର ବିଶ୍ୱକପ ହାତଇେବାର ବିରଳ ରେକର୍ଡ ଅଷ୍ଟ୍ରେଲିଆ ଖାତାରେ । ଏଥର ଦଳର କମାଣ ସମ୍ଭାଳୁଛନ୍ତି ପ୍ୟାଟ କମିନ୍ସ । ଶେଷ ଥର ୨୦୧୫ରେ ବିଶ୍ୱକପ ବିଜୟୀ ହୋଇଥିଲା ଦଳ । ଏଥର କମିନସଙ୍କ ନେତୃତ୍ବରେ ଷଷ୍ଠ ଥର ଟାଇଟଲ ଲଢ଼େଇ କରିବ କଙ୍ଗାରୁ ଟିମ । ୩୦ ବର୍ଷୀୟ ଦ୍ରୁତ ବୋଲର କମିନ୍ସ ଏଥର ବିଶ୍ବକପରେ ପ୍ରଭାବୀ ହେବା ନେଇ ଆକଳନ କରୁଛନ୍ତି କ୍ରିକେଟ ପଣ୍ଡିତ । ୭୭ ଦିନିକିଆ ଖେଳି ୧୨୬ ୱିକେଟ ନେଇଛନ୍ତି କମିନ୍ସ ।

ସାଉଥ ଆଫ୍ରିକା :

ସାଉଥ ଆଫ୍ରିକା ସ୍କିପର ଟେମ୍ବା ବାଭୁମା। ମଧ୍ୟକ୍ରମ ବ୍ୟାଟସମ୍ୟାନ ଭାବେ ଦଳକୁ ମଜବୁତ କରିବାର କ୍ଷମତା ରହିଛି ବାଭୁମାଙ୍କ ପାଖରେ । ଯେକୌଣସି ପରିସ୍ଥିତିରେ ଦଳ ପାଇଁ ଗୋଟେ ବଡ ଆସେଟ୍ । ସାଉଥ ଆଫ୍ରିକାର ଗତଥରର ବିଶ୍ୱକପ୍ ଯାତ୍ରା ନୈରାଶ୍ୟଜନକ ଥିଲା। ନକ ଆଉଟ ପର୍ଯ୍ୟାୟରେ ଫେଲ ମାରିଥିଲା ଦଳ । ଏଥର ବାଭୁମାଙ୍କ ନେତୃତ୍ବରେ ଭଲ କରିବା ନେଇ ଆଶା ରଖିଛି ସାଉଥ ଆଫ୍ରିକା । ଅଭିଜ୍ଞତା ବେଶି ନାହିଁ । ବାଭୁମା ମାତ୍ର ୩୦ଟି ଦିନିକିଆ ମ୍ୟାଚ୍ ଖେଳି ୧୩୬୭ ରନ୍ ସ୍କୋର କରିଛନ୍ତି ।

ଇଂଲଣ୍ଡ:

ଇଂଲଣ୍ଡ ଟିମର ଅଧିନାୟକ ଯସ ବଟଲର୍ । ୨୦୧୯ରେ ଦଳକୁ ବିଶ୍ୱକପ ଚାମ୍ପିଅନ୍ କରିଥିଲେ । ଏଥର ମଧ୍ୟ ସେହି ଯୋଶ୍ ନେଇ ବିଶ୍ବକପ ମୈଦନାକୁ ଓହ୍ଲାଇବାକୁ ଯାଉଛନ୍ତି ବଟଲର । ୩୩ ବର୍ଷୀୟ ୱିକେଟ କିପର ବ୍ୟାଟର ବଟଲର ବିପକ୍ଷ ବୋଲରଙ୍କ ପାଇଁ ଘାତକ ସାଜି ପାରନ୍ତି। ଗତଥର ବିଶ୍ବକପରେ ବଟଲର ୩୧୨ ରନ କରିଥିଲେ । ଷ୍ଟ୍ରାଇକ ରେଟ ଥିଲା ୩୪.୬୬ । ଯେଉଁଥିରେ ଗୋଟିଏ ଶତକ ଦୁଇଟି ଅର୍ଦ୍ଧଶତକ ଥିଲା । ୨୦୨୨ ଟି ଟ୍ବେଣ୍ଟି ୱର୍ଲଡ କପରେ ଦଳକୁ ବିଜୟ ମୁକୁଟ ପିନ୍ଧାଇ ଥିଲେ ବଟଲର । ଏଥର ବିଶ୍ବକପରେ ବଟଲରଙ୍କ ନେତୃତ୍ବରେ ଇଂଲଣ୍ଡ ଦଳ ଟାଇଟଲା ଦାବିଦାର ରହିଛି ।

ନ୍ୟୁଜିଲାଣ୍ଡ:

ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ । ଗତଥର ୨୦୧୯ ବିଶ୍ୱକପ ଫାଇନାଲର ରନର୍ସ ଅପ । କିନ୍ତୁ ଫାଇନାଲ ଲଢେଇରେ ଇଂଲଣ୍ଡ ଠାରୁ ହାରିଥିଲେ ମଧ୍ୟ ସମସ୍ତଙ୍କ ହୃଦୟ ଜିଣିଥିଲା ନ୍ୟୁଜିଲାଣ୍ଡ ଟିମ । ଖାସ କରି ୱିଲିୟମସନଙ୍କ ନେତୃତ୍ବକୁ ପୂରା ବିଶ୍ବ କ୍ରିକେଟ ପ୍ରଶଂସା କରିଥିଲା । ୨୦୧୯ ବିଶ୍ବକପରେ ୫୭୮ ରନ ସଂଗ୍ରହ କରିଥିଲେ ୱିଲମସନ । ଷ୍ଟ୍ରାଇକ ରେଟ ଥିଲା ୮୨.୫୭ । ଯେଉଁଥିରେ ରହିଥିଲା ୨ଟି ଶତକ ଓ ଦୁଇଟି ଅର୍ଦ୍ଧଶତକ । ଗତଥର ବିଶ୍ବକପ ଚାମ୍ପିଅନ ହେବାର ଆଶା ଅଧୁରା ରହି ଯାଇଥିବା ବେଳେ ଏଥର ଚାମ୍ପିଅନ୍ ହେବାକୁ ସବୁ ପ୍ରୟାସ କରିବେ ନ୍ୟୁଜିଲାଣ୍ଡର ଏଇ କୁଲ କ୍ୟାପଟେନ ୱିଲିୟମସନ ।

ଶ୍ରୀଲଙ୍କା :

ସିଂହଳୀ ଦଳ କ୍ୟାପଟେନ ଦଶୁନ ଶନାକା । ଯେ କୌଣସି ଦଳ ପାଇଁ ସେ ଥ୍ରେଟ ସାଜି ପାରନ୍ତି । ଉଭୟ ବୋଲିଂ ଓ ବ୍ୟାଟିଙ୍ଗରେ ତାଙ୍କର ଦକ୍ଷତା ରହିଛି । ସଠିକ ସମୟରେ ସଠିକ ରଣନୀତି ଆପଣାଇବାରେ ଧୁରନ୍ଧର ଦଶୁନ ଶନକା । ୨୦୧୧ ବିଶ୍ବକପରେ ରନର୍ସଅପ ହୋଇଥିଲା ଶ୍ରୀଲଙ୍କା । ୨୦୧୯ରେ ଗ୍ରୁପ ଷ୍ଟେଜରେ କଟିଥିଲା । ଏଥର ଦଳକୁ ବିଶ୍ବକପ ଭେଟିଦେବା ପାଇଁ ସ୍ବତନ୍ତ୍ର ରଣନୀତି କରିଛନ୍ତି ଦଶୁନ ସନକା । ୬୭ଟି ଦିନିକିଆ ମ୍ୟାଚ୍ ଖେଳି ୧୨୦୪ ରନ୍ ସ୍କୋର କରିଛନ୍ତି । ଆଉ ନେଇଛନ୍ତି ୨୭ଟି ଓ୍ଵିକେଟ୍ ।

ବାଲାଂଦେଶ :

ବାଂଲା ଟିମର ଅଧିନାୟକ ସକିବ ଅଲ ହସନ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି । ଦିନିକିଆରେ ବ୍ୟାଟିଂ ଓ ବୋଲିଂରେ ଭଲ ରେକର୍ଡ ରହିଛି ସକିବଙ୍କ ପାଖରେ । ଲମ୍ବା ସମୟ ଧରି ଦେଶ ପାଇଁ ଖେଳି ଆସୁଛନ୍ତି । ୨୪୦ଟି ଦିନିକିଆ ଖେଳି ସାରିଲେଣି । ସକିବଙ୍କ ଦକ୍ଷତା ଓ ଅଭିଜ୍ଞତା ଦଳର ବିଶ୍ବକପ ଯାତ୍ରାକୁ ସହଜ କରିବ ବୋଲି ଆଶା କରାଯାଉଛି ।

ଆଫଗାନିସ୍ତାନ :

ହସମତ୍ ଉଲ୍ଲା ସାହିଦି । ୨୫ ବର୍ଷୀୟ ଏଇ ଯୁବ ଖେଳାଳି ଆଫଗାନିସ୍ତାନର ନେତ୍ବତ୍ବ ନେଉଛନ୍ତି । ଟପ ଅର୍ଡରର ଏଇ ବାମହାତୀ ବ୍ୟାଟର ଦଳ ପାଇଁ ଟ୍ରମ୍ପକାର୍ଡ଼ । ୬୪ଟି ଦିନିକିଆ ଖେଳି ୧୭୭୫ ରନ ସଂଗ୍ରହ କରିଛନ୍ତି। ବିଶ୍ବକପ ଅଭିଯାନକୁ ସ୍ମରଣୀୟ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବେ ଏଇ ଯୁବ ସ୍କିପର ।

ନେଦରଲ୍ୟାଣ୍ଡସ :

ସାଉଥ୍ ଆଫ୍ରିକା ଜନ୍ମିତ ଯୁବ ୱିକେଟକିପର ବ୍ୟାଟର ସ୍କଟ ଏଡଓ୍ଵାର୍ଡ଼ସ। ନେଦରଲ୍ୟାଣ୍ଡ ଦଳର ଅଧିନାୟକ । ଖୁବ୍ କମ ଦିନିକିଆ ମ୍ୟାଚ ଖେଳିଥଲେ ମଧ୍ୟ ଦଳକୁ ଜିତାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହି ଆସିଛି । ଏ ପର୍ଯ୍ୟନ୍ତ ୫୮ଟି ‘ଏ’ ମ୍ୟାଚ୍ ଖେଳି ୧୨୭୫ ରନ ସଂଗ୍ରହ କରିଛନ୍ତି ଏଡଓ୍ଵାର୍ଡ଼ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.