Below header

ସହଜ ନୁହେଁ ବିରାଟଙ୍କ ବିଶ୍ବକପ୍ ବିଜୟ ସ୍ବପ୍ନ , ସେମିଫାଇନାଲ୍ ରାସ୍ତାରେ କଂଟା ହୋଇପାରେ ଏହି ଦଳ

ରୋଚକ ସ୍ଥିତିରେ ବିଶ୍ବକପ୍ । ଆଫଗାନିସ୍ତାନ ବିପକ୍ଷରେ ବାଲାଂଦେଶର ବିଜୟ ଆଉ ଦକ୍ଷିଣ ଆଫ୍ରିକା ବିରୋଧରେ ପାକିସ୍ତାନ ବିଜୟ ଖେଳର ସମୀକରଣକୁ ଖୁବ୍ ରୋଚକ ବନାଇଦେଇଛି । ଅଙ୍କ ଆଧାରରେ ଟପ୍ ଚାରି ଟିମ୍ ସେମିଫାଇନାଲ୍ ପାଇଁ କରିବେ କ୍ବାଲିଫାଇ । ଏହି ପ୍ରତିଯୋଗୀତାରେ ରହିଛି ୧୦ଟି ଟିମ୍ ଆଉ ସମସ୍ତଙ୍କୁ ୯ଟି ଲେଖାଏ ମ୍ୟାଚ୍ ଖେଳିବାକୁ ପଡିବ । ତେବେ ଗତକାଲି ଇଂଲଣ୍ଡକୁ ହରାଇ ସେମିଫାଇନାରେ ପହଂଚିଛି ଅଷ୍ଟ୍ରେଲିଆ । ବର୍ତ୍ତମାନ ସମୟରେ ଟପ୍ ଚାରି ଟିମ୍ ହେଉଛି ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ,ଭାରତ ଏବଂ ଇଂଲଣ୍ଡ ।

ଯଦିଓ ଭାରତ କୌଣସି ମ୍ୟାଚ୍ ହାରିନି କିନ୍ତୁ ନ୍ୟୁଜିଲାଣ୍ଡଠୁ ଗୋଟିଏ ମ୍ୟାଚ୍ କମ୍ ଖେଳିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ ଆଗକୁ ଆସୁଛି ବଡ଼ ଚ୍ୟାଲେଞ୍ଜ । ଆହୁରୀ ୪ ମ୍ୟାଚ୍ ଖେଳିବ ବିରାଟ ବାହୀନି । ଆସନ୍ତାକାଲି ୱେଷ୍ଟ ଇଣ୍ଡିଜ, ୩୦ ତାରିଖରେ ଇଂଲଣ୍ଡ, ଜୁଲାଇ ୨ରେ ବାଂଲାଦେଶ ଏବଂ ଜୁଲାଇ ୬ରେ ଶ୍ରୀଲଙ୍କା ବିରୋଧରେ ମ୍ୟାଚ୍ ଖେଳିବ ଭାରତ । ଏହି ଚାରିଟି ମଧ୍ୟରୁ ଟିମ୍ ଇଣ୍ଡିଆ ଅତି କମରେ ଦୁଇଟି ମ୍ୟାଚ୍ ଜିତିବା ନିହାତି ଜରୁରୀ । ତେବେ ବିଶ୍ବକପରେ ଯେଉଁଭଳି ଭାବରେ ବିରାଟ ବାହିନୀର ପ୍ରଦର୍ଶନ ରହିଆସିଛି ତାକୁ ଦେଖିଲେ ଦୁଇଟି ମ୍ୟାଚ୍ ଜିତିବା କଷ୍ଟକର ନୁହେଁ । କିନ୍ତୁ ଆଫଗାନିସ୍ଥାନ ମ୍ୟାଚରେ ଦଳର ଦୋଷ ଦୁର୍ବଳତା ପଦାକୁ ଆସିଥିଲା ।

ଯଦି୍ ଭାରତ କେବଳ ଗୋଟିଏ ମ୍ୟାଚ୍ ଜିତି ବାକି ସବୁ ହାରିଯାଏ ତେବେ ବଦଳିଯାଇପାରେ ସ୍ଥିତି । ଆଉ ଭାରତକୁ ଅନ୍ୟ ଟିମର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିପାରେ । ଏଭଳି ପରିସ୍ଥିତିରେ ଯଦି ଇଂଲଣ୍ଡ ନିଜର ତିନିଟି ମ୍ୟାଚରୁ ଗୋଟିଏ ଏବଂ ଶ୍ରୀଲଙ୍କା ଦୁଇଟି ମ୍ୟାଚ୍ ଜିତିଯାଏ ତେବେ କେବଳ ଗୋଟିଏ ମ୍ୟାଚ୍ ଜିତି ସେମିଫାଇନାଲରେ ସ୍ଥାନ ପକା କରିପାରେ ଟିମ୍ ଇଣ୍ଡିଆ ।

କିନ୍ତୁ ଏବେ ପ୍ରତିଟି ମ୍ୟାଚ୍ ଭାରତ ପାଇଁ ଏକ ପରୀକ୍ଷା ପରି । କାରଣ ଘରୋଇ ପଡିଆରେ ଭାରତକୁ ମାତ୍ ଦେବା ପାଇଁ ନିଶ୍ଚୟ ଚେଷ୍ଟା କରିବ ଇଂଲଣ୍ଡ । ସେହିପରି ଭାରତର ବିଜୟ ରାସ୍ତାରେ କଂଟା ହୋଇ ଛିଡା ହେବ ବୋଲି ଚେତାବନୀ ଦେଇଛନ୍ତି ବାଂଲାଦେଶର ଅଲରାଉଣ୍ଡର ସକିବ ଅଲ୍ ହାସନ୍ ।

ନ୍ୟୁଜିଲାଣ୍ଡର ସେମିଫାଇନାଲ୍ ରାସ୍ତା ସଫା :

ଅନ୍ୟପଟେ ନ୍ୟୁଜିଲାଣ୍ଡର ସେମିଫାଇନାଲ୍ ରାସ୍ତା ଏକ ପ୍ରକାର ସଫା । ୧୧ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଅଛି ଟିମ୍ । ବାକି ଅଛି ତିନିଟି ମ୍ୟାଚ୍ । ଏହା ମଧ୍ୟରୁ ଗୋଟିଏ ବି ମ୍ୟାଚରେ ବିଜୟ ନ୍ୟୁଜିଲାଣ୍ଡକୁ ସେମିଫାଇନାଲରେ ପହଂଚାଇ ଦେବ । ଯଦି ତିନିଟି ଯାକ ମ୍ୟାଚ୍ ବି ହାରିଯାଏ ତଥାପି ସେମିଫାଇନାଲରେ ପହଂଚିପାରେ ନ୍ୟୁଜିଲାଣ୍ଡ । କିନ୍ତୁ ନିର୍ଭର କରେ ବାଂଲାଦେଶ, ପାକିସ୍ତାନ ଏବଂ ଶ୍ରୀଲଙ୍କା କେମିତି ପ୍ରଦର୍ଶନ କରୁଛନ୍ତି ।

ସେହିପରି ଇଂଲଣ୍ଡକୁ ମିଳିଛି ୮ ଅଙ୍କ । ଅଷ୍ଟ୍ରେଲିଆଠୁ ହାରିବା ପରେ ଏବେ ଭାରତ ଏବଂ ନ୍ୟୁଜିଲାଣ୍ଡ ସହ କରିବାକୁ ପଡିବ ମୁକାବିଲା । ଯଦି ଉଭୟ ମ୍ୟାଚ୍ ହାରିଯାଏ ତେବେ ସେମିଫାଇନାଲ୍ ରେସରୁ ବାହାର ହୋଇପାରେ ଟିମ୍ ଇଂଲଣ୍ଡ ।

ରେସରେ ବାଂଲାଦେଶ : 

ବାଂଲାଦେଶର ଏବେ ୭ ଅଙ୍କ । ଏବଂ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଆହୁରୀ ବାକି ଅଛି । ଯଦି ଉଭୟ ମ୍ୟାଚ୍ ଜିତିଯାଏ ଦଳ ତେବେ ୧୧ ଅଙ୍କରେ ସେମିଫାଇନାଲରେ କରିପାରେ ଏଣ୍ଟ୍ରି । ହେଲେ ଏହା ସେତେବେଳେ ସମ୍ଭବ ଯଦି ଶ୍ରୀଲଙ୍କା ନିଜର ସମସ୍ତ ମ୍ୟାଚ୍ ହାରିଯାଏ ଏବଂ ଇଂଲଣ୍ଡ ଗୋଟିଏରୁ ଅଧିକ ମ୍ୟାଚରେ ନ ଜିତେ ।

କଣ ହେବ ଶ୍ରୀଲଙ୍କାର : 

ବର୍ତ୍ତମାନ ଶ୍ରୀଲଙ୍କାର ରହିଛି ୬ ଅଙ୍କ । ବର୍ତ୍ତମାନ ଟିମକୁ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ଭାରତ ବିପକ୍ଷରେ ଖେଳିବାକୁ ପଡିବ । ଆଉ ଏହି ସବୁ ମ୍ୟାଚ୍ ସହଜ ନୁହେଁ । ଯଦି ଶ୍ରୀଲଙ୍କା ତିନିଟି ଯାକ ମ୍ୟାଚ୍ ଜିତିଯାଏ ତେବେ ତାର ୧୨ଅଙ୍କ ହୋଇଯିବ ।

ୱେଷ୍ଟଇଣ୍ଡିଜର ସ୍ବପ୍ନ : 

ୱେଷ୍ଟଇଣ୍ଡିଜ୍ ଖାତାକୁ ଆସିଛି କେବଳ ୩ ଅଙ୍କ । ବର୍ତ୍ତମାନ ଟିମକୁ ଭାରତ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପଡିବ । ତିନିଟି ଯାକ ମ୍ୟାଚରେ ବିଜୟ ହେଲା ପରେ ମଧ୍ୟ ଦଳକୁ ଅନ୍ୟ ଦେଶର ମ୍ୟାଚ୍ ଉପରେ ନିର୍ଭର କରିବାକୁ ପଡିବ । ୱେଷ୍ଟଇଣ୍ଡିଜ୍ ପାଇଁ ଏହି ସମୀକରଣ ଖୁବ୍ କଠିନ ନଜର ଆସୁଛି ।

ପାକିସ୍ତାନର ସ୍ବପ୍ନ ହେବ ପୁରା : 

ଏହି ବିଶ୍ବକପରେ ପାକିସ୍ତାନର ଆଶା ଏଯାଏ ମଉଳି ନାହିଁ । ୫ ଅଙ୍କ ରଖିଥିବା ଦଳ ବର୍ତ୍ତମାନ ୩ଟି ମ୍ୟାଚ୍ ଆହୁରୀ ଖେଳିବାକୁ ଅଛି । ନ୍ୟୁଜିଲାଣ୍ଡ, ବାଂଲାଦେଶ ଏବଂ ଆଫଗାନିସ୍ତାନ ସହ ମୁହାଁମୁହିଁ ହେବ ପାକିସ୍ତାନ । ଯଦି ସମସ୍ତ ମ୍ୟାଚ୍ ଜିତି ଯାଏ ପାକିସ୍ତାନ ତେବେ ତାକୁ ମିଳିବ ୧୧ ଅଙ୍କ । କିନ୍ତୁ ଏହା ସହ ଏକଥାବି ନଜରରେ ରଖିବାକୁ ପଡିବ ଇଂଲଣ୍ଡ ଯେମିତି ଗୋଟିଏ ରୁ ଅଧିକ ମ୍ୟାଚ୍ ନ ଜିତେ । ଏହା ସହ ବାଂଲାଦେଶ ଏବଂ ଶ୍ରୀଲଙ୍କା ଅତି କମରେ ଗୋଟିଏ ଲେଖାଏଁ ମ୍ୟାଚ୍ ନିଶ୍ଚୟ ହାରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.