ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ, ଅତିଥି କହିଲେ ‘ଖେଳାଳି ଓ ଖେଳ ସାମ୍ବାଦିକ ପରସ୍ପର ପରିପୂରକ’

ଭୁବନେଶ୍ୱର (କେନ୍ୟୁଜ୍‌) : ‘ଖେଳାଳି ଓ ଖେଳ ସାମ୍ବାଦିକ ପରସ୍ପର ପରିପୂରକ’। ଜଣେ ଖେଳାଳି ପାଇଁ କ୍ରୀଡ଼ା ସାମ୍ବାଦିକ ଯେତିକି ଗୁରୁତ୍ୱପୂର୍ଣ୍ଣ, କ୍ରୀଡ଼ା ସାମ୍ବାଦିକଙ୍କ ପାଇଁ ମଧ୍ୟ ଖେଳାଳି ସେତିକି ଗୁରୁତ୍ୱ ରଖନ୍ତି। ଉଭୟଙ୍କ ଜନମାନସରେ ପ୍ରଚାର ପାଇଁ ପରସ୍ପରର ଆବଶ୍ୟକତା ରହିଛି । ଖେଳ ଦୁନିଆ ଏବଂ କ୍ରୀଡ଼ା ସାମ୍ବାଦିକତା ପରସ୍ପର ଠାରୁ ଭିନ୍ନ ନୁହନ୍ତି ବରଂ ଖେଳାଳି ଓ ଖେଳ ସାମ୍ବାଦିକ ପରସ୍ପରର ପରିପୂରକ । ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ଏହି ମତ ଦେଇଥିଲେ ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜୟିନୀ ତଥା ଓଡ଼ିଶା କ୍ରୀଡ଼ାର କିମ୍ବଦନ୍ତୀ ଆଥ୍ଲେଟ୍ ପ୍ରଣତି ମିଶ୍ର ।
ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲର ସମ୍ମିଳନୀ କକ୍ଷରେ ସଭାପତି ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି ।

ମୁଖ୍ୟ ସମାରୋହରେ ପ୍ରଣତିଙ୍କ ସହ ଓଡ଼ିଶାର କ୍ରିକେଟ୍ ଗୌରବ ତଥା ବର୍ତ୍ତମାନର ଜାତୀୟ ଚୟନକର୍ତ୍ତା ଦେବାଶିଷ ମହାନ୍ତି ଏବଂ ସଦ୍ୟ ଏଭରେଷ୍ଟ ଆରୋହଣ କରିଥିବା ସିଦ୍ଧାର୍ଥ ରାଉତରାୟ ଅତିଥି ଭାବେ ଯୋଗ ଦେଇଥିଲେ । ଓସ୍ଜା କାର୍ଯ୍ୟକାରୀ ସଭାପତି କେ. ରବି ଏବଂ ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ତାଙ୍କ ଭାଷଣରେ କହିଥିଲେ, ଖେଳରେ ସଫଳତା ହାସଲ କରିବାର କିଛି ସଟ୍‌କଟ୍‌ ନାହିଁ । ପାଗଳ ଭଳି ଖେଳରେ ନଲାଗିଲେ ବଡ଼ ସଫଳତା ହାସଲ କରି ହେବ ନାହିଁ ।

osja-2

ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ ସିଦ୍ଧାର୍ଥ ରାଉତରାୟ ତାଙ୍କ ଜୀବନରେ ସେ କ୍ରୀଡ଼ା ସହ ସାମିଲ ହୋଇ ରହିଥିବାରୁ କିପରି ପାଦେ ପାଦେ ସଫଳତା ପାଇଛନ୍ତି, ତାହା ବିସ୍ତୃତ ଭାବେ କହିଥିଲେ । ଏହା ସହିତ ଏଭରେଷ୍ଟ ଆରୋହଣର ସ୍ମୃତି ବାଣ୍ଟିଥିଲେ। ସମାଜର ମହିଳାମାନଙ୍କୁ ଖେଳ ମାଧ୍ୟମରେ ସଶକ୍ତ ହୋଇ ନିର୍ଭୟର ସହ ଚଳିବାର ସେ ଆହ୍ୱାନ ଦେଇଥିଲେ । ସମ୍ବିତ୍ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଓସ୍ଜାର ଏକ
ବିଶେଷ ସ୍ମରଣିକାର ପ୍ରଚ୍ଛଦ ଉନ୍ମୋଚନ କରାଯାଇଥିଲା ।

ମୁଖ୍ୟ ସମାରୋହ ପୂର୍ବରୁ ଖେଳାଳିମାନଙ୍କ ଜୀବନରେ ଆଘାତ ଜନିତ ସମସ୍ୟାର ଉପଚାର କିପରି ତୁରନ୍ତ କରାଯିବା ଦରକାର, ସେ ବାବଦରେ ଏକ ବିଶେଷ କର୍ମଶାଳା ଆୟୋଜିତ ହୋଇଥିଲା । ଦେଶର ପ୍ରମୁଖ ଫିଜିଓ ତଥା ଭାରତୀୟ ହକି ଓ ଫୁଟବଲ ଦଳ ସହ ଅନେକ ଦିନ ଜଡ଼ିତ ଥିବା ଡା. ମୁକ୍ତି ପ୍ରସାଦ ଦାଶ ଏହି କର୍ମଶାଳା ପରିଚାଳନା କରିଥିଲେ । ଏଥିରେ ଅନେକ ଯୁବା ଖେଳାଳିଙ୍କ ସହ ରାଜଧାନୀର ବହୁ ପ୍ରମୁଖ ସ୍କୁଲର କ୍ରୀଡ଼ା ଶିକ୍ଷକମାନେ ଯୋଗ ଦେଇଥିଲେ ।

ଉତ୍କଳ କରାଟେ ସ୍କୁଲର ଅଧ୍ୟକ୍ଷ ତଥା ବିଶିଷ୍ଟ କ୍ରୀଡ଼ା ଗୁରୁ ହରିପ୍ରସାଦ ପଟ୍ଟନାୟକଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ବହୁ ଖେଳାଳି ଓ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ଓସ୍ଜା ପରିବାରର ସୁରେଶ ସ୍ୱାଇଁ, ସଞ୍ଜୀବ ବିଶ୍ୱାଳ, ଦେବାଶିଷ ସୁନ୍ଦରାୟ, ତପନ ସ୍ୱାଇଁ, ରଜନୀକାନ୍ତ ଶତ୍ରୁସଲ୍ୟ, ସମୀକ୍ଷା ପଟନାୟକ, ତନ୍ମୟ ଦାସ, ଦେବୀପ୍ରସନ୍ନ ପାଣିଗ୍ରାହୀ, କୁମାର ବିମଲ, ବେଣୁଧର ଦାସ, କୁମର ଶ୍ରୀ, ସୌଭାଗ୍ୟ ରଥ, ସୁକେଶ ରଞ୍ଜନ ବେହେରା, ଦୀପ୍ତି ରଞ୍ଜନ ସାମଲ, ରଞ୍ଜନ ରାୟ, ବିଜୟ ରଣା, ମନମୋହନ ସ୍ୱାଇଁ, ସନ୍ତୋଷ ମହାନ୍ତି, ଶକ୍ତିପ୍ରକାଶ ନନ୍ଦ, ପ୍ରଫୁଲ୍ଲ ସାହୁ, ନିରଞ୍ଜନ ରେଡ୍ଡୀ, ସର୍ବେଶ୍ୱର ମହାନ୍ତି, ମହେନ୍ଦ୍ର ସାହୁ ଏବଂ ଜଗଦୀଶ ଦାସ ପ୍ରମୁଖ ଉତ୍ସବରେ ସାମିଲ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.