WPL ନିଲାମୀ : ସ୍ମୃତି ମନ୍ଧାନାଙ୍କୁ ୩.୪୦ କୋଟିରେ କିଣିଲା ଆରସିବି, ହରମନପ୍ରୀତଙ୍କୁ ୧.୮ କୋଟିରେ ନେଲା ମୁମ୍ବାଇ

ମହିଳା ଆଇପିଏଲ ଲିଗ୍‌ ପାଇଁ ନିଲାମୀ ପ୍ରକ୍ରିୟା ମୁମ୍ବାଇରେ ଆରମ୍ଭ ହୋଇଛି। ସବୁଠାରୁ ମହଙ୍ଗା ଖେଳାଳି ଭାବେ ସ୍ମୃତି ମନ୍ଧାନାଙ୍କୁ କିଣିଲା ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ମହିଳା ଆଇପିଏଲ୍‌ ପାଇଁ ନିଲାମୀ ଆରମ୍ଭ ହୋଇଯାଇଛି । ବିସିସିଆଇ ନିଲାମୀ ପାଇଁ ୪୪୮ ଜଣ ଖେଳାଳିଙ୍କୁ ସର୍ଟଲିଷ୍ଟ କରିଛି। ଯେଉଁଥିରେ ୨୭୦ ଜଣ ଭାରତୀୟ ଖେଳାଳି ସାମିଲ ରହିଛନ୍ତି । ତେବେ ଆଜି ନିଲାମୀରେ ପ୍ରଥମ ଖେଳାଳି ଭାବେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନାଙ୍କୁ ୩.୪୦ କୋଟି ଟଙ୍କାରେ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମନ୍ଧାନାଙ୍କୁ କିଣିବା ପାଇଁ ମୁମ୍ବାଇ ଏବଂ ବାଙ୍ଗାଲୋର ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା । କିନ୍ତୁ ଶେଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବାଜି ମାରି ନେଇଥିଲା ।

ମହିଳା ପ୍ରିମିଅର ଲିଗ୍‌ ପାଇଁ ନିଲାମୀ ମୁମ୍ବାଇରେ ଚାଲିଛି । ତେବେ ବିରାଟ କୋହଲିଙ୍କ ଆରସିବି ସ୍ମୃତିଙ୍କୁ କିଣିନେଇଛି । ୨୬ ବର୍ଷୀୟ ସ୍ମୃତି ଭାରତ ପାଇଁ ଏପର୍ଯ୍ୟନ୍ତ ୧୧୨ଟା ଟି-୨୦ ମ୍ୟାଚ୍‌ ଖେଳିଛନ୍ତି । ୨୭.୩୩ ପ୍ରତିଶତରେ ୨୬୫୧ ରନ୍‌ କରିଛନ୍ତି । ଟିମ୍‌ ପାଇଁ ୭୭ଟି ଦିନିକିଆ ଖେଳିଛନ୍ତି । ସେଥିରେ ୪୨.୬୮ ପ୍ରତିଶତରେ ୩୦୭୩ ରନ୍‌ କରିଛନ୍ତି । ଏହାଛଡା ୪ଟି ଟେଷ୍ଟ ମ୍ୟାଚ ଖେଳି ୩୨୫ ରନ୍‌ କରିଛନ୍ତି ।

ସେହିପରି ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ମୁମ୍ବାଇ ଇଣ୍ଡିଆନ୍ସ ୧.୮ କୋଟି ଟଙ୍କାରେ କିଣିଛି । ମୁମ୍ବାଇ ପ୍ରାଞ୍ଚାଇଜର ମାଲିକାନା ଇଣ୍ଡିଆୱିନ ସ୍ପୋର୍ଟସ ପ୍ରାଇଭେଟ ଲିଃ ୯୧୨.୯୯ କୋଟି ଟଙ୍କାରେ ହାସଲ କରିଥିଲା।
ଅଷ୍ଟ୍ରେଲିଆର ଏଲିସ ପେରୀ ୧.୮ କୋଟି ଟଙ୍କାରେ ଆରିସିବି, ଅଷ୍ଟ୍ରେଲିଆର ଆଶ ଗାର୍ଡେନର ୩.୨ କୋଟି ଟଙ୍କାରେ ଗୁଜରାଟ ଜିଆଣ୍ଟସ, ଇଂଲଣ୍ଡର ସୋଫିଆ ଏସ୍କେଲଷ୍ଟୋନ ୧.୮ କୋଟି ଟଙ୍କାରେ ୟୁପି ୱାରିଅରଜ୍ ଓ ନ୍ୟୁଜିଲ୍ୟାଣ୍ଡର ସୋଫିଆ ଡେଭାଇନ ୫୦ ଲକ୍ଷ ଟଙ୍କାରେ ଆରସିବିକୁ ଯାଇଛନ୍ତି।

ଅନ୍ୟପକ୍ଷରେ ଭାରତର ଷ୍ଟାର ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ୟୁପି ୨.୬ କୋଟି ଟଙ୍କାରେ କିଣିଛି। ଆରସିବି ୧.୫ କୋଟି ଟଙ୍କାରେ ଦ୍ରୁତ ବୋଲର ରେଣୁକା ସିଂହ ଠାକୁରଙ୍କୁ କିଣିଛି । ସେହିପରି ରିଚା ଘୋଷଙ୍କୁ ବାଙ୍ଗାଲୋର ୧.୯ କୋଟି, ୟସ୍ତିକା ଭାଟିଆଙ୍କୁ ମୁମ୍ବାଇ ୧.୫ କୋଟି, ହରଲିନ ଦେଓ୍ଵଲଙ୍କୁ ଗୁଜରାଟ ୪୦ ଲକ୍ଷରେ କିଣିନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.