ରଥଯାତ୍ରା ପାଇଁ ୨୫ ପୂର୍ବରୁ ସରିବ ସବୁ ବିଭାଗର ପ୍ରସ୍ତୁତି କାମ, ରଥଯାତ୍ରା ସମନ୍ଵୟ କମିଟି ବୈଠକରେ ଦିଆଗଲା ନିର୍ଦ୍ଦେଶ

ଜୁଲାଇ ୪ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଜୋରସୋର ଚାଲିଛି ପ୍ରସ୍ତୁତି । ପୁରୀ ନିଳାଦ୍ରୀ ଭକ୍ତନିବାସ ସମ୍ମିଳନୀ କକ୍ଷରେ ତୃତୀୟ ସମନ୍ଵୟ କମିଟି ବୈଠକରେ ପ୍ରସ୍ତୁତିର ଅଗ୍ରଗତି ନେଇ କରାଯାଇଛି ଆଲୋଚନା । ଆସନ୍ତା ୨୫ ତାରିଖ ପୂର୍ବରୁ ସବୁ ବିଭାଗ ପ୍ରସ୍ତୁତି ଶେଷ କରିବାକୁ ବୈଠକରେ ନିର୍ଦ୍ଦେଶ ରହିଛି। ପୁରୀରେ ଝାଡ଼ାବାନ୍ତି ବ୍ୟାପିଥିବାରୁ ୨୨ଟି ଡାକ୍ତରୀ ଦଳ ନିୟୋଜିତ ରହିବା ସହ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି । ସେହିପରି ପାନୀୟ ଜଳ ଯୋଗାଣ ପାଇଁ ୩୨ଟି ଟ୍ୟାଙ୍କର ସହ ୨ଶହ ପାଣିକଳ ଓ ୨୫୦ରୁ ଅଧିକ ଟ୍ୟୁବୱେଲ ଅତିରିକ୍ତ ଭାବେ ମହଜୁଦ ରଖାଯିବ । ବାତ୍ୟାରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଥିବାରୁ ଆସନ୍ତା ୩୦ ତାରିଖ ମଧ୍ୟରେ ମରାମତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରଥଯାତ୍ରା ବେଳେ ଯାତ୍ରୀ ପରିବହନ ପାଇଁ ୨ ଶହରୁ ଅଧିକ ବସକୁ ସ୍ୱତନ୍ତ୍ର ପରିମିଟ ସହ ରେଟଚାର୍ଟ ମାରିବାକୁ ନିର୍ଦ୍ଦେଶ ରହିଛି । ରଥଯାତ୍ରା ପାଇଁ ପୁରୀକୁ ୧୯୨ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ୪୦ଟି ଟିକେଟ ଭେଣ୍ଡିଂ ମେସିନ ସହ ଜୁନ ୨୫ ମଧ୍ୟରେ ରେଳବାଇର ସମସ୍ତ କାର୍ଯ୍ୟ ଶେଷ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ରଥକାଠର ଅଭାବ ଦୂର କରିବା ପାଇଁ ୩ ମାସ ମଧ୍ୟରେ ଜଗନ୍ନାଥ ବନ ପ୍ରକଳ୍ପର ସ୍ଥିତି ଆକଳନ କରାଯିବ ।

ସେପଟେ ପୁରୀ ରଥଖଳାରେ ଜୋରଦାର ଚାଲିଛି ତିନି ରଥର ନିର୍ମାଣ କାମ । ତିନି ରଥର ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ ବା ଚକ, ଅଖ ଡେରା କାର୍ଯ୍ୟ ସରିଛି । ଧାର୍ଯ୍ୟ ସମୟ ଭିତରେ ରଥକାମ ସାରିବାକୁ ବିଶ୍ୱକର୍ମା ମହାରଣାମାନେ ଲାଗିପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.