ମାଲକାନଗିରିରେ ବ୍ଯାପିଛି ଅଜଣା ରୋଗ, ତିନି ମାସରେ ଗଲାଣି ୧୭ ଜଣଙ୍କ ଜୀବନ

ମାଲକାନଗିରି: ସାରା ବିଶ୍ବକୁ କୋଭିଡ୍ ୧୯ ଭୂତାଣୁ ନିଜର କାୟା ବିସ୍ତାର କରି ମହାମାରୀର ରୂପ ନେଇ ସାରିଛି । ଯାହାକୁ ନେଇ ସଭିଁଏ ଚିନ୍ତିତ ଥିବାବେଳେ, ଏହି ସମୟରେ ବୋଝ ଉପରେ ଲଳିତା ବିଡା ପରି ମାଲକାନଗିରି ଜିଲ୍ଲାରେ ଏକ ଅଜଣା ରୋଗ ବ୍ଯାପିବାରେ ଲାଗିଛି । ଯାହାକୁ ନେଇ ଆତଙ୍କିତ ଲୋକେ । ଏହି ଅଜଣା ରୋଗ ଗତ କିଛି ଦିନରେ ଗୋଟେ ପରେ ଗୋଟେ ମୁଣ୍ଡ ନେବାରେ ଲାଗିଛି । ଡାକ୍ତରୀ ଦଳ ରୋଗର କାରଣ ଓ ନିରାକରଣ ଚିନ୍ତା କରିପାରୁନଥିବାବେଳେ ଏବେ ଗୁଣିଆ ଉପରେ ଭରସା କରୁଛନ୍ତି ଲୋକେ ।

ମାଲକାନଗିରି ପେଡକୋଣ୍ଡା ପଞ୍ଚାୟତ କେନ୍ଦୁଗୁଡ଼ା ଗାଁ। କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । କାରଣ ଅଜଣା ରୋଗ ଛଡାଇ ନେଉଛି କାହାର ପୁଅକୁ ତ କାହାର ସ୍ବାମୀ ପୁଣି କାହାର ପ୍ରିୟଜନଙ୍କୁ। ସୂଚନା ଅନୁଯାୟୀ ଏଠାରେ ଗତ ୩ ଦିନରେ ହେଲାଣି ୩ ଜଣଙ୍କର ମୃତ୍ୟୁ। ଏହାକୁ ମିଶାଇ ଗତ ତିନି ମାସରେ ୧୭ ଜଣଙ୍କର ମୃତ୍ୟୁ ହୋଇସାରିଥିବା ଜଣାପଡିଛି। ସମସ୍ତ ମୃତକଙ୍କ ଭିତରେ ସମାନ ଲକ୍ଷଣ ଦେଖିବାକୁ ମିଳିଥିଲା । ପ୍ରଥମେ ପାଦ ଫୁଲି ଯିବା ସହ ଜ୍ୱର ହେଉଥିଲା। ସମସ୍ତ ମୃତକଙ୍କ ବୟସ ୧୮ରୁ ୨୫ ବର୍ଷ ଭିତରେ ହେବ ବୋଲି ଗ୍ରାମବାସୀ କହିଛନ୍ତି ।

ତେବେ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ କେନ୍ଦୁଗୁଡ଼ାରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଆକ୍ରାନ୍ତଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ସୁସ୍ଥ ହୋଇ ଘରକୁ ଫେରିବା ପରେ ସେମାନଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଗାଁ ଲୋକ। ରୋଗର କାରଣ ଜଣା ପଡୁ ନଥିବା ବେଳେ ଲୋକ ଗୁଣିଆର ସାହାର ନେଉଥିବା ଅତି ଦୁଃଖର ବିଷୟ। ଏହା ଏକ ପ୍ରକାର କିଡ୍‌ନୀ ରୋଗ। ଏଠିକାର ପାଣି ଯୋଗୁଁ ରୋଗ ବ୍ୟାପିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.