ଅଧା ରହିଗଲା ତାରିଣୀ ଦର୍ଶନ: ୧୬ନଂ ଜାତୀୟ ରାଜପଥ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ମୃତ ଓ ୫ଆହତ

ଯାଜପୁର(କେନ୍ୟୁଜ୍): ଘଟଗାଁ ତାରିଣୀ ଦର୍ଶନ ପାଇଁ ବାହାରିଥିଲେ। ହେଲେ ବାଟରେ ଜଗି ରହିଥିଲା ଯମ। ନିମିଶକେ ଚାଲିଗଲା ୨ଜଣଙ୍କର ଜୀବନ। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ଆଉ ୫ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କୁଆଖିଆ ଥାନା ଅଧିନ ଗୋପାଳପୁର ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ପଛରେ ପିଟିଲା କାର। ଘଟଣାସ୍ଥଳରେ ୨ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି।

ମୃତକ ଦ୍ୱୟ ଏରସମା ଅଞ୍ଚଳର ବିଶ୍ଵଜିତ ମାଇତି (୨୭) ଓ ପ୍ରଭାତ ପଣ୍ଡା (୩୦)। ଆଜି ଭୋର ସମୟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ମୁତାବକ ଏକ କାରରେ ଏରସମା ଅଞ୍ଚଳର ୭ଜଣ ଯୁବକ ଘଟଗାଁ ସ୍ଥିତ ମା ତାରିଣୀଙ୍କ ଦର୍ଶନ ପାଇଁ ରାତିରୁ ବାହାରିଥିଲେ। ତେବେ ଜାତୀୟ ରାଜପଥରେ ଯାଉଥିବା ସମୟରେ ରାସ୍ତା ପାର୍ଶ୍ଵରେ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକ ପଛରେ କାରଟି ଧକ୍କା ଦେଇଥିଲା। ଖବର ପାଇ ଧର୍ମଶାଳା ପୋଲିସ ମୃତକଙ୍କୁ ଉଦ୍ଧାର କରି ଧର୍ମଶାଳା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା। ଆହତ ହୋଇଥିବା ଅନ୍ୟ ୫ଜଣ ଯୁବକକୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଏପଟେ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଘନ କୁହୁଡି ଦୁର୍ଘଟଣାର କାରଣ ବୋଲି ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.